ଭୁବନେଶ୍ୱର: ଆଜି ନିର୍ବାଚନ ହୋଇଥିବା ୪ ଟି ଲୋକସଭା ଓ ୨୮ଟି ବିଧାନସଭା ଆସନରେ କାହାର ଭାଗ କେତେ? ରାଜନୀତିରେ ରୁଚି ରୁଖିଥିବା ସବୁ ବ୍ୟକ୍ତି ବିଶେଷଙ୍କ ପାଇଁ ଏହାର ଉତ୍ତର ଏବେ ଦୁର୍ମୁଲ୍ୟ ହୋଇଯାଇଛି । ଏହାର ଆକଳନ ପାଇବା ପାଇଁ ସମସ୍ତଙ୍କ ମନରେ ବ୍ୟଗ୍ରତା । ଅଳ୍ପ କେତୋଟି ଆସନକୁ ଛାଡ଼ିଦେଲେ ଅଧିକାଂଶ ଆସନରେ ବିଜେଡ଼ି ଓ ବିଜେପି ମଧ୍ୟରେ ଲଢ଼େଇ ହୋଇଥିବା କୁହାଯାଉଛି ।
କୌତୁହଳର କଥା, ମତଦାନ ସରୁ ସରୁ ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି ଆମେ ତିନି ଚତୁର୍ଥାଂଶ ଆସନ ଦଖଲ କରି ନିଶ୍ଚିତ ସରକାର ଗଢ଼ିବୁ । ଯୁବବର୍ଗ ଭୋଟରମାନେ ମୋଦିଙ୍କୁ ଭୋଟ ଦେଇଛନ୍ତି ବୋଲି ତାଙ୍କର ଦାବି । ତେବେ ଏହି ଆକଳନ ସେ ଭୁବନେଶ୍ୱରରେ ବସି ଜାଣିଦେଲେ ନା ଖାଲି ହାୱା କରିବା ଆଳରେ କହିଦେଲେ ତାହା ଜଣାପଡ଼ିନାହିଁ ।
ସେପଟେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବି ଦୃଢ଼ ଆଶାବାଦୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ଭୋଟ ଦେଇଥିବା ମତଦାତାଙ୍କୁ ସେ ଧନ୍ୟବାଦ ଜଣାଇବା ସହ ୨୦୧୪ ନିର୍ବାଚନଠାରୁ ଚଳିତ ନିର୍ବାଚନରେ ବିଜେଡ଼ି ଭଲ ପ୍ରଦର୍ଶନ କରିବ ବୋଲି ଦମ୍ଭ ଦେଖାଇଛନ୍ତି । ତେବେ ନିର୍ଦ୍ଦିଷ୍ଟ ସଂଖ୍ୟାର ଆକଳନ କରିନାହାନ୍ତି ନବୀନ । ଆଜି ନୁହେଁ, ବହୁ ପୂର୍ବରୁ ନବୀନ ଏହି ଦମ୍ଭ ଦେଖାଇ ଆସୁଛନ୍ତି । ଏଥର ନିର୍ବାଚନରେ ବିଜେଡ଼ି ବହୁତ ଭଲ ପ୍ରଦର୍ଶନ କରି ପଞ୍ଚମ ଥର ପାଇଁ ସରକାର ଗଢ଼ିବ ବୋଲି ବାରମ୍ବାର କହୁଛନ୍ତି ।
ଆଜି ନିର୍ବାଚନ ଅନୁଷ୍ଠିତ ହୋଇଥିବା ଆସନଗୁଡ଼ିକର ପୂର୍ବସ୍ଥିତି ଦେଖିଲେ ବିଜେଡ଼ି ହାତରେ ୪ ଟି ଯାକ ଲୋକସଭା ଆସନ ରହିଥିଲା । ସେହିଭଳି ୨୮ଟି ବିଧାନସଭା ଆସନରୁ ୨୦ଟି ଥିଲା ବିଜେଡ଼ି ହାତରେ । ବିଜେପି ହାତରେ ନୂଆପଡ଼ା(ବସନ୍ତ ପଣ୍ଡା), ଖରିଆର(ଦୁର୍ଯୋଧନ ମାଝୀ) ଥିବା ବେଳେ କଂଗ୍ରେସ ହାତରେ ଡାବୁଗାଁ(ଭୁଜବଳ ମାଝୀ), କୋଟପାଡ(ଚନ୍ଦ୍ରଶେଖର ମାଝୀ), ଲକ୍ଷ୍ମୀପୁର(କୈଳାସ ଚନ୍ଦ୍ର କୁଲେସିକା), କୋରାପୁଟ(କୃଷ୍ଣଚନ୍ଦ୍ର ସଗରିଆ), ଜୟପୁର(ତାରାପ୍ରସାଦ ବାହିନୀପତି) ଏବଂ ପାରଳାଖେମୁଣ୍ଡି(କେଙ୍ଗମ୍ ସୂର୍ଯ୍ୟ ରାଓ) ଆସନ ରହିଥିଲା । ତେଣୁ ଏଥର ବିଜେଡ଼ି, କଂଗ୍ରେସ ଓ ବିଜେପି କିଏ କେତେ ଉପରକୁ ଉଠୁଛି ନା ତଳକୁ ଖସୁଛି ତାହା ମେ ୨୩ ତାରିଖରେ ହିଁ ଜଣାପଡ଼ିବ ।