ଭୁବନେଶ୍ୱର: ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ୍ ଆୟାରଙ୍କ ଅନ୍ତରୀଣ ଜାମିନ୍ ମିଆଦ ଆଜି ସରିଛି । ହେଲେ କୋଣାର୍କ ଥାନାରେ ହାଜର ହେବାକୁ କୋର୍ଟଙ୍କ ନିଦେ୍ର୍ଦଶକୁ ସେ ମାନିନାହାନ୍ତି । ସୁତରାଂ ନିଜର ଗିରଫଦାରି ପାଇଁ ବାଟ ଫିଟାଇ ଦେଇଛନ୍ତି ଆୟାର । ଏବେ ତାଙ୍କୁ ଯେ କୌଣସି ମୁହୁର୍ତ୍ତରେ ପୁଲିସ ଗିରଫ କରିପାରିବ । ସର୍ବଶେଷ ଖବର ଅନୁଯାୟୀ, ଅଭିଜିତ୍ ଙ୍କୁ ଗିରଫ ପାଇଁ ପୁରୀ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ଅଭିଜିତଙ୍କୁ ନେଇ ଆଜି ଦିନ ତମାମ ସସପେନ୍ସ ଜାରି ରହିଥିଲା । ଦିନ ୨ଟା ବେଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ଆସି ପହଞ୍ଚିଥିବା ପ୍ରମୁଖ ଓଡ଼ିଆ ଟିଭି ଚାନେଲଗୁଡ଼ିରେ ଖବର ପ୍ରସାରିତ ହୋଇଥିଲା । ଏପରିକି ସେ କୋଣାର୍କ ଅଭିମୁଖେ ଯାତ୍ରା କରିଥିବା କିଛି ଚାନେଲ ଖବର ପ୍ରସାରଣ କରିଥିଲା । ମାତ୍ର ତାହା ଭୁଲ୍ ପ୍ରମାଣିତ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଓଡ଼ିଶାରେ ତାଙ୍କର କୌଣସି ଖୋଜ ଖବର ନ ଥିବାରୁ ଖବରଟି ଭୁଲ୍ ବୋଲି ଜଣାପଡ଼ିଛି । ଅଭିଜିତ ସମ୍ପର୍କରେ ପୁଲିସ ପାଖରେ ଏପର୍ଯ୍ୟନ୍ତ କୌଣସି ଖବର ନାହିଁ ବୋଲି ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ।
ଆଇନ ବିଶାରଦମାନଙ୍କ ମତରେ ଅଭିଜିତ ପାଇଁ ଗିରଫ ବାଟ ଏବେ ସମ୍ପୂର୍ଣ୍ଣ ଖୋଲିଯାଇଛି । ଥାନାରେ ହାଜର ନହେଲେ ସର୍ଚ୍ଚ ୱାରେଣ୍ଟ ବଳରେ ପୁଲିସ ତାଙ୍କୁ ଯେ କୌଣସି ସ୍ଥାନରୁ ଗିରଫ କରିପାରିବ । ସେ ଫେରାର ରହିବାକୁ ଚେଷ୍ଟା କଲେ ପୁଲିସ ତାଙ୍କୁ ପଳାତକ ଘୋଷଣା କରି ତାଙ୍କର ସମ୍ପତ୍ତି ବ୍ୟାଜ୍ୟାପ୍ତି କରିପାରିବ ।
ଶେଷ ଖବର ଅନୁଯାୟୀ ଆଇନ ଅନୁଯାୟୀ ପୁଲିସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଯେ କୌଣସି ଜାଗାରୁ ତାଙ୍କୁ ଯେ କୌଣସି ମୁହୁର୍ତ୍ତରେ ଗିରଫ କରିବାକୁ ପୁଲିସ ପ୍ରସ୍ତୁତ ରହିଥିବା ପୁରୀ ଜିଲ୍ଲାର ଜଣେ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।