ଅଭିଜିତ୍ ଆୟାରଙ୍କ ଜାମିନ ଆବେଦନ ଅଗ୍ରାହ୍ୟ
ଭୁବନେଶ୍ୱର: ତମେ ଭାରତୀୟଙ୍କ ଧାର୍ମିକ ଭାବନାକୁ ଜଳେଇଛ । ତମ ପାଇଁ ଶ୍ରେଷ୍ଠ ସୁରକ୍ଷିତ ଜାଗା ହେଉଛି ଜେଲ୍ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଆଜି ଏଭଳି କଡ଼ା ମନ୍ତବ୍ୟ ଦେଇଛନ୍ତି ବୈଜୟନ୍ତ ପଣ୍ଡାଙ୍କ ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ଉଦ୍ଦେଶ୍ୟରେ । ଓଡ଼ିଶା ଏବଂ କୋଣାର୍କ ମନ୍ଦିର ଉପରେ ଅରୁଚିକର, ସାମ୍ପ୍ରଦାୟିକତା ମନ୍ତବ୍ୟ ଦେଇଥିବା ଆୟାର ନିଜ ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ । ଏହାର ଶୁଣାଣି କରି ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ନାକଚ କରିଦେଇଛନ୍ତି । ତମର ଜୀବନ ପ୍ରତି ଯଦି ବିପଦ ଅଛି ବୋଲି ଭାବୁଛ ତେବେ ତମ ପାଇଁ ଜେଲ୍ ହିଁ ସବୁଠାରୁ ସୁରକ୍ଷିତ ଜାଗା ବୋଲି ସୁପ୍ରିମକୋର୍ଟ ଶୁଣାଇ ଦେଇଛନ୍ତି ।
କୋଣାର୍କ ଥାନାରେ ହୋଇଥିବା ଏକ ଏତଲା ଭିତ୍ତରେ ଅଭିଜିତ୍ ଆୟାର ଗତ ୨୦ ତାରିଖରେ ଦିଲ୍ଲୀରେ ଗିରଫ ହୋଇଥିଲେ । ତେବେ ସ୍ଥାନୀୟ ସକେତ କୋର୍ଟରୁ ସେ ଅନ୍ତରୀଣ ଜାମିନ୍ ପାଇଯାଇଥିଲେ । ସେପ୍ଟେମ୍ବର ୨୮ ତାରିଖରେ ତାଙ୍କୁ କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପୂର୍ବରୁ ୨୭ ତାରିଖରେ ଆୟାର ସୁପ୍ରିମକୋର୍ଟରେ ପିଟିସନ୍ ଦେଇ ଓଡ଼ିଶାରେ ଓକିଲଙ୍କ ଆନ୍ଦୋଳନର ବାହାନା ରଖିଥିଲେ । ସୁପ୍ରିମକୋର୍ଟ ତାଙ୍କର ଅନ୍ତରୀଣ ଜାମିନ୍ କୁ ଅକ୍ଟୋବର ୫ ତାରିଖ ଯାଏଁ ବଢ଼ାଇ ଦେଇଥିଲେ । ଇତିମଧ୍ୟରେ ଆୟାର ସୁପ୍ରିମକୋର୍ଟରେ ନିୟମିତ ଜାମିନ୍ ଆବେଦନ କରିଥିଲେ । ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।
