ଭୁବନେଶ୍ୱର: ବନ୍ଧୁ ଅଭିଜିତ୍ ଆୟାର ମିତ୍ରଙ୍କ ବେଲ୍ ପିଟିସନ୍ ଖାରଜ କରି ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟ ବୈଜୟନ୍ତ ପଣ୍ଡାଙ୍କୁ ବୋଧହୁଏ ଜୋରରେ ବାଧିଛି । ତାଙ୍କ ଟିଭିରେ ଖବରଟିକୁ ଗୁରୁତ୍ୱହୀନ କରିଦିଆଯାଇଥିବାରୁ ସାଧାରଣରେ ଏଭଳି ଧାରଣା ସୃଷ୍ଟି ହୋଇଛି । ଜନମାନସରେ ଖବରର ଗୁରୁତ୍ୱ କମାଇବାକୁ ଭରପୂର ଉଦ୍ୟମ ହୋଇଛି । ନିଜ ବନ୍ଧୁପ୍ରେମ ଆଗରେ ସମଗ୍ର ଓଡ଼ିଶାର ସ୍ୱାଭିମାନକୁ ବୈଜୟନ୍ତ ତୁଚ୍ଛ କରିଦେଇଥିବା ଏଥିରୁ ଧରାପଡ଼ିଯାଉଛି । ଆଜି ସଂଧ୍ୟାରେ ତାଙ୍କ ଟିଭିର ପ୍ରାଇମ୍ ବୁଲେଟିନ୍ ହିଁ ବୈଜୟନ୍ତଙ୍କ ଅସଲ ଚେହେରା ସାମନାକୁ ଆଣିଛି ।
ଅଣଓଡ଼ିଆ ବନ୍ଧୁ ଅଭିଜିତ୍ ଙ୍କୁ ଓଡ଼ିଶାକୁ ଡାକି ବୈଜୟନ୍ତ ନିଜ ହେଲିକପ୍ଟରରେ ବୁଲାଇଥିଲେ । ପୁରୀ, କୋଣାର୍କରେ ତାଙ୍କୁ ବୁଲାଇବା ବେଳେ ଅଭିଜିତ୍ ମହାପ୍ରଭୁ ଜଗନ୍ନାଥ ଓ କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ଟିପ୍ପଣୀ ଦେଇଥିଲେ ଓ ତାକୁ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିଲେ । ସାରା ଓଡ଼ିଶାରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଉପରେ ପ୍ରଚଣ୍ଡ କୁଠାରଘାତକୁ ଓଡ଼ିଶାବାସୀ ଗ୍ରହଣ କରି ନାହାନ୍ତି । ମାମଲାରେ ଅଭିଜିତ୍ ଗିରଫ ହୋଇ ଅନ୍ତରୀଣ ଜାମିନ୍ ରେ ଅଛନ୍ତି । ସୁରକ୍ଷା ଆଳ ଦେଖାଇ ଅଭିଜିତ୍ କରିଥିବା ଜାମିନ୍ ପିଟିସନ୍ କୁ ଆଜି ସୁପ୍ରିମକୋର୍ଟ ଖାଲି ଅଗ୍ରାହ୍ୟ କରିନାହାନ୍ତି, କଡ଼ା ଭାଷା ଶୁଣାଇଛନ୍ତି । ‘ତମେ ଭାରତୀୟଙ୍କ ଧାର୍ମିକ ଭାବନାକୁ ଜଳେଇଛ । ତମ ପାଇଁ ସବୁଠାରୁ ସୁରକ୍ଷିତ ଜାଗା ଜେଲ୍’ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେଇଛନ୍ତି ।
