ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୪ ଦିନ ପୂର୍ବରୁ ଆଜି ବନ୍ଦ ହୋଇପାରେ ବିଧାନସଭା । ଏ ନେଇ ସ୍ପଷ୍ଟ ସୂଚନା ମିଳିଛି । ବିରୋଧୀ ଦଳର ଏସ୍ସି/ଏସ୍ଟି ବିଧାୟକମାନେ ୫ ଦଫା ଦାବିରେ ଧାରଣା ଦେଇଥିବାରୁ ଏହି ଆଳରେ ବିଧାନସଭାକୁ ବନ୍ଦ କରିଦେବା ପାଇଁ ଶାସକ ଦଳ ମନ୍ତ୍ରଣା ଜାରି ରଖିଛି । ଆଜି ବିଧାନସଭା ଆରମ୍ଭ କ୍ଷଣି ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଧାରଣା ଦେଇଥିବା ବିଧାୟକମାନଙ୍କ ଗତିବିଧିକୁ ଅପେକ୍ଷା ନ କରି ବାଚସ୍ପତି ଅତ୍ୟନ୍ତ ତରବରିଆ ଭାବେ ଆଖିପଲକରେ ଗୃହକୁ ମୁଲତବୀ କରିଦେଇଥିଲେ । ଏହା ପରେ ଶାସକ ଦଳର ବିଧାୟକମାନେ ସେଇ ପୁରୁଣା ପ୍ରସଙ୍ଗ କେନ୍ଦ୍ରୀୟ ଅବହେଳା ଧରି ରାଜଭବନ ଯାଇଥିଲେ ଏବଂ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଇଥିଲେ ।
ଗତ ଶୁକ୍ରବାର ଦିନ ଗୃହରେ ବ୍ୟୟମଂଜୁରୀ ବିଲ୍ ଗୃହୀତ ହୋଇସାରିଥିବାରୁ ବିଧାନସଭା ବଜେଟ୍ କାର୍ଯ୍ୟ ଶେଷ ହୋଇଛି । ଅଧିବେସନ ସମୟ ୨୦ ତାରିଖ ପର୍ଯ୍ୟନ୍ତ ସ୍ଥିରୀକୃତ ହୋଇଥିଲେ ମଧ୍ୟ ସରକାର ନିଜ ସୁରକ୍ଷା ପାଇଁ ଆଗୁଆ ବିଧାନସଭାକୁ ବନ୍ଦ କରିବାର ଯୋଜନା କରିଛନ୍ତି । ବିରୋଧୀ ଦଳଙ୍କୁ ଅଧିକ ସମୟ ନ ଦେଇ ବିଧାନସଭା ବନ୍ଦ କରିଦେବା ଶ୍ରେୟସ୍କର ବୋଲି ଚିନ୍ତା କରାଯାଇଛି । ଏସ୍ସି/ଏସ୍ଟି ବିଧାୟକମାନେ ୧୧ ତାରିଖରୁ ଧାରଣାରେ ବସିଥିଲେ ମଧ୍ୟ ସରକାର ଆଲୋଚନା କରିବାକୁ ଉଚିତ୍ ମନେ କରିନାହାନ୍ତି । ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ତଳେ ସେମାନେ ସାଷ୍ଟାଙ୍ଗ ପଡ଼ିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଚଳିତ ହୋଇନାହାନ୍ତି କି ସେମାନ ସହ ଆଲୋଚନା ପାଇଁ ରାଜି ନୁହଁନ୍ତି । ବାଚସ୍ପତି ମଧ୍ୟ ଏହା ଉପରେ ହସ୍ତକ୍ଷେପ ନ କରି ଶାସକ ଦଳ ଇଙ୍ଗିତରେ ଗୃହ ପରିଚାଳନା କରୁଛନ୍ତି । ଏହି ମାମଲାରେ ବାଚସ୍ପତି ଖୋଲାଖୋଲି ଭାବେ ଶାସକ ଦଳର ପକ୍ଷ ହୋଇଯାଇଛନ୍ତି । ଏହାକୁ ଦୁର୍ଭାଗ୍ୟଜନକ ବୋଲି ବିରୋଧୀ ସଭ୍ୟମାନେ ଗଳାଫଟାଇ ଚିତ୍କାର କରୁଥିଲେ ବି ଶାସକ ଦଳ ସେମାନଙ୍କ ସଂଖ୍ୟାବଳରେ ନିର୍ବିକାର ସାଜିଛନ୍ତି । ଟେନସନ୍ ନ ନେଇ ବିଧାନସଭାକୁ ବନ୍ଦ କରିଦେଲେ କାମ ସରିବ ବୋଲି ସେମାନେ ସହଜ ବାଟ ପାଇଛନ୍ତି ।