ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀ ବିଜେଡ଼ିରୁ ସସ୍ପେଣ୍ଡ ହୋଇଛନ୍ତି । ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ୨୦୧୪ ଅକ୍ଟୋବର ୩୧ ତାରିଖରେ ଦଳରୁ ସସ୍ପେଣ୍ଡ କରିଥିଲେ । ଆଜି ପର୍ଯ୍ୟନ୍ତ ତାଙ୍କ ଉପରୁ ସସ୍ପେଣ୍ଡ ଆଦେଶ ହଟିନି । ବିଧାନସଭାରେ ମଧ୍ୟ ବିଜେଡ଼ି ଫୋରମ୍ରେ ତାଙ୍କୁ ଦେଖିବାକୁ ମିଳୁନି । ଦିନେ ବିଧାନସଭାରେ ବିଜେଡ଼ିର ପ୍ରବକ୍ତା ସାଜୁଥିଲେ ପ୍ରଭାତ ତ୍ରିପାଠୀ । ମାତ୍ର ସେହି ବିଧାନସଭାରେ ଦଳ ତାଙ୍କୁ ଗ୍ରହଣ କରିନି । ମାତ୍ର ବିଧାନସଭା ବାହାରେ ବିଜେଡ଼ି ପରିଚୟରୁ ସେ ବଞ୍ଚିତ ହୋଇନାହାନ୍ତି । ପ୍ରଭାତଙ୍କ ଉପରୁ ନିଲମ୍ବନ ଆଦେଶ ଉଠି ନ ଥିଲେ ମଧ୍ୟ ଦଳୀୟ ପତାକା ଧରି ଖୋଲାଖୋଲି ନିଜ ପତିଆରା ଜାହିର ରଖିବା ସମସ୍ତଙ୍କୁ ବିସ୍ମିତ କରିଛି ।
ବିଜେଡ଼ି ଡାକରା ଦେଇଥିବା ଗହମ ବଦଳରେ ଚାଉଳ ଦିଅ ଆନ୍ଦୋଳନକୁ ବାଙ୍କୀରେ ନେତୃତ୍ୱ ଦେଇଥିଲେ ବିଧାୟକ ପ୍ରଭାତ ତ୍ରିପାଠୀ । ଦଳୀୟ ବ୍ୟାନର ଧରି ଏଡିଏମ୍ଙ୍କ ଅଫିସ୍ ଘେରାଉ କରିଥିଲେ । ଏଥିପାଇଁ ଦଳ ତାଙ୍କୁ ନିର୍ଦେଶ ଦେଇଥିଲା ନା ସେ ନିର୍ଲ୍ଲଜ ଭାବେ ଦଳୀୟ ପତାକା ଧରିଥିଲେ ତାହା ଜଣାପଡ଼ିନାହିଁ । ତେବେ ନିଲମ୍ବିତ ପ୍ରଭାତଙ୍କ ବିଜେଡ଼ି କାର୍ଯ୍ୟକ୍ରମ ଜୋର୍ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ସହ ଖୋଲା ମଞ୍ଚରେ ବସିବା ଦିନଠୁଁ । ଗତ ଫେବୃଆରୀ ୩ ତାରିଖରେ ବାଙ୍କୀ ଜାତମୁଣ୍ଡିଆଠାରେ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ସେତୁର ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ହସଖୁସି ପ୍ରଭାତଙ୍କୁ ବିଜେଡ଼ି ସ୍ରୋତରେ ନଉକା ଭଳି କାମ କରିଛି । ଏହି କାର୍ଯ୍ୟକ୍ରମ ପାଇଁ ବାଙ୍କୀ ବିଜୁ ଜନତା ଦଳ ବ୍ୟାନରରେ ଜୋରଦାର ପ୍ରଚାର ହୋଇଥିଲା । ସେଥିରେ ନବୀନଙ୍କ ଫଟୋ ସହ ପ୍ରଭାତଙ୍କ ଫଟୋ ବାଙ୍କୀ ନିର୍ବାଚନମଣ୍ଡଳୀରେ ଛାଇ ହୋଇଯାଇଥିଲା । ସେହି କାର୍ଯ୍ୟକ୍ରମ ହିଁ ପ୍ରଭାତଙ୍କୁ ଦଳୀୟ ପ୍ଲାଟଫର୍ମର ପରିଚୟ ଫେରାଇ ଆଣିବାକୁ ସଂଜୀବନୀ ହୋଇଥିଲା ।