ସୁପ୍ରିମକୋର୍ଟଙ୍କଠାରୁ ଚୋଟ ପାଇବା ପରେ ଦିନକ ପରେ ଅଭିଜିତ୍ ଗିରଫ ହେବା ସୁନିଶ୍ଚିତ ହୋଇଯାଇଛି । ଏଥିସହ ତାଙ୍କୁ ଓଡ଼ିଶା ଆଣି ହେଲିକପ୍ଟରରେ ବୁଲାଇଥିବା ପରମବନ୍ଧୁ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମଧ୍ୟ ଏହା ଶକ୍ତ ଚଟକଣି ହୋଇଛି । ଗତ ସେପ୍ଟେମ୍ବର ୧୫ ତାରିଖରେ ବୈଜୟନ୍ତ ତାଙ୍କର ଦୁଇ ଅଣଓଡ଼ିଆ ବନ୍ଧୁଙ୍କୁ ନିଜ ହେଲିକପ୍ଟରରେ ବସାଇ ଚିଲିକା, ପୁରୀ,କୋଣାର୍କ ବୁଲାଇଥିଲେ । ବୈଜୟନ୍ତଙ୍କର ତଥାକଥିତ ସ୍ମାର୍ଟ ବନ୍ଧୁ ଅଭିଜିତ୍ କୋଣାର୍କରେ ଓହ୍ଲାଇ ମନ୍ଦିର ସାମନାରେ ନିଜର ଏକ ଭିଡ଼ିଓ ସୁଟ୍ କରିଥିଲେ । ସେଥିରେ ସେ କୋଣାର୍କ ମନ୍ଦିରକୁ ସାଂଘାତିକ ତାତ୍ସଲ୍ୟ କରିଥିଲେ । ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି,ଐତିହ୍ୟକୁ ଦଳିଚକଟି ଦେଇଥିଲେ । ଦୁଇଦିନ ପରେ ତାକୁ ନିଜ ସୋସିଆଲ୍ ମିଡ଼ିଆରେ ପୋଷ୍ଟ କରି ବାହାଦୁରି ମାରିଥିଲେ ।
ଏହା ରାଜ୍ୟବାସୀଙ୍କ ମନରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ସମସ୍ତେ ନିନ୍ଦା କଲେ । ବିଧାନସଭା ବି ଥରହର ହେଲା । ବିଧାନସଭାରେ ଏହି ପ୍ରତିକ୍ରିୟାକୁ ବି ଅଭିଜିତ୍ ତାତ୍ସଲ୍ୟ କରି ସବୁ ବିଧାୟକଙ୍କୁ ବୁଦ୍ଦୁ ବୋଲି ଟିପ୍ପଣୀ ଦେବାକୁ ପଛାଇଲେ ନାହିଁ । ତେବେ ଓଡ଼ିଶାର ଇଜ୍ଜତକୁ ଲୁଟିବାକୁ ଉଦ୍ୟମ କରିଥିବା ଏହି ଅଣଓଡ଼ିଆର ଆଚରଣ ଓ କାର୍ଯ୍ୟ ତାଙ୍କର ବନ୍ଧୁ ବୈଜୟନ୍ତଙ୍କୁ ଆଘାତ ଦେଲାନି । ବହୁ ଡେରିରେ ପ୍ରତିକ୍ରିୟା ରଖି ତାଙ୍କୁ ଓଲଟି ସୁରକ୍ଷା ଦେବାକୁ ଉଦ୍ୟମ କଲେ । କୋଣାର୍କ ଉପରେ ଅଭିଜିତ୍ ଆୟାର ଯାହା କହିଛନ୍ତି ମଜ୍ଜାରେ କହିଥାଇପାରନ୍ତି ବୋଲି ନିର୍ଲ୍ଲଜ ଟିପ୍ପଣୀ ଦେଲେ । ଖାଲି ସେତିକି ନୁହେଁ, ତାଙ୍କ ଟିଭିରେ ଅଭିଜିତ ବିରୋଧୀ ଖବରକୁ ଗୌଣ କରିଦିଆଗଲା । ବିଧାନସଭା ହୁଲସ୍ତୁଲ ହୋଇ ଗୃହ କମିଟି ଗଠନ ହୋଇଥିଲେ ମଧ୍ୟ ତାଙ୍କ ଟିଭି ଏହାକୁ ଗୁରୁତ୍ୱ ଦେଲାନି । ଦିଲ୍ଲୀରେ ପୁଲିସ ଅଭିଜିତ୍ ଙ୍କୁ ଗିରଫ କଲା ପରେ ତାଙ୍କୁ ତୁରନ୍ତ ଜାମିନ୍ ରେ ଆଣିବା ପାଇଁ ହୋଇଥିବା ଆଇନଗତ ଲଢ଼େଇରେ ବୈଜୟନ୍ତଙ୍କ ସହଯୋଗ ଥିବା ମଧ୍ୟ ଚର୍ଚ୍ଚା ହୋଇଥିଲା ।