ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଗଣମାଧ୍ୟମ ପାଇଁ ସକାଳ ୯ଟାରୁ ବନ୍ଦ ହୋଇଗଲା ବିଧାନସଭା ମୁଖ୍ୟ ଗେଟ୍ । ଶାସକ ଦଳର ମନ୍ତ୍ରୀ,ଏମଏଲଏମାନେ ଘଣ୍ଟାଏ ପୂର୍ବରୁ ଭୁସୂଭାସ୍ ପହଞ୍ଚିଲେ ବିଧାନସଭା ପରିସର । ତାପରେ ଆରମ୍ଭ ହୋଇଗଲା ଅପରେସନ୍ । ଦୁଇ ଡର୍ଜନ ମାର୍ଶାଲ(ସୁରକ୍ଷାକର୍ମୀ) ଘେରିଗଲେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ଧାରଣାରତ ଅନୁସୂଚିତ ଜାତି/ଜନଜାତି ବର୍ଗର କଂଗ୍ରେସ ଓ ବିଜେପି ବିଧାୟକଙ୍କୁ । ଦୋଳାରେ ବାଲିବସ୍ତା ଫୋପାଡ଼ିଲା ଭଳି ଜଣ ଜଣ କରି ବିଧାୟକଙ୍କୁ ସେଠାରୁ ଫୋପାଡ଼ି ଦେଲେ ମାର୍ଶାଲ୍ । ତାହା ପୁଣି ଖୋଦ୍ ଶାସକ ଦଳର ମୁଣ୍ଡିମାନଙ୍କ ଉପସ୍ଥିତିରେ । ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଚାରିପାଖେ ନିଜେ ସୁରକ୍ଷାକର୍ମୀ ସାଜିଲେ ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ବିଜେଡ଼ି ବିଧାୟକ । ଆଉ ମୁଖ୍ୟମନ୍ତ୍ରୀ ପହଞ୍ଚିବା କ୍ଷଣି ତାଙ୍କ ଚାମ୍ବରକୁ ବାଟ କଡ଼େଇ ନେଲେ ସେମାନେ । ସେପଟେ ଘଟଣାସ୍ଥଳରୁ ରୋକ୍ ଲାଗିଥିବା ସାମ୍ବାଦିକମାନେ ବିଧାନସଭା ଭିତରକୁ ପଶି ନ ପାରି ଧାରଣାରେ ବସିଗଲେ । ତେବେ ଭିତର ଅରାଜକତା ଶେଷ ହେଲା ପରେ ଯାଇ ସାମ୍ବାଦିକମାନଙ୍କ ପାଇଁ ଖୋଲିଲା ବିଧାନସଭା ଗେଟ୍ ।
ଗୁରୁବାର ଏହା ଥିଲା ବିଧାନସଭା ଆରମ୍ଭ ପୂର୍ବରୁ ବାହାରର ଦୃଶ୍ୟ । ଶାସକ ଦଳ ନିଜର ସଂଖ୍ୟା ଓ ବାହୁବଳରେ ହାତଗଣତି ବିରୋଧୀଙ୍କ ସାମନା ପାଇଁ ରଚିଥିଲେ ଏହି କୁତ୍ସିତ ନାଟକ । ଖୋଦ୍ ତୃତୀୟ ମହଲାର ନିର୍ଦେଶନାରେ ପୂର୍ବ ସଂଧ୍ୟାରେ ରଚା ହୋଇଥିଲା ନାଟକ । ନବୀନଙ୍କ ସାରଥୀ ସାଜିଥିବା ଅଧିକାଂଶ ମନ୍ତ୍ରୀ ଓ କିଛି ବିଧାୟକ ଏକାଠି ହୋଇ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଆଉ ସେହି ବ୍ଲୁ ପ୍ରିଣ୍ଟ୍ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ ହୋଇଥିଲା । ଜନମତ, ଗଣମାଧ୍ୟମ କାହାରିକୁ ସେମାନଙ୍କର ଖାତିର ନ ଥିଲା । ଏକମାତ୍ର ଏଜେଣ୍ଡା ଥିଲା ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ବିରୋଧୀ ବିଧାୟକମାନେ ବସିପାରିବେ ନାହିଁ କି ମୁଖ୍ୟମନ୍ତ୍ରୀଙ୍କ ଯାତ୍ରାପଥରେ ବାଧା ଦେବେନି । ନବୀନ ହେଉଛନ୍ତି ରାଜ୍ୟର ରାଜା । ଲୋକଙ୍କ ମତ ତାଙ୍କ ସାଥୀରେ ଅଛି । ସେହି ବଳରେ ବିରୋଧୀଙ୍କ ସ୍ୱର ଉଠିବାକୁ ଦିଆଯିବନି କି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ ହେବାକୁ ଦିଆଯିବନି । ଖୋଦ୍ ସରକାର ଓ ଶାସକ ଦଳର ଏଭଳି ଆଭିମୁଖ୍ୟ ଆଜି ଲୁଚାଛପା ନ ଥିଲା ।
