ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କିଏ ସେହି ପୂର୍ଣ୍ଣଚନ୍ଦ୍ର ପାଢ଼ୀ ? ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ସମ୍ପର୍କ କ’ଣ ? ବିଧାନସଭାରେ ନରସିଂହ ମିଶ୍ର ଉଠାଇଥିବା ଏହି ପୂର୍ଣ୍ଣ ପାଢ଼ୀଙ୍କୁ ବିଜେଡ଼ି ନିଜର ବୋଲି ଦାବି କରିସାରିଥିବା ବେଳେ ତାଙ୍କୁ କେହି ପାଉନାହାନ୍ତି । ନିଜେ ନରସିଂହ ମିଶ୍ର ବି ମୁଖ୍ୟମନ୍ତ୍ରୀଙ୍କୁ କେବଳ ପ୍ରଶ୍ନ କରିଥିବା ଆଳରେ ଚୁପ୍ ହୋଇଯାଇଛନ୍ତି । ବିଜେଡ଼ି ବ୍ୟାଙ୍କ୍ ଆକାଉଣ୍ଟ ଓ ପୂର୍ଣ୍ଣ ପାଢ଼ୀଙ୍କ ପ୍ରସଙ୍ଗ ଉଠାଇବା ପଛରେ ତାଙ୍କର ମିଡ଼ିଆ ହଟ୍ଟଚମଟ ଉଦ୍ଦେଶ୍ୟ ଥିଲା ନା ବିଜେଡ଼ିର ଚିଟ୍ଫଣ୍ଡ ଲିଙ୍କ୍ର ଖୁଲାସା କରିବାର ବାସ୍ତବ ଇରାଦା ଥିଲା ତାହା ଏବେ ସନ୍ଦେହ ଘେରରେ । କାରଣ ତଥାକଥିତ ସତ ଖୋଲିବାକୁ ବିରୋଧୀ ଦଳ ନେତାଙ୍କ ପାଖରେ ପର୍ଯ୍ୟାପ୍ତ ସୁଯୋଗ ଥିଲେ ବି ବିଭିନ୍ନ ଆଳରେ ତାହାକୁ ସେ ଏଡାଇ ଚାଲିଛନ୍ତି । ନିଜ ପାଖରେ ତଥ୍ୟ ନ ଥିବାରୁ ଏହି ପ୍ରସଙ୍ଗରୁ ହଟିଯାଇଥିବା ଧାରଣା ସୃଷ୍ଟି ହୋଇଛି ।
ବିଧାନସଭାରେ ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ହଟ୍ଟଚମଟ ସୃଷ୍ଟି କରିଥିଲେ । ସେ ଯାହା କହୁଛନ୍ତି ମିଛ ବୋଲି ବିଜେଡ଼ି ତାଙ୍କୁ କଡ଼ା ଜବାବ ଦେଇଥିଲା । ବାର୍ଦ୍ଧକ୍ୟଜନିତ ମତିଭ୍ରମ ଭଳି ଅସୌଜନ୍ୟମୂଳକ ମନ୍ତବ୍ୟ ଦେଇଥିଲା । ତେବେ ନରସିଂହ ଏହାକୁ ସହଜରେ ହଜମ କରିଛନ୍ତି । ଦମ୍ଭ ଦେଖାଇଛନ୍ତି, ସେ ପଚାରିଥିବା ପ୍ରଶ୍ନରେ ସତ୍ୟତା ଅଛି ଏବଂ ମିଛ ହୋଇଥିଲେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେବେ । ନହେଲେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବେ କି ବୋଲି ଚାଲେଞ୍ଜ ଦେଇଛନ୍ତି । ନିଜେ କିଛି ନ କହି ଲୋକପାଳଙ୍କ କୋର୍ଟକୁ ବଲ୍ ଛାଡ଼ିଛନ୍ତି ନରସିଂହ । ନରସିଂହ ମିଶ୍ରଙ୍କ ଭଳି ବିଜ୍ଞ ବ୍ୟକ୍ତି ବିନା ତଥ୍ୟ ପ୍ରମାଣରେ ଏଭଳି ଚାଲେଞ୍ଜ କରିଥିବେ ବୋଲି କାହାର ବିଶ୍ୱାସ ହେଉନି । ନିଶ୍ଚିତ ଭାବେ ତାଙ୍କ ପାଖରେ ବିଜେଡ଼ି ଆକାଉଣ୍ଟରେ ଚିଟ୍ଫଣ୍ଡ ପଇସା ପଶିଥିବାର ପ୍ରମାଣ ରହିଛି । ତେବେ ନରସିଂହ ସମସ୍ତଙ୍କୁ ଦ୍ୱନ୍ଦରେ ରଖି ସେସବୁ ପ୍ରକାଶ କରୁନାହାନ୍ତି କାହିଁକି ? ଏଥିଯୋଗୁଁ ବିଧାନସଭା ୧୦ ଦିନ ଧରି ଅଚଳ ରହିବା ପଛରେ ସେ ଦାୟୀ ହେବେନି କାହିଁକି ?