ଏହା ପରେ ପରେ ଉତ୍ସାହିତ ପ୍ରଭାତ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବିଜେଡ଼ି କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ ଜାରି ରଖିଛନ୍ତି । ଫେବୃଆରୀ ୨୦ରେ ଜାତମୁଣ୍ଡିଆଠାରେ ଦଳ ପକ୍ଷରୁ ଆୟୋଜିତ ବିଜୁ ଗ୍ରାମୀଣ ସ୍ୱାସ୍ଥ୍ୟ ଶିବିରରେ ମୁଖ୍ୟ ଥିଲେ ବିଧାୟକ ପ୍ରଭାତ ତ୍ରିପାଠୀ । ସେହିଭଳି ମାର୍ଚ୍ଚ ୧୩ ତାରିଖରେ ନଇଦା ଗ୍ରାମ ପଞ୍ଚାୟତଠାରେ ଏକ ବିରାଟ କର୍ମୀ ସମ୍ମଳନୀର ଆୟୋଜନ କରି ଅସନ୍ତୁଷ୍ଟଙ୍କୁ ଅସହିଷ୍ଣୁ କରିଥିଲେ ପ୍ରଭାତ । ତେବେ ଦଳରୁ ନିଲମ୍ବିତ ପ୍ରଭାତ ବିଜେଡ଼ି କାର୍ଯ୍ୟକ୍ରମ ଜାରି ରଖିଥିଲେ ମଧ୍ୟ ନେତୃତ୍ୱ କୌଣସି ଅଙ୍କୁଶ ନ ରଖି ତାଙ୍କୁ ସହଯୋଗ କରୁଥିବା ସ୍ପଷ୍ଟ ହୋଇଛି । ତାଙ୍କ ଉପରୁ ଔପଚାରିକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇ ନ ଥିଲେ ମଧ୍ୟ ଅନଔପଚାରିକ ଭାବେ ପ୍ରଭାତ ବିଜେଡ଼ିର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି । ଏଥିପାଇଁ ବିଜେଡ଼ି ହାଇକମାଣ୍ଡଙ୍କ ଡବଲ୍ ଷ୍ଟାଣ୍ଡାର୍ଡ ନା ପ୍ରଭାତଙ୍କ ନିର୍ଲ୍ଲଜ ଆଚରଣ ଦାୟୀ ତାହା ବୁଝାପଡୁନାହିଁ ।
ଏଟି ଚିଟ୍ଫଣ୍ଡ ଲିଙ୍କ୍ ରେ ପ୍ରଭାତ ତ୍ରିପାଠୀଙ୍କୁ ସିବିଆଇ ୨୦୧୪ ଅକ୍ଟୋବର ୩୧ ତାରିଖରେ ଗିରଫ କରିଥିଲା । ଗିରଫ ହେଲା ମାତ୍ରେ ବିଜେଡ଼ି ତାଙ୍କୁ ଦଳରୁ ସସ୍ପେଣ୍ଡ କରିଥିଲା । ପ୍ରଭାତଙ୍କ ଯୋଗୁଁ ବିଜେଡ଼ିରେ ଲାଗିଥିବା କଳଙ୍କକୁ ସସ୍ପେଣ୍ଡ ଆଦେଶ ଜରିଆରେ ସଫା କରିବାକୁ ଚେଷ୍ଟା କରିଥିଲା ଦଳ । ୪ ମାସ ଝାରପଡ଼ା ଜେଲ୍ରେ କାଟିବା ପରେ ପ୍ରଭାତ ମାର୍ଚ୍ଚ ୧୧,୨୦୧୫ରେ ମୁକୁଳିଥିଲେ । ତେବେ ଚିଟ୍ଫଣ୍ଡ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ଆଚ୍ଛାଦିତ କରି ରଖିଥିବା ଯୋଗୁଁ ବିଜେଡ଼ି ଉପରିଆ ପ୍ରଭାତଙ୍କୁ କୋଳକୁ ଫେରାଇ ଆଣିବାକୁ ସାହାସ କରିନି । ମାତ୍ର ଭିତରେ ପ୍ରଭାତଙ୍କୁ ବିଜେଡ଼ି କୋଳେଇ ସାରିଛି ଏବଂ ପ୍ରଭାତ ବି ପ୍ରଚ୍ଛଦରେ ବିଜେଡ଼ି କୋଳକୁ ଫେରି ବେଶ୍ କୁତୁକୁତୁ ଅଛନ୍ତି ।