ଭୁବନେଶ୍ୱର: ବାରବାଟୀ ଷ୍ଟାଡ଼ିୟମ୍ ରେ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ବିସିସିଆଇ ବକ୍ସରେ ଚିଟଫଣ୍ଡ ମହାଦଲାଲ ଶୁଭଙ୍କର ନାୟକ । ଗତକାଲି ଭାରତ-ଶ୍ରୀଲଙ୍କା ଟି୨୦ ମ୍ୟାଚ୍ କୁ ଭିଭିଆଇପିଙ୍କ ଗହଣରେ ବାବୁ ବସି ଉପଭୋଗ କରୁଥିଲେ । ଅନତି ଦୂରରେ
ବସିଥିଲେ ଖୋଦ୍ ରାଜ୍ୟର ପୁଲିସ ଡିଜି ଆର.ପି.ଶର୍ମା, ଅଗ୍ନିଶମ ଡିଜି ବିଜୟ ଶର୍ମା । ଆଗପଛରେ ବସିଥିଲେ ନାମୀ ନେତା ଓ ପ୍ରଶାସକ । ସୁଟ୍ ବୁଟ ପିନ୍ଧା ବାବୁ ଶୁଭଙ୍କର ଆରାମ୍ ରେ ବସି ଖେଳ ଦେଖିବା ସହ ନିଜ ମୋବାଇଲ୍ ଖେଳାଉଥିଲେ । ମଝିରେ ମଝିରେ କାହା ସହ ମୋବାଇଲ୍ ରେ ଗମ୍ଭୀର କଥା ହେଉଥିଲେ । ସାଧାରଣ ଲୋକଙ୍କ ପାଇଁ ଏହି ଅପହଞ୍ଚ ଇଲାକାରେ ଜେଲ୍ ଫେରନ୍ତା ଶୁଭଙ୍କରଙ୍କୁ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ଚକିତ ହୋଇଯାଇଥିଲେ । କେଉଁଭଳି ଭିଭିଆଇପି ସେ ? ନିଜେ ଭିଭିଆଇପି ହୋଇ ନା କାହାରି ଭିଭିଆଇପି ପାସ୍ ରେ ସେଠାକୁ ଗଲେ ? ଏଭଳି ପ୍ରଶ୍ନ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିବ୍ରତ କରିଥିଲା । ଭିଭିଆଇପିଙ୍କ ସହ ଶୁଭଙ୍କର ସମ୍ପର୍କ ଏବେ ବି ନିବିଡ଼ ତାହା ଏହାର ଚାକ୍ଷୁସ ପ୍ରମାଣ ଥିଲା ।
ଖୋଦ୍ ସିବିଆଇ ଆଖିରେ ସିସୋର ଚିଟଫଣ୍ଡ ମହାଠକେଇରେ ଏହି ଶୁଭଙ୍କର ହେଉଛନ୍ତି ନାମଜାଦା ଖଳନାୟକ । କୁଆଡେ ସିସୋର ମାଲିକ ପ୍ରଶାନ୍ତ ଦାଶଙ୍କ ଗୁମାସ୍ତା କାମ କରୁଥିଲେ । ବଡ଼ବଡ଼ିଆ ନେତା, ଅଫିସରଙ୍କ ସହ ପ୍ରଶାନ୍ତଙ୍କୁ ପରିଚିତ କରାଇ ଅସାଧ୍ୟ କାମକୁ ସାଧ୍ୟ କରୁଥିଲେ । ସେତୁବନ୍ଧ ହୋଇ ଉଭୟ ପକ୍ଷର ମନଖୁସି କରାଉଥିଲେ । ଏହି ବାଟରେ କୋଟି କୋଟି ଟଙ୍କା ତାଙ୍କ ପକେଟକୁ ଆସୁଥିଲା ବୋଲି ଅଭିଯୋଗ ରହିଛି । ଚିଟଫଣ୍ଡ ଦୁର୍ନୀତିର ଖୋଳତାଡ଼ କରୁଥିବା ସିବିଆଇ ଏହାର ଟେର୍ ପାଇଲା ପରେ ୨୦୧୪ ଅଗଷ୍ଟ ମାସରେ ଶୁଭଙ୍କରଙ୍କୁ ବାନ୍ଧି ଜେଲ୍ ରେ ପୂରାଇଥିଲା । ତାଙ୍କ ପାଖରୁ ଜବତ ଏକ ଡାଇରୀରୁ ଟପ୍ ବ୍ୟୁରେକ୍ରାଟ୍ ଙ୍କ ସହ ତାଙ୍କର ନିବିଡ଼ ସମ୍ପର୍କର ଖିଅ ବି ପାଇଥିଲା । ଗତବର୍ଷ ଅଗଷ୍ଟ ମାସରେ ଝାରପଡ଼ା ଜେଲ୍ ରୁ ସେ ସର୍ତ୍ତମୂଳକ ଜାମିନ୍ ପାଇଛନ୍ତ । ଜେଲ୍ ଫେରନ୍ତା ଏହି ଚିଟଫଣ୍ଡ ଦାଗୀ ଏବେ ପୁଣି ଫେରିଆସିଛନ୍ତି ତାଙ୍କର ପୁରୁଣା ଭିଭିଆଇପି କରିଡ଼ରକୁ । ବାରବାଟୀ ଷ୍ଟାଡିୟମ୍ ର ଭିଭିଆଇ ଗ୍ୟାଲେରୀରେ ତାଙ୍କ ଉପସ୍ଥିତି ଏହାର ଠୋସ୍ ବୟାନ ରଖିଛି ।
ଶୁଭଙ୍କରଙ୍କ ବାରବାଟୀ ଭିଭିଆଇପି ଗ୍ୟାଲେରୀରେ ଆର୍ବିଭାବ, ନେତା ଓ ସରକାରୀ ବାବୁଙ୍କ ସହ ତାଙ୍କର ଭାବପୀରତିକୁ ପଦାରେ ପକାଇଦେଇଛି । ବିସିସିଆଇ ବକ୍ସ କେବଳ ଭିଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ । ମନ୍ତ୍ରୀ, ବିଧାୟକ, ଏମପି, ଆଇଏଏସ୍, ଆଇପିଏସ୍ ଏବଂ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିଙ୍କୁ କେବଳ ସେଠାରେ ବସିବାକୁ ପାସ୍ ମିଳିଥାଏ । ମାତ୍ର ଚିଟଫଣ୍ଡ ଦାଗୀ ଶୁଭଙ୍କର ସେଠି କେମିତି ବସିଲେ ତାହା ସମସ୍ତଙ୍କୁ ଚକିତ କରିଛି । ଓସିଏ ୱାର୍କଂ କମିଟି ଅଧ୍ୟକ୍ଷ ଧୀରେନ୍ ପଲାଇ ତାଙ୍କ ପ୍ରତିକ୍ରିୟାରେ ଶୁଭଙ୍କରଙ୍କୁ କିଏ ଜାଣନ୍ତି ନାହିଁ ବୋଲି ସଫେଇ ଦେଇଥିଲା ବେଳେ ଭିଭିଆଇପି ପାସ୍ ସେ ଆଉ କାହାଠାରୁ ନେଇଥାଇପାରନ୍ତି ବୋଲି କହିଛନ୍ତି । ତେବେ ସେ କେଉଁ ବାବୁଙ୍କଠାରୁ ପାସ୍ ନେଇଛନ୍ତି ତାହାର ଖୋଳତାଡ଼ ହେଉ ବୋଲି ଦାବି ହେଲାଣି । ଏଭଳି ଘଟଣାକୁ ନେଇ ବିଭିନ୍ନସ୍ତରରେ ଉଦବେଗ ପ୍ରକାଶ ପାଇଛି ।
ଖାଲି ଶୁଭଙ୍କର ନୁହଁନ୍ତି, ଜେଲ୍ ଫେରନ୍ତା ଆଉ ଜଣେ ଚିଟଫଣ୍ଡ ଦାଗୀଙ୍କ ସହ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ମଧୁର ସମ୍ପର୍କକୁ ନେଇଧୂମ୍ ଚର୍ଚ୍ଚା ହେଉଛି । ଏଟି ଚିଟଫଣ୍ଡର ସଂପୃକ୍ତ ଦାଗୀ ଜେଲ୍ ରୁ ଫେରିଲା ପରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀଙ୍କ ପାଖ ଛାଡୁନାହାନ୍ତି । ଦୁହିଁଙ୍କ ଛତ୍ରଛାୟା ତଳେ ରହି ପୂର୍ବଭଳି ତାଙ୍କର ଦଲାଲି ଚଳାଇଛନ୍ତି । ସଚିବାଳୟ ପାସ୍ ନ ଥିଲେ ମଧ୍ୟ ତାଙ୍କର ନୂଆ ଗଡ଼ଫାଦର ବନିଥିବା ଏହି ନେତାଙ୍କ ଗାଡ଼ିରେ ଅନାୟସାରେ ସଚିବାଳୟ ଯିବା ଆସିବା କରୁଥିବା ଚର୍ଚ୍ଚା ହେଉଛି ।