ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଧାରଣା ଦେଇଥିବା ବିରୋଧୀ ଦଳର ଏସ୍ସି/ଏସ୍ଟି ବିଧାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ବାସିରେ ପଚାରିନାହାନ୍ତି । ନ୍ୟାୟଭିକ୍ଷା କରି ବିଧାୟକମାନେ ତାଙ୍କ ଗୋଡ଼ତଳେ ପଡ଼ିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଏଡାଇ ଚାଲିଯାଇଛନ୍ତି । ଆଜି(ଶୁକ୍ରବାର) ବିଧାନସଭା ଆରମ୍ଭରେ ଏହି ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଆଉ ଏତିକିରେ ବାଚସ୍ପତି ପ୍ରଶ୍ନୋତ୍ତର କାଳ ବାତିଲ କରି ଗୃହକୁ ୧୨.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରୁ ଧାରଣାରତ ଏସ୍ସି/ଏସ୍ଟି ବିଧାୟକମାନଙ୍କୁ ଗତକାଲି ବାହୁବଳ ଲଗାଇ ଟେକି ଫିଙ୍ଗି ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ସେମାନଙ୍କ ପାଇଁ ଅଘୋଷିତ କର୍ଫୁଜାରି କରାଯାଇଥିଲା । ମାତ୍ର ବିଧାୟକମାନେ ଧାରଣାରୁ ନ ହଟି ବାଚସ୍ପତିଙ୍କ ଚାମ୍ବର ଆଗରେ ବସିଥିଲେ । ଗତକାଲି ଅପରାହ୍ନରେ ବିରୋଧୀ ଦଳ ନେତାଙ୍କ ଅନୁରୋଧକ୍ରମେ ସେମାନେ ଗୃହ ମଧ୍ୟକୁ ଆସି ଧାରଣା ଦେଇଛନ୍ତି । ତମାମ ରାତି ସେମାନେ ଗୃହ ଭିତରେ କାଟିଛନ୍ତି । ଆଜି ବିଧାନସଭା ଆରମ୍ଭରେ ସ୍ୱର୍ଗତ ରଘୁନାଥ ପଟ୍ଟନାୟକଙ୍କ ପ୍ରତି ଗୃହରେ ଶୋକପ୍ରସ୍ତାବ ଆଲୋଚନା ହୋଇଥିଲା । ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ଧାରଣାରତ ବିଧାୟକମାନେ ନିଜ ଆସନକୁ ନ ଫେରି ସେହି ଜାଗାରେ ଠିଆ ହୋଇ ସେମାନଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେବେ ଶ୍ରଦ୍ଧାଞ୍ଜଳି ଅର୍ପଣ ସରିବା କ୍ଷଣି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଗୋଡ଼ ତଳେ ସାଷ୍ଟାଙ୍ଗ ହୋଇ ପଡ଼ିଯାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି ଶୁଣନ୍ତୁ ବୋଲି ଗୁହାରିଆ ପଡ଼ିଥିଲେ ସେମାନେ ।
ଏତିକିରେ ମୁଖ୍ୟମନ୍ତ୍ରୀ ହଡ଼ବଡ଼େଇ ଯାଉଥିବା ବେଳେ ଦଳର ଚେଲାଚାମଣ୍ଡାମାନେ ତାଙ୍କ ଆସନ ପାଖକୁ ଧାଇଁ ଆସିଥିଲେ । ଆଉ ନିମିଷକେ ମୁଖ୍ୟମନ୍ତ୍ରୀଙ୍କୁ ଏସ୍କର୍ଟ କରି ଗୃହ ବାହାରକୁ ନେଇ ଯାଇଥିଲେ । ଆଦିବାସୀ ଓ ହରିଜନଙ୍କ ସ୍ୱାର୍ଥ ପାଇଁ ନ୍ୟାୟଭିକ୍ଷା କରୁଥିବା ଧାରଣାରତ ବିରୋଧୀ ବିଧାୟକଙ୍କ ବିନମ୍ର ଗୁହାରି ମୁଖ୍ୟମନ୍ତ୍ରୀଙ୍କ ଉପରେ କାଣିଚାଏ ବି ପ୍ରଭାବ ପକାଇଲାନି । ସେପଟେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ବାତିଲ କରି ଗୃହକୁ ତ୍ତକ୍ଷଣାତ ମୁଲତବୀ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ବିଧାନସଭା ମାହୋଲ ବେଶ୍ ସରଗରମ ରହିଛି ।