ରିପୋର୍ଟ: ବରେନ୍ଦ୍ର କୃଷ୍ଣ ସାହୁ
ରାମ କାହାର ? ରାମାୟଣରେ ବର୍ଣ୍ଣିତ ଭଗବାନ୍ ଶ୍ରୀରାମ ଭାରତବର୍ଷର ନୁହଁନ୍ତି ? ଉତ୍ତର ପ୍ରଦେଶର ଅଯୋଧ୍ୟ କ’ଣ ଶ୍ରୀରାମଙ୍କ ଜନ୍ମସ୍ଥାନ ନୁହେଁ ? ଏମିତି ଏବେ କଥା ଉଠିଲାଣି । ସୀମା ବିବାଦକୁ ନେଇ ତିକ୍ତତା ସୃଷ୍ଟି ହୋଇଥିବା ପଡ଼ୋଶୀ ଦେଶ ନେପାଳ ଏବେ ଏମିତି କିଛି କହିଲାଣି । ଭାରତୀୟ ସଂସ୍କୃତିର ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କୁ ନେପାଳୀ ବୋଲି କହିଲେଣି, ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ।
କାଠମାଣ୍ଡୁରେ ନିଜ ଭାସଭବନରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେ । ଓଲିଙ୍କ କହିବା କଥା, ନେପାଳ ନନ୍ଦିନୀ ସୀତା, ଭଗବାନ ଶ୍ରୀରାମଙ୍କୁ ବିବାହ କରିଥିଲେ । ନେପାଳ, କେବଳ ଜଣେ ଯୁବରାଜଙ୍କୁ କନ୍ୟାଦାନ କରିନି, ବରଂ ସେହି ଯୁବରାଜ ହିଁ ଥିଲେ ନେପାଳର । ସାଂସ୍କୃତିକ ଅତ୍ୟାଚାରରେ ମାହିର୍ ଭାରତ, ନେପାଳର ସଂସ୍କୃତିରେ ଧସେଇ ପଶିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି । ରାଜଧାନୀ କାଠମାଣ୍ଡୁ ଠାରୁ 135 କିଲୋମିଟର ଦୂର ବୀରଗୁଞ୍ଜ ଜିଲ୍ଲାର ଅଯୋଧ୍ୟା ଗାଁ ହିଁ, ଭଗବାନ ଶ୍ରୀରାମଙ୍କ ପ୍ରକୃତ ଜନ୍ମସ୍ଥାନ ବୋଲି ସେ କହିଛନ୍ତି । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରୁ ଠିକ୍ 135 କିଲୋମିଟର ଦୂର ଅଯୋଧ୍ୟା ସହରକୁ ରାମଙ୍କ ଜନ୍ମସ୍ଥାନ ବୋଲି ଖଣ୍ଡନ କରିଛନ୍ତି ସେ ।
ନିକଟରେ ଓଲି ସରକାର ଆଙ୍କିଥିବା ଦେଶର ନୂଆ ମାନଚିତ୍ରକୁ ନେଇ ନେପାଳ-ଭାରତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡର ଲିପୁଲେଖ୍ ପାସ୍, ଲିମ୍ପିଆଧୁରା ଏବଂ କଳାପାଣି ଅଞ୍ଚଳକୁ ମିଶାଇ ନେପାଳ ସରକାର ସାନି ମାନଚିତ୍ର ଆଙ୍କିଛନ୍ତି । ଗତମାସରେ ଏନେଇ ନେପାଳ ପାର୍ଲାମେଣ୍ଟରେ ସ୍ୱତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ନାସନାଲ୍ ଆସେମ୍ଲିରେ ବିଲ୍ ପାରିତ୍ କରାଯାଇଛି । 