କେନ୍ଦ୍ରାପଡ଼ା: ବିଜେଡ଼ିରୁ ନିଲମ୍ବିତ ହେବାର ୧୦ ଦିନ ପରେ ଆଜି ନିଜ ନିର୍ବାଚନମଣ୍ଡଳୀ ଆସିଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ପଟ୍ଟାମୁଣ୍ଡାଇ ଅଣ୍ଡରାରେ ପାଣିଟାଙ୍କି ଉଦଘାଟନ କରିବା ସହ ମାର୍ଶାଘାଇ ବ୍ଲକ୍ ରେ ନିଜ ସମର୍ଥକଙ୍କ ଦ୍ୱାରା ଆୟୋଜିତ ଏକ ପ୍ରତିଭା ସମ୍ମାନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଥିଲା । ସାଂସଦ ପାଣିଟାଙ୍କି ଉଦଘାଟନ କରିଥିଲେ ମଧ୍ୟ ମାର୍ଶାଘାଇରେ ଧୋକା ଖାଇଗଲେ । ସେଠି ସାଂସଦ ପହଞ୍ଚିଲା ବେଳକୁ ଷ୍ଟେଜ୍ ଖାଲି । ଆୟୋଜକ ଚମ୍ପଟ୍ । ପ୍ରତିଭା ସମ୍ମାନ ଉତ୍ସବ ବାତିଲ । ଅପମାନିତ ସାଂସଦ ହାତଗଣତି ସମର୍ଥକଙ୍କ ମେଳରେ ଗାଁ ବୁଲି ଲୋକଙ୍କ ସହ ମିଶିବାକୁ ଚେଷ୍ଟା କଲେ । ଦୁଇ ପ୍ଲାଟୁନ୍ ପୁଲିସ କର୍ଡନ ଭିତରେ ଗସ୍ତ ସାରି ଫେରିଯାଇଥିଲେ ।
ମହାକାଳପଡ଼ା ନିର୍ବାଚନମଣ୍ଡଳୀର ମାର୍ଶାଘାଇ ବ୍ଲକ୍ ତାଳସଂଘରେ ସାଂସଦଙ୍କ ସମର୍ଥକମାନଙ୍କ ଦ୍ୱାରା କଣ୍ଠେଶ୍ୱର ମହାଦେବଙ୍କ ତୃତୀୟ ବାର୍ଷିକ ସମ୍ମାନ ଟାଲେଣ୍ଟ ଉତ୍ସବ ଆୟୋଜନ କରାଯାଇଥିଲା । ମାତ୍ର ବିଜେଡ଼ି ସମର୍ଥକମାନେ ଦଳରୁ ନିଲମ୍ବିତ ସାଂସଦଙ୍କୁ ଘୋର ବିରୋଧ କରୁଥିଲେ । ଫଳରେ ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୋଗ ଅନୁଯାୟୀ, ରାତିରେ କିଛି ଦୁର୍ବୃତ୍ତ ସାଂସଦଙ୍କ ସଭା ପାଇଁ ପ୍ରସ୍ତୁତ ମଞ୍ଚକୁ ଭାଙ୍ଗିଦେଇଥିଲେ । ତେବେ ସାଂସଦ ତାଙ୍କର କାର୍ଯ୍ୟକ୍ରମ କରିବାକୁ ଜିଦ୍ ଧରିଥିବା କୁହାଯାଉଛି । ତାଙ୍କ ସମର୍ଥକମାନେ ସଭା ସଫଳ କରିବା ପାଇଁ ପ୍ରବଳ ଉଦ୍ୟମ କରିଥିଲେ ମଧ୍ୟ ବିଜେଡ଼ି କର୍ମୀଙ୍କ ପ୍ରବଳ ବିରୋଧ ଯୋଗୁଁ ତାହା ସମ୍ଭବ ହୋଇ ନ ଥିଲା । ସାଂସଦ ନିଜ ସମ୍ମାନ ବଞ୍ଚାଇବାକୁ ସେଠାରେ ମୁହଁ ମାରି ଫେରିଲେ । ତେବେ ଏଭଳି ପରିସ୍ଥିତିର ବାସ୍ନା ପୂର୍ବରୁ ପାଇ ସାଂସଦ ରାଗି ସାରିଥିଲେ । ଅଣ୍ଡରାରେ ପାଣିଟାଙ୍କି ଉଦଘାଟନ ସାରି ବିଜେଡ଼ି ସରକାରକୁ ମନଇଚ୍ଛା ବର୍ଷିଥିଲେ । ଅବଶ୍ୟ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ୍ ନ କରି ସେଇ ତୃତୀୟ ମହଲା ବାବୁଙ୍କ ମୁଣ୍ଡରେ ଅଠା ବୋଳିଲେ ।
ସାଂସଦଙ୍କ ଏହି ଗସ୍ତକାଳରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦେଖି ପୋଷାକ/ସାଦା ପୋଷାକରେ ପ୍ରାୟ ୫୦୦ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିବା ଜଣାପଡ଼ିଛି । ନିଜେ ଏସପି ମାର୍ଶାଘାଇ ଥାନାରେ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଥିଲେ । ସେପଟେ ବୈଜୟନ୍ତଙ୍କୁ ସ୍ୱାଗତ କରିବା ପାଇଁ ବିଭିନ୍ନ ସ୍ଥାନରେ ଲଗାଯାଇଥିବା ହୋର୍ଡିଂ କୌତୁହଳ ସୃଷ୍ଟି କରିଛି । ସମର୍ଥକମାନେ ତାଙ୍କ ନାଁ ପଛରୁ ସାଂସଦ ପଦ ହଟାଇ ଇମଫାର ଉପସଭାପତି ଭାବେ ସମ୍ବୋଧନ କରିଛନ୍ତି । ଠିକ୍ ବିଜେଡ଼ି ଯେଭଳି ବୈଜୟନ୍ତଙ୍କ ଇମଫାର ଉପସଭାପତି ପରିଚୟଟିକୁ ଏବେ ଆଗକୁ ଆଣିଛି । ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ଚର୍ଚ୍ଚାର ବିଷୟ ହୋଇଛି ।