ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ହେଲା ମାତ୍ରେ ବିଜେଡ଼ିର ବଡଠାରୁ ସାନ ଯାଏଁ ସମସ୍ତଙ୍କ ପାଟିରୁ ଲାଳ ବୋହିଲାଣି । ନବୀନଙ୍କ ଶୁଭଦୃଷ୍ଟି ପାଇଁ ସମସ୍ତେ ବ୍ୟାକୁଳ । ଆଶାୟୀ ସଂଖ୍ୟା ୧୦୦ରୁ ଆରମ୍ଭ ହୋଇଛି । ଆଗକୁ ତାହା କେତେ ହେବ ତାହା ଏବେଠୁଁ ଆକଳନ କରିବା ମୁସ୍କିଲ୍ । ଆସନ୍ତା ୨୧ ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଥିବାରୁ ଯେଝା ବାଟରେ ଯେଝା ଲବି କରିବା ଆରମ୍ଭ କରିଦେଇଛନ୍ତି ।
ଏମିତିରେ କଳ୍ପତରୁ ଦାସଙ୍କ ମୃତ୍ୟୁ ପରେ ଖାଲିପଡ଼ିଥିବା ଗୋଟିଏ ଆସନ ପାଇଁ ଆଶାୟୀଙ୍କ ସଂଖ୍ୟା ୧୦୦ ଟପିଥିଲା । ମାତ୍ର ବହୁ ବର୍ଷରୁ ରାଜ୍ୟସଭାକୁ ଚାତକ ପରି ଚାହିଁଥିବା ନରି ସ୍ୱାଇଁଙ୍କ ମୁଣ୍ଡରେ ନବୀନ ଶେଷରେ ସୁନା କଳସ ଢ଼ାଳିଥିଲେ । ଏଥିରେ ଆଶାୟୀମାନେ ନିରାଶ ହୋଇଥିଲେ । ଏଥର ତିନି ତିନିଟି ଆସନ ଝୁଲିଛି ଆଶାୟୀଙ୍କ ମୁଣ୍ଡରେ । ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡ଼ା ଏବଂ ଭୂପିନ୍ଦର ସିଂଙ୍କ କାର୍ଯ୍ୟକାଳ ପୂରୁଥିବାରୁ ତାଙ୍କ ଜାଗା ପୂରଣ ହେବ । ଗତବର୍ଷର ରାଜ୍ୟସଭା ନିର୍ବାଚନ ବେଳେ ଏକମାତ୍ର ଆସନ ପାଇଁ ଯେଉଁମାନଙ୍କ ନାଁ ଚର୍ଚ୍ଚା ହେଉଥିଲା ସେହିମାନଙ୍କ ନାଁ ଗଡ଼ିଆସିଛି ଏଥର ଚର୍ଚ୍ଚାକୁ । ପ୍ରତାପ ଦେବ, ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ, ସାରଦା ନାୟକ, ରଘୁନାଥ ମହାପାତ୍ର,ଏନ୍.ଭାସ୍କର ରାଓ, ରବିନାରାୟଣ ନନ୍ଦ, ସୁରେନ୍ଦ୍ର ନାଥ ନାୟକ ଇତ୍ୟାଦି ଇତ୍ୟାଦି ।
ବିଜେଡ଼ି ଗଣିତକୁ ଦେଖିଲେ ଭୂପିନ୍ଦର ସିଂଙ୍କୁ ପୁନର୍ବାର ରାଜ୍ୟସଭାରେ ସୁଯୋଗ ଦେବାକୁ ଚାହିଁପାରନ୍ତି ନବୀନ । ଗତ ସାଧାରଣ ନିର୍ବାଚନ ବେଳେ ୨୦୧୪ ମାର୍ଚ୍ଚରେ ଭୂପିନ୍ଦର କଂଗ୍ରେସ ତାହାପୁଣି ବିରୋଧୀ ଦଳ ନେତା ପଦ ଛାଡ଼ି ବିଜେଡ଼ିରେ ମିଶିଥିଲେ । ପୁରସ୍କାର ସ୍ୱରୂପ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ ନବୀନ । ଦୁଇବର୍ଷ କାର୍ଯ୍ୟକାଳ ବାକିଥିବା ଶଶୀଭୂଷଣ ବେହେରା ଜୟଦେବ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାରୁ ତାଙ୍କ ଜାଗା ନେଇଥିଲେ ଭୂପିନ୍ଦର । ପଶ୍ଚିମ ଓଡ଼ିଶା ସମୀକରଣରେ ଭୂପିନ୍ଦର ସିଂ ପୁନର୍ବାର ଗଲେ ପ୍ରସନ୍ନ ଆଚାର୍ଯ୍ୟଙ୍କ ବାଟ ବନ୍ଦ ହୋଇଯିବ । ଏମିତିରେ ନବୀନଙ୍କ ଗୁଡ଼ବୁକ୍ରେ ପ୍ରସନ୍ନ ଆଚାର୍ଯ୍ୟ ନାହାନ୍ତି । ଏଭଳି ସ୍ଥିତିରେ ତାଙ୍କର ରାଜ୍ୟସଭା ପ୍ରାର୍ଥୀତ୍ୱ ଆଶା କମ୍ ବୋଲି କୁହାଯାଉଛି ।
ଦକ୍ଷିଣ ଓଡ଼ିଶାରୁ ରାଜ୍ୟସଭାରେ ପ୍ରତିନିଧିତ୍ୱ ନ ଥିବାରୁ ଏନ.ଭାସ୍କର ରାଓଙ୍କ ନାଁ ଚର୍ଚ୍ଚା ହେଉଛି । ରାଜ୍ୟସଭା ପାଇଁ ଭାସ୍କର ରାଓ ଏବେ ନୁହେଁ ଅନେକ ବର୍ଷ ତଳୁ ଲବିରେ ଅଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦରେ ନବୀନ ତାଙ୍କୁ ଥଇଥାନ କରିଥିଲେ ମଧ୍ୟ ସେଥିରେ ସେ ସନ୍ତୁଷ୍ଟ ନାହାନ୍ତି । ଦଳୀୟ ପାଣ୍ଠି ଯୋଗାଡ଼ରେ ଓସ୍ତାଦ୍ ଏନ୍.ଭାସ୍କରଙ୍କୁ ସନ୍ତୁଷ୍ଟ କରିବାକୁ ନବୀନ ଚାହିଁଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ତେବେ ପୂର୍ବତନ ମନ୍ତ୍ରୀ ତଥା ଜୟପୁର ଆସନରୁ ପରାଜିତ ବିଜେଡ଼ି ପ୍ରାର୍ଥୀ ରବିନାରାୟଣ ନନ୍ଦ ବି ଦାବିଦାର ତାଲିକାରେ ଗତଥରଠୁଁ ଅଛନ୍ତି । ମାତ୍ର ତାଙ୍କର ପ୍ରାର୍ଥୀତ୍ୱ ସମ୍ଭାବନା କ୍ଷୀଣ ବୋଲି ଧରାଯାଉଛି ।
ଆଉ ରହିଲା ଉପକୂଳ ଅଞ୍ଚଳର ସମୀକରଣ । ଅବସର ନେଉଥିବା ପ୍ୟାରୀମୋହନ ମହାପାତ୍ର ଓ ବୈଷ୍ଣବ ପରିଡ଼ା ଉପକୂଳ ଅଞ୍ଚଳରୁ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ଜାଗା ସେହି ଉପକୂଳ ଅଞ୍ଚଳକୁ ଯିବ ବୋଲି ଅନେକ ଆଶା ବାନ୍ଧିଛନ୍ତି । ସେଥିରେ ପ୍ରତାପ ଦେବଙ୍କ ନାଁ ବେଶୀ ଚର୍ଚ୍ଚା ହେଉଛି । ତେବେ ଯାହା