ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦେହରେ ଲାଗିଛି ପାଣ୍ଡିଆନ୍ ଭୂତ । ଯୁଆଡେ ଚାହୁଁଛନ୍ତି ସତେ ଯେମିତି ପାଣ୍ଡିଆନ୍ ଙ୍କ ଛାଇ ଦେଖୁଛନ୍ତି । କଥାକଥାକେ ପାଣ୍ଡିଆନ୍ ପାଣ୍ଡିଆନ୍ ହଉଛନ୍ତି । ଆଗରୁ ପାଣ୍ଡିଆନ୍ ଙ୍କ ନାଁ ନେଉ ନ ଥିଲେ । ହେଲେ ଏଣିକି ସମ୍ଭାଳି ପାରିନାହାନ୍ତି । ନିଜେ କହୁଛନ୍ତି, ପର ପାଟିରେ ଜବରଦସ୍ତ କୁହାଇ ଟିଭିରେ ଦେଖାଉଛନ୍ତି । ପାଣ୍ଡିଆନ୍ ଙ୍କୁ ଘଉଡ଼ାଇବା ପାଇଁ ନିଜ ଟିଭିକୁ ଜୋରସୋର ଲଗାଇ ଦେଇଛନ୍ତି । ବୈଜୟନ୍ତଙ୍କର ଏହି ଅବତାର ଏବେ ରାଜ୍ୟ ତମାମ ଚର୍ଚ୍ଚାର ବିଷୟ ହୋଇଛି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ପାଣ୍ଡିଆନ୍ ବିରୋଧୀ ସ୍ୱର କିଣିବାକୁ ବୈଜୟନ୍ତ ସାରା ରାଜ୍ୟରେ ଜାଲ ବିଛାଇଛନ୍ତି । ବିଜେପିକୁ ଗୋଡ଼ ଟେକିଥିବା ବିଜେଡ଼ି ନେତା ଓ ନେତ୍ରୀଙ୍କୁ ଏଥିପାଇଁ ଟାର୍ଗେଟ୍ କରାଯାଇଛି । ରମାରଂଜନ ବଳିଆରସିଂଙ୍କ ଭଳି ନେତାଙ୍କଠାରୁ କାର୍ଯ୍ୟ ଆରମ୍ଭ ବି ହୋଇସାରିଛି । ସେମାନଙ୍କ ଭଳି ନେତାଙ୍କ ପାଟିରେ ପାଣ୍ଡିଆନ୍ ଙ୍କ ନାଁ କୁହାଇ ତାକୁ ଜୋରଦାର ପ୍ରଚାର କରାଯାଉଛି, ଆଗକୁ ଜୋରଦାର ହେବ । ଏଥିସାଙ୍ଗକୁ ଭୁବନେଶ୍ୱରରେ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଘ ଓ ସଂଗଠନର ନେତାଙ୍କ ମୁହଁରେ ପାଣ୍ଡିଆନ୍ ଙ୍କ ନାଁ କୁହାଯାଇ ଜବରଦସ୍ତ କଭରେଜ୍ ଦିଆଯିବ । ଶିକ୍ଷକ ଆନ୍ଦୋଳନରୁ ଗତକାଲି ଏହାର ଶୁଭାରମ୍ଭ ହୋଇଛି । ନିଜ ହାତରେ ଟିଭି ଥିବାରୁ ବୈଜୟନ୍ତଙ୍କ ପାଇଁ ମିଶନ୍ ଅନାୟାସ ହୋଇଯାଇଛି । ସେଥିପାଇଁ ବୈଜୟନ୍ତ ନିଜ ଟିମ୍ କୁ ଭଲରକମ୍ ପ୍ରସ୍ତୁତ କରାଇଛନ୍ତି ।
ଏତେସବୁ କାମ ହାତକୁ ନେଲା ପରେ ବି ବୈଜୟନ୍ତ ନିଜେ ଯୁଦ୍ଧକ୍ଷେତ୍ରରୁ ହଟିନାହାନ୍ତି । ନିଜ ଟୁଇଟ୍ ର ହାଣ୍ଡଲ୍ କୁ ସମ୍ପୂର୍ଣ୍ଣ ପାଣ୍ଡିଆନ୍ ମୁଖୀ କରିଛନ୍ତି । ସେଥିରେ ନିର୍ଦ୍ଧୂମ ଗାଳି କରୁଛନ୍ତି । ଏରିଆରେ ପାଣିଟାଙ୍କି ଉଦଘାଟନ କରି ନ ପାରିଲେ ଦୋଷ ଦେଉଛନ୍ତି ପାଣ୍ଡିଆନ୍ ଙ୍କୁ । ପାଣ୍ଡିଆନ୍ ବିଜେଡ଼ିକୁ ତଳକୁ ନେଇଗଲେଣି ବୋଲି କହିଲେଣି ତ ପାଣ୍ଡିଆନ୍ ଆଇଏଏସ୍ ଚାକିରି ଛାଡ଼ି ରାଜନୀତି କରନ୍ତୁ ବୋଲି ଆହ୍ୱାନ ଦେଲେଣି । ପାଣ୍ଡିଆନ୍ ଙ୍କ କାର୍ଯ୍ୟର ତଦନ୍ତ ପାଇଁ ବି ଦାବି କଲେଣି ।
ସୋସିଆଲ୍ ମିଡ଼ିଆରେ ଜନୈକ ବ୍ରହ୍ମାକୁମାର ମହାନ୍ତି ଏ ପ୍ରସଙ୍ଗରେ ବଢ଼ିଆ ପ୍ରଶ୍ନ ଉଠାଇଛନ୍ତି । ବୈଜୟନ୍ତଙ୍କୁ ବିଜେଡ଼ିର ଏକଦା ଜଣେ ଗ୍ରେଟେଷ୍ଟ ଇନସାଇଡର ଭାବେ ବର୍ଣ୍ଣନା କରି ତାଙ୍କଠାରୁ ସତ୍ୟ କ’ଣ ଜାଣିବାକୁ ଚାହିଁଛନ୍ତି । ଏବେ ସେ ଯେଉଁ ଆଇଏଏସ୍ ଙ୍କ କଥା କହୁଛନ୍ତି ତାଙ୍କରିଠାରୁ ସେ ଏବଂ ପରିବାର ଉପକୃତ ହୋଇନାହାନ୍ତି କି ? ଇଏ ସେହି ପାଣ୍ଡିଆନ୍ ନୁହଁନ୍ତି କି ଯିଏ ଓଟିଭିର ପ୍ରତିଦ୍ୱନ୍ଦୀ ଇଟିଭିକୁ ମାରି ଓଟିଭି ଦର୍ଶକ ବଢ଼ାଇବାରେ ସାହାଯ୍ୟ କରିଥିଲେ ? ଇଏ ସେହି ପାଣ୍ଡିଆନ୍ ନୁହଁନ୍ତି କି ଯିଏ ଇମଫାର ୪୩୫ କୋଟି ଟଙ୍କା ବକେୟା ବିଜୁଳି ବିଲ୍ ସେଟେଲ୍ ଉଦ୍ୟମରେ ସାହାଯ୍ୟ କରିଥିଲେ ? ଇମଫା ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ନ ହେବା ପଛରେ ପାଣ୍ଡିଆନ୍ ଙ୍କ ଭୂମିକା ନାହିଁ କି ?