ବିଶାଖାପାଟଣାମ୍: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାମ୍(ଭାଇଜାକ୍) ରେ ଏକ ଗ୍ୟାସ୍ ପ୍ଲାଣ୍ଟ୍ ରୁ ଗ୍ୟାସ୍ ଲିକ୍ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଜଣେ ଶିଶୁ ସମେତ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୦ ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୨୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବଢ଼ି ଭୋର୍ ସମୟରେ ଗ୍ୟାସ୍ ଲିକ୍ ବେଳେ ଲୋକମାନେ ଶ୍ୱାସରୁଦ୍ଧ ହୋଇ ଜୀବନ ବିକଳରେ ଧାଁ ଧପଡ଼ କରିବାର କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । କରୋନା ଲକ୍ ଡାଉନ୍ ରେ ବନ୍ଦ ଥିବା ପ୍ଲାଣ୍ଟ ଆଜି ଖୋଲିବାକୁ ପ୍ରସ୍ତୁତି ବେଳେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

ଭାଇଜାକ୍ ସହରଠାରୁ ମାତ୍ର ୪ କିଲୋମିଟର ଦୂରରେ ଗୋପାଳପାଟଣାମ୍ ସ୍ଥିତ ଏଲଜି ପଲିମର୍ ପ୍ଲାଣ୍ଟ୍ ରୁ ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଏହି ଗ୍ୟାସ୍ ଲିକ୍ ହୋଇଥିଲା । ଲକଡାଉନ୍ ଯୋଗୁଁ ଦୀର୍ଘଦିନ ଧରି ବନ୍ଦ ଥିବା ଏହି ପ୍ଲାଣ୍ଟ ଆଜି ଖୋଲିବାକୁ ପ୍ରଶାସନଠାରୁ ଅନୁମତି ପାଇଥିଲା । ପ୍ଲାଣ୍ଟ ଖୋଲିବା ପୂର୍ବରୁ ଏହାର ମେସିନ୍ ଗୁଡ଼ିକର ଅବସ୍ଥା ତଦାରଖ କରୁଥିଲେ କର୍ମଚାରୀ । ଏହି ସମୟରେ ହଠାତ ପ୍ଲାଣ୍ଟରୁ ଗ୍ୟାସ୍ ଲିକ୍ ହୋଇଥିଲା । ଏହାର ତୀବ୍ରତା ୫ କିମି ବ୍ୟାସାର୍ଦ୍ଧ ଅଞ୍ଚଳକୁ ବ୍ୟାପିଯାଇଥିଲା । ସେତେବେଳେକୁ ଆଖାପାଖ ଗାଁ ଲୋକେ ଗଭୀର ନିଦ୍ରାରେ ଘରେ ଶୋଇଥିଲେ ମଧ୍ୟ ଗ୍ୟାସ୍ ଦାଉରେ ଛଟପଟ ହୋଇଥିଲେ । ଲୋକଙ୍କ ଆଖିରେ ଅସମ୍ଭବ ଜ୍ୱାଳା ହେବା ସହ ଦେହସାରା କୁଣ୍ଡେଇ ହୋଇଥିଲା । କିଛି ଲୋକଙ୍କ ଦେହରୁ ପ୍ରବଳ ବ୍ଲିଡିଂ ବି ହୋଇଥିଲା । ନିଶ୍ୱାସ ନେବାରେ ପ୍ରବଳ କଷ୍ଟ ଅନୁଭବ କରି ସମସ୍ତେ ଜୀବନ ବିକଳରେ ଧାଁ ଧପଡ଼ କରିଥିଲେ ।
ଖବର ପାଇଁ ପ୍ରଶାସନ ପହଞ୍ଚିବା ବେଳକୁ ୮ ଜଣ ଲୋକ ଟଳିପଡ଼ିଥିଲେ । ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ସହାୟତାରେ ପ୍ରଶାସନ ଅସୁସ୍ଥ ହୋଇ ରାସ୍ତାରେ ଛଟପଟ ହେଉଥିବା ଶତାଧିକ ଲୋକଙ୍କୁ ହସ୍ପିଟାଲ୍ ବୋହି ନେଇଥିଲେ । ଉଦ୍ଧାରକାରୀ ଟିମ୍ ର କିଛି ସଦସ୍ୟ ମଧ୍ୟ ଗ୍ୟାସ୍ ଦାଉରେ ଅଚେତ ହୋଇଯାଇଥିଲେ ।







