ଭୁବନେଶ୍ୱର: ସାତକୋଶିଆ ବାଘ ଅଭୟାରଣ୍ୟରେ ହେଲିକପ୍ଟର ଉଡ଼ାଣର ମଜ୍ଜା ନେଇଥିବା ବୈଜୟନ୍ତ ପଣ୍ଡା ଖୁବ୍ ଶୀଘ୍ର କାଠଗଡ଼ାକୁ ଭିଡ଼ା ହେବେ । ଚାପି ରହିଥିବା ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀସ୍ତରରେ ତନାଘନା ଆରମ୍ଭ ହୋଇଛି । ୮ ବର୍ଷ ଧରି ବୈଜୟନ୍ତଙ୍କୁ ସୁରକ୍ଷା ଦେଇଆସୁଥିବା ରାଜ୍ୟ ସରକାର ଏବେ ତାଙ୍କର ଗୋହି ଖୋଳିବାକୁ ତତ୍ପର ହୋଇଛନ୍ତି । ଅତି ଶୀଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବିଚାର କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଏଥିପାଇଁ ଜଙ୍ଗଲ ବିଭାଗକୁ ଆବଶ୍ୟକ ପ୍ରସ୍ତୁତି ପାଇଁ କୁହାଯାଇଥିବା ସେ କହିଛନ୍ତି ।
ଥରେ ୨୦୦୯ ନଭେମ୍ବରରେ ଏବଂ ଆଉ ଥରେ ୨୦୧୦ ସେପ୍ଟେମ୍ବରରେ ଭିଟି-ଆଇଏମଏଫ ରେଜିଷ୍ଟ୍ରେସନ୍ ଥିବା ଇମଫା ହେଲିକପ୍ଟର ଉଡ଼ିଥିଲା ନିଷିଦ୍ଧ ସାତକୋଶିଆ ଅଭୟାରଣ୍ୟ ଭିତରେ । ସାଂସଦ ବୈଜୟନ୍ତ ନିଜର ଶିଳ୍ପପତି ବନ୍ଧୁଙ୍କୁ ହେଲିକପ୍ଟରରେ ଧରି ସାତକୋଶିଆ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ । ଅଭୟାରଣ୍ୟର ମାତ୍ର କେଇ ମିଟର ଉଚ୍ଚରେ ଚକ୍କର କାଟି ବାଘ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ନିରୀକ୍ଷଣ କରୁଥିଲେ । ଘଟଣାଟି ସମସ୍ତଙ୍କ ନଜରରୁ ଦୂରେଇ ରହିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଏହାର ପର୍ଦ୍ଦଫାସ କରିଥିଲେ । ସରକାରୀସ୍ତରରେ ଚାଲିଲା ତନାଘନା । ତେବେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବୈଜୟନ୍ତ ନିଜ ପ୍ରଭାବ ବଳରେ ମାମଲାକୁ ଚପାଇ ରଖିବାରେ ସମର୍ଥ ହେଲେ ।
ତେବେ ୨୦୧୦ ଡିସେମ୍ବର ୧୮ ତାରିଖରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରି ଚିଠି ଲେଖିଥିଲେ । ସାତକୋଶିଆ ଅଭୟାରଣ୍ୟ ଭଳି ନିଷିଦ୍ଧ ଇଲାକାରେ ହେଲିକପ୍ଟରର ବେଆଇନ ଉଡ଼ାଣ ଉପରେ ରାଜ୍ୟ ସରକାରଙ୍କଠାରୁ କୈଫିୟତ ମାଗିଥିଲେ । ଅଭୟାରଣ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଏଭଳି ହୀନକାର୍ଯ୍ୟକୁ ସେ କଡ଼ା ଭାଷାରେ ନିନ୍ଦା କରିଥିଲେ । ୱାଇଲଡ଼ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ର ଏହା ଖୋଲା ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ୍ କରିଥିଲେ ।
କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ସରକାରୀସ୍ତରରେ କିଛିଟା ତତ୍ପରତା ପ୍ରକାଶ ପାଇଥିଲା । ୩୧.୧୨.୨୦୧୦ରେ ସାତକୋଶିଆ ଡିଏଫଓ ଏ ସମ୍ପର୍କରେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଲେ । ୱାଇଲଡ଼ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ର ଏହା ଖୋଲା ଉଂଲ୍ଲଘନ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ମତ ସହ ଏକମତ ହେଲେ । ବାସ୍ ସେତିକିରେ ଅଟକି ଗଲା ମାମଲା । ବୈଜୟନ୍ତଙ୍କ ଭଳି ପ୍ରଭାବଶାଳୀ ସାଂସଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନକୁ ସରକାର ଏଡ଼ାଇଦେଲେ । ମାତ୍ର ଏବେ ବୈଜୟନ୍ତ ସରକାରଙ୍କୁ ଚିତା କାଟିବା ପରେ ଚେତା ପଶିଛି । ତାଙ୍କ ବିରୋଧରେ ମାମଲା ଆରମ୍ଭ କରିବାକୁ ବିଜେଡ଼ିର ବରିଷ୍ଠ ନେତାମାନେ ଚାପ ପକାଇଛନ୍ତି ।
ସୂଚନାଯୋଗ୍ୟ, ୱାଇଲଡ଼ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ ଏକ କଡ଼ା ଆଇନ । ଏଥିରେ ଜେଲଦଣ୍ଡର ବ୍ୟବସ୍ଥା ଅଛି । ଖାଲି ସେତିକି ନୁହେଁ, କମ୍ ଉଚ୍ଚତାରେ(୫୦୦ ମିଟରରୁ କମ୍!) ହେଲିକପ୍ଟର ଉଡ଼ାଣର ଅଭିଯୋଗ ଥିବାରୁ ସେଥିପାଇଁ ଉଦ୍ଦିଷ୍ଟ ଏୟାରକ୍ରାଫ୍ଟ ଆଇନ ବି କଠୋର । ବୈଜୟନ୍ତ ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ହେଲିକପ୍ଟର ସିଜ୍ ହେବା ସହ ବୈଜୟନ୍ତଙ୍କ ପାଇଲଟିଂ ଲାଇସେନସ୍ ସାମୟିକ ଭାବେ ରଦ୍ଦ ହୋଇପାରେ । ବିଦେଶରେ ମଧ୍ୟ ଏଥିପାଇଁ ବୈଜୟନ୍ତଙ୍କୁ ଅସୁବିଧାର ସାମନା କରିବାକୁ ପଡ଼ିପାରେ । ଅତୀତରେ ଥାପର୍ କମ୍ପାନୀର ଏକ ହେଲିକପ୍ଟର ଓ ଚାଳକଙ୍କୁ ଏଭଳି ଦଣ୍ଡ ଭୋଗିବାର ନଜିର ରହିଛି । ଦିଲ୍ଲୀର ତିସ୍ ହଜାରୀ କୋର୍ଟ ସେହି ମାମଲାରେ ଦଣ୍ଡ ଶୁଣାଇଥିଲେ ।
ସତକହିଲେ ଓଡ଼ିଶାର ଜଙ୍ଗଲ ବିଭାଗ ,ଗୃହବିଭାଗ, ଆଦି ଏତେ ତତ୍ପର ଯେ 8 ବର୍ଷ ଲାଗିଗଲା ହେଲେ ଫଳ କିଛି ଆସିନି,
ମୁଁ ଭାବୁଛି ଏଗୁଡିକ ଗଣି-ତନ୍ତ୍ର (ohh sorry ଗଣତନ୍ତ୍ର) ପାଇଁ