ମାତ୍ର ଓଡ଼ିଶାର ସ୍ୱାଭିମାନ ସମ୍ବଳିତ ଏତେ ବଡ଼ ଖବରଟି ବୈଜୟନ୍ତ ପଣ୍ଡାଙ୍କ ଟିଭି ଚାନେଲ ପାଇଁ ଗୁରୁତ୍ୱ ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଜି ସଂଧ୍ୟାରେ ସବୁ ଚାନେଲ ସ୍ୱାଭାବିକ ଭାବେ ଏହାକୁ ମୁଖ୍ୟ ଖବର କରିଥିଲେ ମଧ୍ୟ ବୈଜୟନ୍ତଙ୍କ ଟିଭିରୁ ଏହା ଖୋଜିବାକୁ ପଡ଼ିଥିଲା । ବହୁ କଷ୍ଟ ହେଲା ଭଳି ଖବରଟି ଶେଷ ଆଡକୁ ଚୁଟକିରେ ସାରି ଦିଆଯାଇଥିଲା । ସତେ ଯେମିତି ଖବରଟି ପ୍ରଚାର କରି ଦର୍ଶକଙ୍କୁ ଦୟା କରାଯାଇଥିଲା । ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟକୁ ଖବରରେ ଆଦୌ ସ୍ଥାନିତ କରା ନ ଯାଇ କେବଳ ଅଭିଜିତ୍ ଙ୍କ ଜାମିନ୍ ଆବେଦନ ଖାରଜ ହେଲା ବୋଲି କୁହାଯାଇଥିଲା । ମାଲିକଙ୍କ ବିନା ନିର୍ଦ୍ଦେଶରେ ଗୋଟିଏ ପ୍ରଫେସନାଲ୍ ଖବର ସରବରାହ ସଂସ୍ଥା କେବେ ବି ଏମିତି କରିପାରିବ? ନିଜକୁ ନିରପେକ୍ଷ ଓ ଲୋକଙ୍କ ହୃଦୟର ସ୍ୱର ଦାବି କରୁଥିବା ଚାନେଲଠାରୁ ଦର୍ଶକ ଏହି ଆଶା ରଖିବେ? ଆଜି ସାଧାରଣ ଲୋକଙ୍କ ମନରେ ଏହି ପ୍ରଶ୍ନ ।
ସୂଚନାଥାଉକି, ଓଡ଼ିଶା ଓ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ଦଳିଚକଟି ଦେଇଥିବା ବୈଜୟନ୍ତଙ୍କର ଏହି ବନ୍ଧୁଙ୍କୁ ସାରା ଓଡ଼ିଶାରେ ସମାଲୋଚନା ହେଉଥିବା ବେଳେ ବୈଜୟନ୍ତ କହିଥିଲେ ଅଭିଜିତ୍ ମଜ୍ଜାରେ ଏଭଳି କହିଥାଇପାରନ୍ତି । ପରେ ସବୁ ବିଧାୟକଙ୍କୁ ସେ ବୁଦ୍ଦୁ ବୋଲି କହିଥିଲେ ମଧ୍ୟ ବୈଜୟନ୍ତଙ୍କ ପ୍ରତିକ୍ରିୟା ନ ଥିଲା । ଏପରିକି ବିଧାନସଭାରେ ଦଳମତ ନିର୍ବିଶେଷରେ ତାଙ୍କ ମନ୍ତବ୍ୟ ବିରୋଧରେ ସ୍ୱର ଉଠି ଗୃହ କମିଟି ଗଠନ ହେବା ଖବରଟି ବୈଜୟନ୍ତଙ୍କ ଟିଭି ପାଇଁ ସେଦିନ ଗୁରୁତ୍ୱ ହେଲାନି । କିଛି ଦିନ ତଳେ ସେହି ଅଣଓଡ଼ିଆ ବନ୍ଧୁଙ୍କୁ ପର କହି ବୈଜୟନ୍ତ ଭ୍ରମ ସୃଷ୍ଟି କରିଥିଲେ । ମାତ୍ର ସେ ପର ନୁହଁନ୍ତି ତାଙ୍କର ପରମ ବନ୍ଧୁ ବୋଲି ଆଜି ପୁଣି ଥରେ ପ୍ରମାଣିତ କରିଛନ୍ତି ।