ଭୁବନେଶ୍ୱର: ‘ବିଜେଡ଼ିକୁ ଭୋଟ ଦେଲେ ପୁରସ୍କାର ମିଳିବ । ଯେଉଁ ଗାଁ ଅଧିକ ଲିଡ୍ ଦେବ, ସେହି ଗାଁକୁ ଅଧିକ ପୁରସ୍କାର ମିଳିବ ।’ ବିଜେପୁର ଉପନିର୍ବାଚନ ସଭାରେ ସରକାରଙ୍କ ପକ୍ଷରୁ ଏଭଳି ପ୍ୟାକେଜ୍ ଘୋଷଣା କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ଅରୁଣ ସାହୁ । ଆଜି ବରପାଲି ବ୍ଲକ୍ ର ଚାରପାଲି ଗ୍ରାମରେ ଏକ ନିର୍ବାଚନୀ ସଭାରେ ଅରୁଣଙ୍କ ଏହି ଭାଷଣ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି । ବିଜେଡ଼ିର ଏହା ଭୋଟ ପାଇଁ ଲାଞ୍ଚ ବୋଲି ବିଜେପି ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି । ଏହା ନିର୍ବାଚନ ଆଚରଣର ଉଲ୍ଲଂଘନ ବୋଲି ଦଳ ଅଭିଯୋଗ କରି ଅରୁଣଙ୍କୁ ବିଜେପୁରରୁ ତଡ଼ିପାର କରିବାକୁ ଦାବି କରିଛି ।
ବିଜେଡ଼ି ସପକ୍ଷରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅରୁଣଙ୍କ ଭାଷଣ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବିଜେପୁର ଉପନିର୍ବାଚନ ଜିତିବା ପାଇଁ ଦଳର ହୀନ ଉଦ୍ୟମକୁ ଏହା ଧରା ପକେଇଦେଇଛି । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଭୋଟରଙ୍କୁ ପ୍ରଭାବିତ କରିବାର ଏଭଳି ଚାଲ୍ ବିଜେଡ଼ିକୁ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ଅପରପକ୍ଷେ, ବିଜେପି ପାଇଁ ଏହା ବଢ଼ିଆ ଇସ୍ୟୁ ହୋଇଛି । ସରକାର ଓ ବିଜେଡ଼ିକୁ ଘାଇଲା କରିବାକୁ ବିଜେପି ଶିବିର ପ୍ରସ୍ତୁତ ହୋଇଯାଇଛି ।
ବିଜେପୁର ଉପନିର୍ବାଚନୀ ତାତି ଜୋର୍ ଧରୁଥିବା ବେଳେ ବିଜେଡ଼ି ଆଜି ୪୦ ଜଣିଆ ଷ୍ଟାର୍ କ୍ୟାମ୍ପେନର୍ ତାଲିକା ଘୋଷଣା କରିଛି । କିଛି ଅପାରଗ ଓ କଳଙ୍କିତ ଚେହେରାଙ୍କୁ ତାଲିକାରେ ସ୍ଥାନ ମିଳିଥିବାରୁ ଖୋଦ୍ ଦଳୀୟ ମହଲରେ ବିସ୍ମୟ ପ୍ରକାଶ ପାଇଛି । ଷ୍ଟାର୍ କ୍ୟାମ୍ପେନର୍ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ସେମାନେ ଲୋକଙ୍କଠାରୁ ଭୋଟ ଗୋଟାଇବାରେ କିଭଳି ସମର୍ଥ ହେବେ ବୋଲି ଅନେକ ପ୍ରଶ୍ନ କରିଛନ୍ତି । ତେବେ ବିଜେଡ଼ି ପାଇଁ ବଡ଼ ଆଶ୍ୱସ୍ତି ହେବେ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୧୯ ଓ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନ ପ୍ରଚାରରେ ଯିବେ ବୋଲି କାର୍ଯ୍ୟକ୍ରମ ସ୍ଥିର ହୋଇଛି ।