ନରସିଂହଙ୍କ ଯୁକ୍ତି, ବିଧାନସଭାରେ ଶାସକ ଦଳ ସଭ୍ୟମାନେ ତାଙ୍କୁ କହିବା ସୁଯୋଗ ଦେଉନାହାନ୍ତି । ମାତ୍ର ଏହା ବିଲକୁଲ୍ ସତ ନୁହେଁ । ପଏଣ୍ଟ ଅଫ୍ ଅର୍ଡରରେ ବିରୋଧୀ ଦଳ ନେତା ଅନେକ ଥର କହିବା ସୁଯୋଗ ପାଇଥିଲେ ମଧ୍ୟ ବିଜେଡ଼ି ବ୍ୟାଙ୍କ୍ ଆକାଉଣ୍ଟ ଓ ପୂର୍ଣ୍ଣ ଖୁଣ୍ଟିଆ ପ୍ରସଙ୍ଗରେ ତଦନ୍ତ ଥୋପ ରଖି ନିଜକୁ ଦୂରେଇ ନେଇଛନ୍ତି । ତାଙ୍କ ଯୁକ୍ତି ଅନୁଯାୟୀ, ବିଧାନସଭାରେ ବିଜେଡ଼ିର ମୁଖା ଖୋଲିବାକୁ ସେ ଚେଷ୍ଟା କରି ବିଫଳ ହେଉଛନ୍ତି । ଯଦି ସେୟା, ପ୍ରେସ୍ ମିଟ୍ ଜରିଆରେ ବିଜେଡ଼ିକୁ ଲଙ୍ଗଳା କରିପାରୁନାହାନ୍ତି କାହିଁକି ? ଏହା କରି ନ ପାରିବାର ଅର୍ଥ ବିରୋଧୀ ଦଳ ନେତାଙ୍କ ପାଖରେ ତଥ୍ୟ ନାହିଁ । ଶୁଣାଶୁଣିରେ ବିଜେଡ଼ି ଆକାଉଣ୍ଟକୁ ଚିଟ୍ଫଣ୍ଡ ଲିଙ୍କ୍ ଦେଇଛନ୍ତି । ଏଥିରେ ତାଙ୍କର ବ୍ୟକ୍ତିଗତ ପ୍ରଚାର ହୋଇଥାଇପାରେ । ମାତ୍ର ଏହାଦ୍ୱାରା ବିଧାନସଭାର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଦିବସ ନଷ୍ଟ ହୋଇନାହିଁ କି ?
ବିଧାନସଭା ବାହାରେ ବିରୋଧୀ ଦଳ ନେତା ନିଇତି ପ୍ରେସ୍ ମିଟ୍ କରୁଛନ୍ତି । ଗଣମାଧ୍ୟମକୁ ବାଇଟ୍ ଦେଉଛନ୍ତି । ସରକାର ତାଙ୍କ ଉପରେ କିଭଳି ପ୍ରତିହିଂସା ପରାୟଣ ହୋଇଛନ୍ତି ତାହା ବଖାଣିଛନ୍ତି । କୋଇଲା ଓ ଚିଟ୍ଫଣ୍ଡ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍କାନରରେ ରହିଥିବା ଭଳି ଗୁରୁତର ତଥ୍ୟ ବି ରଖିଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବ ଏ ଦିଗରେ ପଦକ୍ଷେପ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ୭ ମାସ ତଳେ ଲେଖିଥିବା ଚିଠିକୁ ଚପାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି । ବିରୋଧୀ ଦଳ ନେତାଙ୍କ ଏହି ଅଭିଯୋଗ ସାଂଘାତିକ କୁହାଯାଉଥିଲେ ମଧ୍ୟ ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକଳାପ ଉପରେ ସେହି ରାଜ୍ୟର ମୁଖ୍ୟ ଶାସନ ସଚିବ କିଭଳି ନଜର ରଖିବେ ଓ ପଦକ୍ଷେପ ନେବେ ବୁଝାପଡୁନି । ନରସିଂହଙ୍କ ଅଭିଯୋଗ ସତ ହୋଇଥିଲେ ମୁଖ୍ୟ ଶାସନ ସଚିବ କ’ଣ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧ୍ୱର୍ରେ ? ସୁତରାଂ ଏଭଳି ଏକ ଅଭିଯୋଗ ଉପରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ବିରୋଧୀ ଦଳ ନେତା ମୂଳ ଚିଟ୍ଫଣ୍ଡ ପ୍ରସଙ୍ଗ ଛାଡ଼ି ଏସବୁ ପ୍ରସଙ୍ଗକୁ ଆସିବା ଅର୍ଥ ମୂଳ ପ୍ରସଙ୍ଗ ଉପରେ ତାଙ୍କର ଅଧିକ କିଛି କହିବାର ନାହିଁ । କହିବାକୁ ଚାହୁଁଥିଲେ ମଧ୍ୟ ହୁଏତ ତଥ୍ୟ ପ୍ରମାଣ ପାଇପାରୁନାହାନ୍ତି । ତେବେ ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ମାରିବା ଭଳି ନରସିଂହ ଏତେ ବଡ଼ କଥା ଉଠାଇବା ପଛରେ କ’ଣ ଉଦ୍ଦେଶ୍ୟ ତାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ରାଜ୍ୟବାସୀଙ୍କ ଝାଳବୁହା ଅର୍ଥ ଉପରେ ଏଭଳି ରାଜନୈତିକ ହଟ୍ଟଚମଟ ନିଶ୍ଚିତ ମାରାତ୍ମକ ।