ସବୁଠାରୁ ବଡ଼ ବିଡ଼ମ୍ବନା ହେଉଛି ଶାସକ ଦଳର ଆଭିମୁଖ୍ୟରେ ବିଧାନସଭାର ସୁପ୍ରିମୋ ତଥା ବାଚସ୍ପତି ନିରଞ୍ଜନ ପୂଜାରୀ ବି ସାମିଲ୍ ହୋଇଯାଇଛନ୍ତି । ବିଧାନସଭାରେ କୌଣସି ଆନ୍ଦୋଳନ/ଧାରଣାକୁ ସେ ଅସିଦ୍ଧ ଘୋଷଣା କରି ସୁରକ୍ଷାକର୍ମୀ ଓ ଶାସକ ଦଳ ଦ୍ୱାରା ବିରୋଧୀ ଦଳ ହଟାଓ ଅପରେସନ୍କୁ ପରୋକ୍ଷରେ ସମର୍ଥନ ଜଣାଇଛନ୍ତି । ବାଚସ୍ପତିଙ୍କ ଦ୍ୱାରା ବିରୋଧୀ ସଭ୍ୟଙ୍କ ଆନେ୍ଦାଳନ ଅସିଦ୍ଧ ଘୋଷଣାଟି ଶାସକ ଶିବିରର ବ୍ଲୁ ପ୍ରିଣ୍ଟ ବୋଲି ମଧ୍ୟ ସ୍ପଷ୍ଟ ହୋଇଛି । ସଂଖ୍ୟା ଓ ବାହୁବଳରେ ଯେଉଁ ଢ଼ଙ୍ଗରେ ବିରୋଧୀ ସଭ୍ୟଙ୍କ ଆନ୍ଦୋଳନ/ଧର୍ମଘଟକୁ ଦମନ କରାଗଲା ତାହା ବିଧାନସଭା ଇତିହାସରେ ଆଉ ଏକ କଳଙ୍କ ଯୋଡିଛି । ଏଇ ସାମାନ୍ୟ ଘଟଣାରେ ଶାସକ ଦଳ ଛାନିଆଁ ହୋଇ ଏଭଳି ଆତଙ୍କରାଜ କରିବା ରାଜନୈତିକ ମାହୋଲକୁ ବିସ୍ମିତ କରିଛି । ମୁଖ୍ୟମନ୍ତ୍ରୀ ସେଠାକୁ ଆସି ଧାରଣାରତ ବିଧାୟକଙ୍କ ସହ ଆଲୋଚନା କରିଦେଇଥିଲେ କଥା ଏତେ ବାଟ ବଢ଼ି ନ ଥାଆନ୍ତା । ମାତ୍ର ସଂଖ୍ୟାବଳର ଅହଂକାରରେ ଏତିକି ନ କରି ଅରାଜକତା ସୃଷ୍ଟି କରିବା ପଛରେ ବିଜେଡ଼ିର ଆଭିମୁଖ୍ୟକୁ ବୁଦ୍ଧିଜୀବୀ ମହଲ ଗ୍ରହଣ କରିନାହାନ୍ତି ।
ଆଦିବାସୀ, ହରିଜନ ପ୍ରୀତି ଦେଖାଉଥିବା ବିଜେଡ଼ି ଦଳ ଓ ସରକାରଙ୍କ ପାଇଁ ଏହି ଘଟଣା ନିଶ୍ଚିତ ଭାବେ ବୁମେରାଂ ସଦୃଶ ହୋଇଛି । ଶାସକ ଶିବିରର ଏଭଳି ରଣକୌଶଳ ନୀତି, ଆଦର୍ଶ ଓ ଗଣତନ୍ତ୍ରରେ ବିଶ୍ୱାସ ରଖିଥିବା ସାଧାରଣ ଜନତାଙ୍କ ମନ ଚହଲାଇ ଦେଇଛି । ରିପୋର୍ଟ ଲେଖା ହେଲା ବେଳକୁ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବରକୁ ଘେରି ରହିଛନ୍ତି ସୁରକ୍ଷାକର୍ମୀ । ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ଆଗରେ ଚା,ଫଳ ଖାଇ ସେମାନେ ମାନବ ଶୃଙ୍ଖଳ ସୃଷ୍ଟି କରିଛନ୍ତି । ସେପଟେ ବିରୋଧୀ ଦଳର ଆନ୍ଦୋଳନରତ ବିଧାୟକମାନେ ବାଚସ୍ପତିଙ୍କ ଚାମ୍ବର ଆଗରେ ଆମରଣ ଅନଶନ ଜାରି ରଖିଛନ୍ତି ।