ଖବର ପ୍ରତାପ ଦେବଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନଙ୍କ ମନ ନାହିଁ । ଶେଷ ମୁହୂର୍ତ୍ତରେ କ’ଣ ହେବ ତାହା କହି ନହେଲେ ମଧ୍ୟ ପ୍ରତାପ ଦେବ ଯେ ରାଜ୍ୟସଭା ଯିବାକୁ ଗୋଟାପଣେ ଆଶା ବାନ୍ଧିଛନ୍ତି ତାହା ଦଳରେ କାହାରିକୁ ଅଛପା ନାହିଁ । ତାଙ୍କ ଭଳି ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ନିଜର ପରିଣତ ବୟସରେ ବି ରାଜ୍ୟସଭା ଲୋଭ ଛାଡ଼ିନାହାନ୍ତି । ଆଶା କରୁଛନ୍ତି, ମୁଖ୍ୟମନ୍ତ୍ରୀ ତାଙ୍କ ବିଧାନସଭା ଟିକେଟ କାଟି ଅତୀତରେ ଯେଉଁ ଭୁଲ୍ କରିଥିଲେ ତାହାର ପ୍ରାୟଶ୍ଚିତ କରିବେ ।
ସବୁଠାରୁ ବେଶୀ ଆଶାବାନ୍ ହୋଇପଡ଼ିଛନ୍ତି ବିଷ୍ଣୁ ଦାସ । ଏକରେ ଉପକୂଳ ଅଞ୍ଚଳର ପ୍ରତିନିଧି ଓ ଦ୍ୱିତୀୟରେ ଦଳିତ ବର୍ଗର ସମୀକରଣକୁ ସେ ନିଜ ପକେଟରେ ଧରିଛନ୍ତି । ରାଜ୍ୟସଭାରେ ଦଳିତବର୍ଗର ପ୍ରତିନିଧିତ୍ୱ ନ ଥିବାରୁ ସେ ହିଁ ଏକମାତ୍ର ଯୋଗ୍ୟ ପ୍ରାର୍ଥୀ ବୋଲି ବିଷ୍ଣୁ ମନେ କରୁଛନ୍ତି । ତେବେ ଚିଟ୍ଫଣ୍ଡ ଓ ସଞ୍ଜୟ ଦାସବର୍ମାଙ୍କ ମାମଲାରେ ନବୀନ ବିରୋଧୀ ମନ୍ତବ୍ୟ ତାଙ୍କ ପାଇଁ ଘାତକ ଭଳି ଛିଡ଼ା ହୋଇଛି । ବିଷ୍ଣୁଙ୍କ ଏଭଳି ଆଚରଣ ଦଳବିରୋଧୀ ହୋଇଥିବାରୁ ନବୀନ ତାଙ୍କ ଉପରେ କ୍ଷୁବ୍ଧ ଥିବା କୁହାଯାଉଛି । ଅନ୍ୟପକ୍ଷରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ପରମ ଶତ୍ରୁ ବିଷ୍ଣୁ ଦାସଙ୍କୁ ରାଜ୍ୟସଭା ପଠାଇ ଦାମଙ୍କୁ ଅଧିକ ଅସନ୍ତୁଷ୍ଟ କରି ରଖିବାକୁ ନବୀନ ଚାହିଁ ନ ପାରନ୍ତି । ଦଳିତବର୍ଗ ସମୀକରଣରେ ଗଲେ ବିଜେପି ଛାଡ଼ି ବିଜେଡ଼ିକୁ ଆସିଥିବା ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁରଙ୍କ ନାଁ ଚର୍ଚ୍ଚା ହେଉଛି । ନବୀନ ତାଙ୍କୁ ରାଜ୍ୟସଭା ଟୋପି ପିନ୍ଧାଇବା କିଛି ବିଚିତ୍ର ନୁହେଁ ।
