ଭୁୁବନେଶ୍ୱର: ପ୍ରଭାବ, ଅର୍ଥବଳ ଥିଲେ ଆଇନ ବୋଲ୍ ମାନିବ । ପ୍ରଭାବହୀନ, ଅର୍ଥଶୂନ୍ୟ ହୋଇଥିଲେ ଆଇନର ଛାଟ ବାଜିବ । ଜୋର୍ ଯା’ର ମୂଳକ ତା’ର ନୀତିକୁ ବିଏମସି ପ୍ରଶାସନ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରୁଥିବାର ସ୍ପଷ୍ଟ ପ୍ରମାଣ ହେଉଛି ବାପୁଜୀନଗରର ‘ ରାଜ୍ ଇଲେକଟ୍ରୋନିକ୍ସ’ । କ୍ୱାରେଣ୍ଟାଇନ୍ ନିୟମର ଧଜିଆ ଉଡ଼ାଇଥିଲେ ମଧ୍ୟ କିଛି ବିଗିଡ଼ି ଗଲାନି । ସବୁ ଜାଣି ଅଜଣା ରହିଗଲେ ବିଏମସି ପ୍ରଶାସନ ।
‘ରାଜ୍ ଇଲେକଟ୍ରୋନିକସ୍’ ର କ୍ୱାରେଣ୍ଟାଇନ୍ ନିୟମ ଭଙ୍ଗା ପଛରେ ଖୋଦ୍ ବିଏମସି କମିଶନରଙ୍କ ଆର୍ଶିବାଦ ଥିବା ବୁଝା ପଡ଼ିଯାଇଛି । ଯେଉଁଥିପାଇଁ କ୍ୱାରେଣ୍ଟାଇନ୍ ଅବଧିର ୭ ଦିନ ପୂର୍ବରୁ ଦୋକାନ ଖୋଲିଗଲା । ଦୋକାନରେ ଗ୍ରାହକ ଭିଡ଼ ଜମାଇ କାରବାର କଲେ । କୋଭିଡ୍ ମହାମାରୀ ସଙ୍କଟରେ ରାଜଧାନୀ ଥରୁଥିବା ବେଳେ ପ୍ରଭାବଶାଳୀ ବ୍ୟବସାୟୀଙ୍କ ପାଇଁ ଆଇନ କିଭଳି ମୋଡ଼ିମକଚି ଯାଏ ‘ରାଜ୍ ଇଲେକଟ୍ରୋନିକ୍ସ୍’ ତାହାର ଜ୍ୱଳନ୍ତ ଉଦାହରଣ । କରୋନା ସଂକ୍ରମିତ ‘ରାଜ୍’ ସିଲ୍ ହେବା ଖବର ପ୍ରମୁଖ ଗଣମାଧ୍ୟମରେ ବି ସ୍ଥାନ ପାଇଲା ନାହିଁ ।
ରାଜ୍ ଇଲେକଟ୍ରୋନିକ୍ସର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହେଲେ । ୧ ତାରିଖରେ ତାଙ୍କର କୋଭିଡ୍ ପଜିଟିଭ୍ ରିପୋର୍ଟ ଆସିବା ପରେ ୨ ତାରିଖରେ ବିଏମସି ପ୍ରଶାସନ ଦୋକାନକୁ ସିଲ୍ କରି ସଂପୃକ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ୫୦ ଜଣ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ କଲା । ବିଏମସି ପକ୍ଷରୁ ଦୋକାନରେ ତାଲା ଠୁଙ୍କା ଯାଇ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ୍ ନୋଟିସ୍ ମରାଗଲା । ହେଲେ ଆଶ୍ଚର୍ଯ୍ୟର କଥା, ୬ ତାରିଖ ଦିନ ଦୋକାନ ର୍ତ୍ତୃପକ୍ଷ ତାଲା ଫିଟାଇ ଜିନିଷପତ୍ର ସଜାଡ଼ିଲେ । ୮ ତାରିଖରୁ ଦୋକାନରେ ନିୟମିତ ବେପାର ଚାଲିଲା । ଟିଭି, ଫ୍ରିଜ୍,ଏସି କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ଜମିଲା ।








