ଭୁବନେଶ୍ୱର: କିଛି ଦିନ ଚୁପ୍ ଥିଲେ । ହେଲେ ସେହି ପୁରୁଣା ବେମାରି ଯାଇନି । ବୈଜୟନ୍ତଙ୍କୁ ପାଣ୍ଡିଆନ୍ ରୋଗ ଲେଉଟିଛି । ସଂସଦରେ ବୈଜୟନ୍ତ ପଣ୍ଡା ଏକଘରିକିଆ ହେବା ପରେ ପାଣ୍ଡିଆନ୍ ଙ୍କ ନାଁ ନେଇ ପୁଣି ଟୁଇଟ୍ କରିଛନ୍ତି । ବିଜେଡ଼ିରୁ ନିଲମ୍ବିତ ହୋଇଥିବା ବୈଜୟନ୍ତଙ୍କ ସିଟ୍ ବଦଳେଇବା ପାଇଁ ଲୋକସଭା ବାଚସ୍ପତିଙ୍କୁ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଗତ ୬ ତାରିଖରେ ଚିଠି ଲେଖିଥିଲେ । ତେବେ ବୈଜୟନ୍ତ ଏହା ଉପରେ ଟୁଇଟ୍ କରି ପାଣ୍ଡିଆନ୍ ଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି । ଲେଖିଛନ୍ତି ‘ଏଥିରେ ଭର୍ତ୍ତୃହରିଙ୍କର କୌଣସି ଭୁଲ୍ ନାହିଁ । ସେ କେବଳ ତୃତୀୟ ମହଲା ପାଣ୍ଡିଆନ୍ ବାବୁଙ୍କ ନିର୍ଦ୍ଦେଶକୁ ହିଁ ପାଳନ କରିଛନ୍ତି’ ।
ବୈଜୟନ୍ତଙ୍କର ଏହି ଟୁଇଟ୍ କୁ ତାଙ୍କ ଟିଭି ବଡ଼ କରି ଦେଖେଇଛି । ତେବେ ଦଳରୁ ନିଲମ୍ବିତ ଜଣେ ସାଂସଦ ଏମିତି ବାଜ୍ୟ କଥା କହି ତାଙ୍କର କି ଅଧିକାର ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି ତାହା ରାଜନୈତିକ ପର୍ଯ୍ୟବେକ୍ଷକଙ୍କୁ ବିସ୍ମିତ କରିଛି । ବୈଜୟନ୍ତଙ୍କୁ ଏକଘରିକିଆ ପାଇଁ ବିଜୁ ଜନତା ଦଳ ଯେଉଁ ନିଷ୍ପତ୍ତି ନେଇଛି ତାହା ଏକ ସ୍ୱାଭାବିକ ପ୍ରକ୍ରିୟା । ଦଳରୁ ନିଲମ୍ବିତ ଜଣେ ସାଂସଦଙ୍କର ଦଳୀୟ ଫୋରମ୍ କିମ୍ବା ଦଳ ପକ୍ଷରୁ ପାର୍ଲିଆମେଣ୍ଟରେ ପ୍ରତିନିଧିତ୍ୱ କରିବାର ଅଧିକାର ହିଁ ନାହିଁ । ବାଚସ୍ପତିଙ୍କୁ ଏ ସମ୍ପର୍କରେ ଜଣାଇବା ଏକ ଔପଚାରିକତା ମାତ୍ର । ମାତ୍ର ବୈଜୟନ୍ତ ଏହି କଥାରେ ତୃତୀୟ ମହଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍ ଙ୍କୁ ଜଡ଼ିତ କରିବା ହାସ୍ୟାସ୍ପଦ ବୋଲି ଅନେକ ମତ ଦେଇଛନ୍ତି । ମାସେ କାଳ ଭିଡ଼ିଓଟାରି ପାଣ୍ଡିଆନ୍ ଙ୍କୁ ସବୁ ଦିନ ଟିଭିରେ ଦେଖାଇଲା ପରେ ବି ବୈଜୟନ୍ତଙ୍କର ମନ ଶାନ୍ତି ହୋଇନି କି ବୋଲି ପ୍ରଶ୍ନ ଉଠିଛି । ଏହାଦ୍ୱାରା ବୈଜୟନ୍ତ ବାରମ୍ବାର ନିଜକୁ ଛୋଟ କରୁଛନ୍ତି ବୋଲି ସମାଲୋଚନା ହୋଇଛି ।
ବୈଜୟନ୍ତଙ୍କର ଏଭଳି ହାବଭାବକୁ ବିଜେଡ଼ି ନେତାମାନେ ଜୋକର୍ ଆଖ୍ୟା ଦେଇଛନ୍ତି । ଦଳର ସମ୍ପାଦକ ବିଜୟ ନାୟକ କହିଛନ୍ତି, ‘ଜଣ୍ଡିସ୍ ରୋଗୀଙ୍କୁ ଦୁନିଆଟା ହଳଦିଆ ହଳଦିଆ ଦେଖାଯାଏ । ଠିକ୍ ସେହିଭଳି ବୈଜୟନ୍ତଙ୍କ ଦୁନିଆ ଏବେ ପାଣ୍ଡିଆନ୍ ସିଣ୍ଡ୍ରୋମ୍ ରେ ଆକ୍ରାନ୍ତ । ତାଙ୍କ ପାଇଁ ଯାହା ବି ଘଟଣା ଘଟୁଛି ତାହା ପାଣ୍ଡିଆନ୍ ମେଡ୍ । ବୈଜୟନ୍ତ ଏହି ଭ୍ରାନ୍ତରୁ ମୁକୁଳିଯାଆନ୍ତୁ’ ବୋଲି ଶ୍ରୀ ନାୟକ ପରାମର୍ଶ ଦେଇଛନ୍ତି ।