ବିଜେଡ଼ି ସମର୍ଥନ ସତ୍ତ୍ୱେ ରାଜ୍ୟସଭା ହାରି ଆଶାୟୀ ଖାତାରେ ନାଁ ଗଡାଉଥିବା ବିଶିଷ୍ଟ ଶିଳ୍ପୀ ପଦ୍ମଭୂଷଣ ରଘୁନାଥ ମହାପାତ୍ରଙ୍କ ମନରୁ ରାଜ୍ୟସଭା ଲୋଭ ଛାଡ଼ିନି । ରାଜ୍ୟ ସରକାର ତାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦରେ ଥଇଥାନ କରିଥିଲେ ମଧ୍ୟ ସେ ରାଜ୍ୟସଭା କଥା ଭୁଲିନାହାନ୍ତି । ତେବେ ରାଜନୀତିର ଛକାପଂଝାରେ ରଘୁନାଥ ମହାପାତ୍ର ଯେ ଅଲୋଡ଼ା ତାହା ସ୍ପଷ୍ଟ ବୁଝାପଡୁଛି । ଅଣରାଜନେତା ଭାବେ ପୂର୍ବତନ ଡିପ୍ଲୋମାଟ୍ ଲଳିତ ମାନସିଂହ, ପ୍ରଖ୍ୟାତ ଫିଲ୍ମ ନିର୍ଦେଶକ ନୀଳମାଧବ ପଣ୍ଡା ଓ ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡାଙ୍କ ନାଁ ବି ଆସିଛି ଚର୍ଚ୍ଚାକୁ । ସବୁଠାରୁ ବଡ଼କଥା, ଏଥର ରାଜ୍ୟସଭା ଚର୍ଚ୍ଚାରେ ମିଡ଼ିଆ ବାରନ୍ ତଥା ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ନାଁ ଧସେଇ ପଶିଛି । କୁଆଡେ ନବୀନ ତାଙ୍କୁ ବିଜେଡ଼ିକୁ ଆଣି ରାଜ୍ୟସଭା ପଠାଇବାକୁ ଆଗ୍ରହୀ । ତେବେ ଖୋଦ୍ ସୌମ୍ୟରଂଜନ ଏହାକୁ ଖଣ୍ଡନ କରିଥିବାରୁ ଏହି ଚର୍ଚ୍ଚାର ସତ୍ୟତା ଏବେ ଅନ୍ଧାରରେ ।
ଏହା ସତ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମତିଗତିର ଟେର୍ ମିଳିବା ଅସମ୍ଭବ । ଛାଇପରି ରହୁଥିବା ନେତାମାନେ ବି ତାଙ୍କ ମନର କଥା ଆକଳନ କରିପାରନ୍ତି ନାହିଁ । ତେଣୁ ୩ ଟି ଯାକ ଆସନରେ କାହାରିକୁ କେଉଁଠୁ ଆଣି ଥୋଇବେ ଶେଷ ମୁହୁର୍ତ୍ତ ଯାଏଁ ତାହାର ଆଦିଅନ୍ତ ମିଳିବା କଷ୍ଟସାଧ୍ୟ । ମିଡ଼ିଆରେ କେବଳ ଚର୍ଚ୍ଚା କରିବା ଛଡ଼ା କୌଣସି ସିଦ୍ଧାନ୍ତରେ ପହଞ୍ଚିବା ସମ୍ଭବ ନୁହେଁ । ସୁତରାଂ ନବୀନ ଏକା ଜାଣନ୍ତି ସେ କାହାରିକୁ ରାଜ୍ୟସଭା ପଠାଇବେ । ସୂଚନାଯୋଗ୍ୟ ଯେ ବିଧାନସଭାରେ ୧୧୭ ସଭ୍ୟ ଥିବାରୁ ବିଜେଡ଼ି ଅନାୟାସରେ ତିନିଟି ଯାକ ଆସନ ଅକ୍ତିଆର କରିବ । ପ୍ରତି ପ୍ରାର୍ଥୀଙ୍କୁ ୩୭ ଖଣ୍ଡ ଭୋଟ ଦେଇ ଦଳ ହାତରେ ୬ ଟି ଭୋଟ ବଳିବ ।