ଭୁବନେଶ୍ୱର: ଶନିବାର ଦିନ ସମୀର ଦେଙ୍କ କଟକ ଘରକୁ ସମ୍ବର୍ଦ୍ଧନା ପାଇବା ପାଇଁ ବୈଜୟନ୍ତଙ୍କ ଆଗମନ ରାଜନୈତିକ ତୁମ୍ବିତୋଫାନ ସୃଷ୍ଟି କରିଥିବା ବେଳେ ଆଉ ଏକ ବଡ଼ ଘଟଣା ସାମନାକୁ ଆସିଛି । ଗତ ୨୦ ତାରିଖରେ ପାରାଦ୍ୱୀପ କୁଜଙ୍ଗ ଅଞ୍ଚଳର ଏକ ବିବାହ ଭୋଜିରେ ବୈଜୟନ୍ତ ପଣ୍ଡା, ଡା. ଦାମୋଦର ରାଉତ, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଏକାଠି ହୋଇଥିଲେ । ବିବାହ ଭୋଜି ବାହାନାରେ ବିଜେଡ଼ିର ଏହି ଚାରି ଅଲୋଡ଼ା ହେଭିୱେଟ୍ ଙ୍କ ମେଳି ଅଧିକ ଚର୍ଚ୍ଚାର ବିଷୟ ହୋଇଛି ।

ସୂଚନା ଅନୁଯାୟୀ, କୁଜଙ୍ଗ ଫୁଲବେଲାରୀ ଗ୍ରାମର ସତ୍ୟପ୍ରକାଶ ମହାନ୍ତି ନାମକ ଜଣେ ଯୁବକଙ୍କ ବିବାହ ଭୋଜିରେ ବୈଜୟନ୍ତ, ଦାମୋଦର, ବିଜୟ ଓ ଦିଲ୍ଲୀପ ଯୋଗଦେଇଥିଲେ । ବୈଜୟନ୍ତ ତାଙ୍କ ହେଲିପକ୍ଟରରେ ଯାଇ ପ୍ରଥମେ ପହଞ୍ଚିଥିଲେ । ପରେ ପରେ ଦିଲ୍ଲୀପ ଓ ଦାମ ପହଞ୍ଚିଥିଲେ । ତାହାର ଅଧଘଣ୍ଟା ପରେ ପହଞ୍ଚିଥିଲେ ବିଜୟ ମହାପାତ୍ର । ଆଗୁଆ ପହଞ୍ଚିଥିବା ବୈଜୟନ୍ତ ଓ ଦିଲ୍ଲୀପ ଏକାଠି ବସି ଭୋଜନ କରିଥିଲେ । ତେବେ ବିଦାୟ ନେଲାବେଳେ ଏହି ୪ ନେତା ଏକାଠି ହୋଇ ବେଶ୍ କିଛି ସମୟ ଖୁସିଗପ କରିଥିଲେ । ଖରାପ ପାଗ ଯୋଗୁଁ ବୈଜୟନ୍ତ ନିଜ ହେଲିକପ୍ଟରରେ ନ ଆସି ଦିଲ୍ଲୀପଙ୍କ ସହ ତାଙ୍କ କାରରେ ଭୁବନେଶ୍ୱର ଫେରିଥିଲେ ।







