– ଉମାଶଙ୍କର ଭୁବନେଶ୍ୱର ଡିସିପି, ପ୍ରତୀକ କଟକ ଡିସିପି
– ସାଗରିକା ନାଥଙ୍କ ଜାଗାରେ ସୌମ୍ୟା ମିଶ୍ର
– ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ, ସୌମେନ୍ଦ୍ର କ୍ରାଇବ୍ରାଞ୍ଚ ଏଡିଜି
– ୬ ଜିଲ୍ଲାରେ ନୂଆ ଏସପି
ଭୁୁବନେଶ୍ୱର: ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଅଦଳବଦଳ କରିଛନ୍ତି । ଏହିକ୍ରମରେ ଭୁବନେଶ୍ୱର ଓ କଟକରେ ନୂଆ ଡିସିପି ନିଯୁକ୍ତି ହୋଇଛନ୍ତି । ପୁରୀ ଏସପି ଥିବା ଡ. ଉମାଶଙ୍କର ଦାଶଙ୍କୁ ଭୁବନେଶ୍ୱର ଡିସିପି ଏବଂ କନ୍ଧମାଳ ଏସପି ପ୍ରତୀକ ସିଂ ଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ଭୁବନେଶ୍ୱର ଟ୍ରାଫିକ ଡିସିପି ସାଗରିକା ନାଥ ସୁନ୍ଦରଗଡ଼ ଏସପି ଭାବେ ବଦଳି ହୋଇଛନ୍ତି । ତାଙ୍କ ଜାଗାକୁ ଆସିଛନ୍ତି ସୁନ୍ଦରଗଡ଼ ଏସପି ଶ୍ରୀମତୀ ସୌମ୍ୟା ମିଶ୍ର ।
କେନ୍ଦ୍ରୀୟ ଡେପୁଟେସନ୍ ରୁ ଫେରିଥିବା ଏମ.ଅକ୍ଷୟ ପୁଲିସ ହାଉସିଂ ବୋର୍ଡ ସିଏମଡି ଭାବେ ଅବସ୍ଥାପିତ ହୋଇଛନ୍ତି । ସେଠାରେ ଥିବା ଲଳିତ ଦାସଙ୍କୁ ଅତିରିକ୍ତ ଡିଜିପି, କମ୍ୟୁନିକେସନ୍ ନିଯୁକ୍ତି ମିଳିଛି । ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସତ୍ୟଜିତ୍ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ପଦରେ ଅବସ୍ଥାପିତ କରାଯାଇଛି । ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଆର.କେ.ଶର୍ମା ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ପାଇଛନ୍ତି । ଆଇନ ଶୃଙ୍ଖଳା ଅତିରିକ୍ତ ଡିଜିପି ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ ଏଡିଜିପି ଭାବେ ଅବସ୍ଥାପିତ କରାଯାଇଛି ।
ଆଇଜି, ପର୍ସନେଲ୍ ପ୍ରବୀଣ କୁମାରଙ୍କୁ ଆଇନଶୃଙ୍ଖଳା ଆଇଜିପି ଭାବେ ନିଯୁକ୍ତି ମିଳିଥିବା ବେଳେ ଭୁବନେଶ୍ୱର ଡିସିପି ପଦରେ ଥିବା ଅତିରିକ୍ତ ପୁଲିସ କମିଶନର ଅନୂପ ସାହୁ ଗୁଇନ୍ଦା ଡିଆଇଜି ହୋଇଛନ୍ତି । ଭିଜିଲାନସ୍ ଏସପି ଡ. ସାର୍ଥକ ଷଡ଼ଙ୍ଗୀ କ୍ରାଇମବ୍ରାଞ୍ଚ ଏସପି ଭାବେ ନିଯୁକ୍ତି ପାଇଛନ୍ତି । କଟକ ଡିସିପି ଅଖିଳେଶ୍ୱର ସିଂଙ୍କୁ ପୁରୀ ଏସପି, ଗଜପତି ଏସପି ଶ୍ରୀମତୀ ସାରା ଶର୍ମାଙ୍କୁ ଭିଜିଲାନସ୍ ଏସପି, ନୂଆପଡ଼ା ଏସପି ବିନୀତ ଅଗ୍ରୱାଲ୍ ଙ୍କୁ କନ୍ଧମାଳ ଏସପି, ଦେବଗଡ଼ ଏସପି ରାହୁଲ ଜୈନଙ୍କୁ ନୂଆପଡ଼ା ଏସପି ଭାବେ ଅବସ୍ଥାପିତ କରାଯାଇଛି ।
ପୁଲିସ ମୁଖ୍ୟାଳୟ ଏଆଇଜି ଏସ.ସି.ଜମାଦାର ଦେବଗଡ଼ ଏସପି ଏବଂ କ୍ରାଇବ୍ରାଞ୍ଚ ଏସପି ତପନ କୁମାର ପଟ୍ଟନାୟକ ଗଜପତି ଏସପି ଭାବେ ନିଯୁକ୍ତି ପାଇଛନ୍ତି ।