1962ରେ ଚୀନ୍ ସହ ଯୁଦ୍ଧ ପରଠାରୁ ଏସବୁ ଅଞ୍ଚଳ, ଭାରତ ପାଇଁ ଅତି ସମ୍ବେଦନଶୀଳ । ସେବେଠାରୁ ସେଠାରେ ସୀମା ସୁରକ୍ଷା ବ୍ୟବସ୍ଥାକୁ ଭାରତ ସରକାର କଡ଼ାକଡ଼ି କରି ରଖିଛନ୍ତି । କିନ୍ତୁ ଓଲି ସରକାର ସେସବୁ ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ସାନି ନକ୍ସା କରିଛନ୍ତି । ଯାହାକୁ ନେଇ ଭାରତ-ନେପାଳ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ହୋଇଛି ।
କେବଳ ସେତିକି ନୁହେଁ, କରୋନା ଭୂତାଣୁ ନେଇ ମଧ୍ୟ ଭାରତକୁ ଟାର୍ଗେଟ୍ କରିଥିଲେ ନେପାଳ ସରକାର । ଚୀନ୍ କିମ୍ବା ଇଟାଲୀ ନୁହେଁ, ଭାରତୀୟ ଭୂତାଣୁ ପାଇଁ ହିଁ ନେପାଳରେ କରୋନା ବ୍ୟାପୁଥିବା କହିଥିଲେ ସେ । ଆଉ ଏବେ କହିଲେଣି ସୀତା ଥିଲେ ନେପାଳୀ… ଆଉ ରାମ ବି ନେପାଳୀ ।
ରାମ୍ ନା ରହିମ୍… ଅଯୋଧ୍ୟାର ବାବ୍ରି ମସଜିଦ୍ ଭଙ୍ଗାକୁ ନେଇ ଅନେକ ଦିନ ହେବ ଭାରତରେ ଲାଗି ରହିଥିଲା ଆଇନଗତ ଲଢ଼େଇ । ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ନିକଟରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଭାରତ ସରକାର ମଧ୍ୟ, ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି । କିନ୍ତୁ ଏବେ ଓଲି କହିଲେଣି, ରାମ ଭାରତର ନୁହେଁ, ନେପାଳର । ରାମ, ରାମାୟଣ ଓ ରାମସେତୁକୁ ନେଇ ବିବାଦ ନୂଆ ନୁହେଁ । ବଞ୍ଚିଥିବା ବେଳେ ରାମସେତୁକୁ ଆଦୌ ବିଶ୍ୱାସ କରୁ ନଥିଲେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି । ରାମ, ରାମାୟଣ ଓ ରାମସେତୁ… କାଳ୍ପନିକ ବୋଲି କହି ଭଲ ରକମ ବିବାଦ ସୃଷ୍ଟି କରିଥିଲେ ସେ ।
ଭାରତବର୍ଷର ମହାଭାରତ ଓ ରାମାୟଣ । ଭାରତୀୟ ସଂସ୍କୃତି ଓ ପରମ୍ପରାର ପରିଚାୟକ । ଯାହାକୁ ଟେଲିଭିଜିନ୍ ସିରିଏଲ୍ ମାଧ୍ୟମରେ ନିଚ୍ଛକ ଉପସ୍ଥାପନ କରି ସାରା ବିଶ୍ୱରେ ଉଜ୍ଜୀବୀତ କରାଇଛନ୍ତି ରାମାନନ୍ଦ ସାଗର । ସାରା ବିଶ୍ୱରେ ଏହା ଯେତିକି ପ୍ରଶଂସନୀୟ, ସେତିକି ଲୋକପ୍ରିୟ ମଧ୍ୟ । ଭଗବାନ ଶ୍ରୀରାମ ଏବେ ବି ଭାରତୀୟଙ୍କ ଆରାଧ୍ୟ ଦେବତା ହୋଇ ଅଛନ୍ତି । କିନ୍ତୁ କଣ୍ଟା ବାଡ଼ରେ ଲୁଗା ପକାଇ କଳି କଲା ଭଳି, ଭାରତର ସେହି ମହାନ ସଂସ୍କୃତି ଉପରେ ବିବାଦୀୟ ଟୀପ୍ପଣି ଦେଇଛନ୍ତି ନେପାଳ ସରକାର ।