ଭୁବନେଶ୍ୱର: ଗତଥର କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେଡ଼ି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିଜ ପଦବୀ ଓ ରୋଜଗାର ଲୁଚାଇ ନିର୍ବାଚନ କମିଶନଙ୍କ ପାଖରେ ମିଥ୍ୟାପାଠ ଦେଇଥିଲେ । ମାତ୍ର ଚଳିତ ନିର୍ବାଚନର ପ୍ରାର୍ଥୀ ଭାବେ ବୈଜୟନ୍ତ ତଥ୍ୟ ଲୁଚାଇ ନାହାନ୍ତି । ସତ୍ୟପାଠ ଦାଖଲ କରିଛନ୍ତି । ଇମ୍ଫାର ଉପସଭାପତି ପଦରେ ବର୍ଷକୁ ୨ କୋଟି ରୋଜଗାର କରୁଥିବା ଜଣାଇଛନ୍ତି । ଗତଥର ତଥ୍ୟ ଲୁଚାଇ ସେ କେନ୍ଦ୍ରାପଡ଼ାବାସୀଙ୍କୁ ଠକିଥିବା ଏବେ ନିଜେ ମାନିଛନ୍ତି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବୈଜୟନ୍ତଙ୍କୁ ଏଭଳି ଘେରିଛି ବିଜେଡ଼ି । ବୈଜୟନ୍ତଙ୍କ ୨୦୧୪ ମସିହା ଆଫିଡେଭିଟ୍ ଓ ୨୦୧୯ ମସିହା ଆଫିଡେଭିଟ୍ ଦେଖାଇ ଗୁମର ଖୋଲିଛନ୍ତି ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର । ସେ କହିଛନ୍ତି, ୨୦୧୪ ନିର୍ବାଚନ ସତ୍ୟପାଠରେ ବୈଜୟନ୍ତ ପଣ୍ଡା ନିଜକୁ କେବଳ ଜଣେ ସିଟିଂ ଏମପି ବୋଲି ଦର୍ଶାଇଥିଲେ । ତାଙ୍କର କୌଣସି ବ୍ୟବସାୟିକ କାରବାର ଏବଂ ଇମ୍ଫା ମାଇନିଂ କମ୍ପାନୀ ଉପାଧ୍ୟକ୍ଷ ପଦର ଉଲ୍ଲେଖ ନଥିଲା । ବୈଜୟନ୍ତ ତଥ୍ୟ ଲୁଚାଇ ଲୋକଙ୍କୁ ଠକିଛନ୍ତି ବୋଲି ୨୦୧୮ ମସିହା ମାର୍ଚ୍ଚରେ କେନ୍ଦ୍ରାପଡ଼ାବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା । ସେମାନଙ୍କ ଅଭିଯୋଗ ଆଧାରରେ ବୈଜୟନ୍ତଙ୍କ ବିରୋଧରେ ଜନ ପ୍ରତିନିଧି ଆଇନ,୧୯୫୧ ଉଲ୍ଲଂଘନ ନେଇ ଥାନାରେ ଫୈାଜଦାରୀ ମାମଲା ରୁଜୁ ହୋଇଥିଲା ।
ସେହି ଚାପରେ ଥିବା ବୈଜୟନ୍ତ ଚଳିତଥର ବାଧ୍ୟ ହୋଇ ସତ ସତ୍ୟପାଠ ଦେଇଛନ୍ତି । ସତ୍ୟପାଠ ଆଇଟମ୍ ନଂ ୯୮ରେ ସେ ୨୮.୧୦.୨୦୧୮ରୁ ୩ ବର୍ଷ ପାଇଁ ମାସକୁ ୧୭ ଲକ୍ଷ ଟଙ୍କା ପାରିଶ୍ରମିକ(ବାର୍ଷିକ ୨ କୋଟିରୁ ଅଧିକ)ରେ ଇମ୍ଫାର ଉପାଧ୍ୟକ୍ଷ ପଦରେ ନିଯୁକ୍ତ ହୋଇଥିବା ଦର୍ଶାଇଛନ୍ତି । ଇମ୍ଫା ଉପାଧ୍ୟକ୍ଷ ପଦରେ ବୈଜୟନ୍ତ ତାଙ୍କ ନିଯୁକ୍ତିର ତାରିଖକୁ ଅକ୍ଟୋବର ୨୦୧୮ ବୋଲି ଚତୁରତାର ସହ ଉଲ୍ଲେଖ କରି ୨୦୧୪ ମସିହାର ଦୋଷ ଘୋଡ଼ାଇବାକୁ ଚେଷ୍ଟା କରିଛନ୍ତି । ମାତ୍ର ୨୦୧୩-୧୪ ଏବଂ ୨୦୧୪-୧୫ ଇମ୍ଫାର ବାର୍ଷିକ ରିପୋର୍ଟରେ ବୈଜୟନ୍ତ କମ୍ପାନୀର ଉପାଧ୍ୟକ୍ଷ ବୋଲି ଉଲ୍ଲେଖ ରହିଛି । ତାଙ୍କର ବାର୍ଷିକ ଦରମା ୧.୦୪ କୋଟି ଟଙ୍କା ବୋଲି ସେଥିରେ ଦର୍ଶାଯାଇଛି । ମାତ୍ର ୨୦୧୪ ସତ୍ୟପାଠରେ ସେହି ତଥ୍ୟକୁ ବୈଜୟନ୍ତ ଲୁଚାଇ ଏବେ ତାହା ଖୋଲିଛନ୍ତି ବୋଲି ଡ. ପାତ୍ର କହିଛନ୍ତି ।
କେନ୍ଦ୍ରାପଡ଼ାବାସୀଙ୍କ ବିଶ୍ୱାସ ସହ ବୈଜୟନ୍ତ ଖେଳି ସେମାନଙ୍କୁ ଠକିଛନ୍ତି । ତାଙ୍କର ଅସଲ ଚେହେରା ପଦାରେ ପଡ଼ିଯାଇଛି । ବର୍ତ୍ତମାନ ପୁଣି ଥରେ ସାଂସଦ ପ୍ରାର୍ଥୀ ହୋଇଥିବାରୁ କେନ୍ଦ୍ରାପଡ଼ାବାସୀଙ୍କୁ ପୂର୍ବ ଠକାମିର ଜବାବ ଦେବାକୁ ପଡ଼ିବ ବୋଲି ଡ. ପାତ୍ର କହିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ. ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲତା ଦେଓ ମଧ୍ୟ ବୈଜୟନ୍ତଙ୍କ ମିଥ୍ୟା ସତ୍ୟପାଠ କାରନାମାକୁ ନେଇ ବିଷୋଦଗାର କରିଥିଲେ ।
ବିଜେଡ଼ିର ଅଭିଯୋଗ ସଂକ୍ରାନ୍ତରେ ଏ ପର୍ଯ୍ୟନ୍ତ ବୈଜୟନ୍ତଙ୍କର କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।