ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନଙ୍କ ଘୋଷିତ ୨୦୩୬ ଭିଜନ୍ ଡକୁମେଣ୍ଟ ସମ୍ପର୍କରେ ବିଜୁ ଜନତା ଦଳର ନେତାମାନେ ସମ୍ପୂର୍ଣ୍ଣ ଅବଜ୍ଞ । କ’ଣ ସେହି ଡକୁମେଣ୍ଟ ତାହାର ରୂପରେଖର ଟେର୍ ବି ପାଉନାହାନ୍ତି । ବିଜେଡ଼ି ପ୍ରତିଷ୍ଠା ଦିବସ ଉତ୍ସବରେ ନବୀନ ଏକଥାଟି ପଢ଼ି ଶୁଣାଇବା ପରେ ସାମ୍ବାଦିକମାନେ ନରି ସ୍ୱାଇଁଙ୍କୁ ପଚାରିଥିଲେ ଭିଜନ୍ ଡକୁମେଣ୍ଟ ସମ୍ପର୍କରେ । ତାଙ୍କର ସିଧା ସିଧା ଉତ୍ତର ଥିଲା, ମୁଁ ସେ ବିଷୟରେ କହିପାରିବିନି । ସବୁ ସେଇ ଅଫିସରମାନେ କରିଛନ୍ତି । ଆମେ କେମିତି ଜାଣିବୁ ବୋଲି ଓଲଟି ପ୍ରଶ୍ନ କରିଥିଲେ ନୂଆ ସାଂସଦ ନରି ବାବୁ । ତାଙ୍କର ଏହି ପ୍ରତିକ୍ରିୟାକୁ ହାଲୁକା ଭାବେ ନିଆଯାଇ ନ ପାରେ । ବିଜୁ ଜନତା ଦଳରେ କ’ଣ ଯୋଜନା ହେଉଛି ସେ ସମ୍ପର୍କରେ ମନ୍ତ୍ରୀ,ଏମଏଲଏ କି ଏମପି ମାନେ ଯେ ଜାଣନ୍ତି ନାହିଁ ନରି ବାବୁଙ୍କ କଥାରୁ ସେୟା ହିଁ ଇଙ୍ଗିତ ଆସୁଥିଲା ।
ତେବେ ନରିଙ୍କ ମନ୍ତବ୍ୟ କିଛି ଟିଭିରେ ବାଜିଲା ପରେ ଦଳର ମୁଖପାତ୍ର ପ୍ରତାପ ଦେବଙ୍କୁ ଉପରୁ ଟ୍ରେନିଂ ଦିଆଗଲା ଭିଜନ୍ ଡକୁମେଣ୍ଟ ଉପରେ କ’ଣ କହିବାକୁ ପଡ଼ିବ । ପ୍ରତାପ ତାକୁ ଘୋଷି ଘୋଷି ଟିଭିବାଲାଙ୍କୁ କହିଲେ । ଅନ୍ୟତମ ମୁଖପାତ୍ର ସମୀର ଦାଶ ବି ଘୋଷିଦେଲେ ତାକୁ । ତାଙ୍କୁ ଯିଏ ପଚାରିଲା ସେ ବି ଘୋଷା ପଦ କହିଲେ । ଅବଶ୍ୟ ସେମାନଙ୍କ ମନ୍ତବ୍ୟ ସେମାନେ ନିଜେ ବୁଝିଥିଲେ କି ନା ସନେ୍ଦହ ଲାଗୁଥିଲା । ତେବେ ଏହି ଦୁଇ ମୁଖପାତ୍ରଙ୍କ ଘୋଷା ପାଠକୁ ଛାଡ଼ିଦେଲେ ନବୀନଙ୍କ ଭିଜନ୍ ଡକୁମେଣ୍ଟ ସମ୍ପର୍କରେ କୋ÷ଣସି ମନ୍ତ୍ରୀ,ଏମଏଲଏ ଓ ଏମପି ବିନ୍ଦୁ ବିସର୍ଗ ଜାଣିନାହାନ୍ତି । ଦାମୋଦର ରାଉତ ନିଜ ମନ୍ତ୍ରୀପଦକୁ ଜଗି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ଓଲଟି ବିଦ୍ରୁପ୍ର ତୀର ହୋଇଛି । ତାଙ୍କର ଯୁକ୍ତି, ୨୦୩୬ କୁ ଲକ୍ଷ୍ୟ ରଖି ନବୀନ ଯେଉଁ ଭିଜନ୍ ଡକୁମେଣ୍ଟ ପ୍ରସ୍ତୁତ କରୁଛନ୍ତି ତାହା ଅନ୍ୟମାନଙ୍କର ଜାଣିବାର ଆବଶ୍ୟକତା ନାହିଁ । ନେତା ଭିଜନ୍ କରେ । ଆଉ ସହଯୋଗୀମାନେ ତାକୁ କାର୍ଯ୍ୟକାରୀ କରନ୍ତି । ଅତଏବ ନବୀନ ଯେଉଁ ଭିଜନ୍ କରିବେ ତାହାକୁ କାର୍ଯ୍ୟକାରୀ କରିବା ବ୍ୟତିରେକେ ଜାଣିବାର ଆବଶ୍ୟକତା ନାହିଁ । ଦାମ ବାବୁ ମାନିଛନ୍ତି ତାଙ୍କୁ ନବୀନଙ୍କ ପାଠ ଜଣା ନାହିଁ । ଯାହାର ଦରକାର, ସେ ନବୀନଙ୍କୁ ଯାଇ ପଚାରନ୍ତୁ ବୋଲି ରୋକଠୋକ୍ କହିଛନ୍ତି ଦାମ । କ୍ୟାବିନେଟ୍ ର ଅନ୍ୟତମ ବରିଷ୍ଠ ସହଯୋଗୀ ବିଜୟଶ୍ରୀ ରାଉତରାୟଙ୍କଠାରୁ ଭିଜନ୍ ଡକୁମେଣ୍ଟ ବିଷୟରେ ଜାଣିବାକୁ ଚାହିଁଲାରୁ ସେ “ସରି’ବୋଲି କହି ବାଟ ଭାଙ୍ଗିଛନ୍ତି ।
ଏହି ମନ୍ତ୍ରୀଙ୍କ ଛଡ଼ା ଅନ୍ୟ ମନ୍ତ୍ରୀଙ୍କୁ ଏ ବିଷୟରେ ପଚାରିଲେ ସେମାନେ ଅଜ୍ଞାନବଶତଃ ହସି ହସି ଗଡୁଛନ୍ତି । ଭାଇ ଆମକୁ ସେହି ଜଟିଳ ପାଠରେ ପୂରାଅନି ବୋଲି ସାମ୍ବାଦିକମାନଙ୍କୁ କହୁଛନ୍ତି । ଦଳର ବରିଷ୍ଠ ବିଧାୟକ ଡାକ୍ତର ନୃସିଂହ ସାହୁ, ପ୍ରଭାତ ବିଶ୍ୱାଳଙ୍କ ମୁହଁରେ ବି ସମାନ କଥା । ନୃସିଂହ ସାହୁ କହିଛନ୍ତି, ସେ ପାଠରେ ତାଙ୍କର ଅଧ୍ୟୟନ ନାହିଁ । ଭିଜନ୍ ଡକୁମେଣ୍ଟ ନାଁ ଶୁଣି ସେ ଓଲଟି ତର୍କି ଯାଇଛନ୍ତି । ପ୍ରଭାତ ବିଶ୍ୱାଳ ତ କ୍ୟାମେରା ଆଗରେ ହାତଯୋଡି ପକେଇ ମତେ ସେ ଅଡୁଆରେ ପୂରାନି ବୋଲି ନେହୁରା ହୋଇଛନ୍ତି ।
ଏମାନଙ୍କ କଥାରୁ ଏତିକି ସ୍ପଷ୍ଟ ଯେ ଭିଜନ୍ ଡକୁମେଣ୍ଟ-୨୦୩୬ କନ୍ସେପ୍ଟ ଉପରେ ଦଳରେ କାହାର କିଛି ଧାରଣା ନାହିଁ । ସୁତରାଂ ଦଳର ବରିଷ୍ଠ ନେତାମାନେ ନିଜର ଅସହାୟତା ଦେଖାଇଥିବାରୁ ତାହାର ବାସ୍ତବ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ଅବଶ୍ୟ ନବୀନଙ୍କ ଏକଛତ୍ରବାଦରେ ଥିବା ବିଜୁ ଜନତା ଦଳ ପାଇଁ ଏହା ନୂଆ କି ଆଶ୍ଚର୍ଯ୍ୟର କଥା ନୁହେଁ । ନରି ସ୍ୱାଇଁ ନିଜ ଅଜାଣତରେ କହୁ କହୁ ସତକଥାଟି କହିଦେଇଛନ୍ତି । ଏଥିପାଇଁ ଦଳର ଅନ୍ୟ ନେତାମାନେ ନରି ସ୍ୱାଇଁଙ୍କୁ ମନେ ମନେ ବାହାବା ଦେଉଛନ୍ତି ।