କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀର ଗରଦପୁରଠାରେ ଆଜି ବିଜୟ ମହାପାତ୍ରଙ୍କ ସମର୍ଥକ ତାଙ୍କର ଶକ୍ତି ଦେଖାଇଛନ୍ତି । ବିଜୟଙ୍କୁ ଉପେକ୍ଷିତ କରୁଥିବା ବିଜେପି ବାଲାଙ୍କୁ ତଳେ ଯନ୍ତି ନିର୍ଦ୍ଧୁମ୍ ପିଟିଛନ୍ତି । ଉକ୍ରଳ କେଶରୀ(ଟୁଲୁ) ପରିଡ଼ା ମାଡ଼ ଭୟରେ ଲୁଚିଯିବାରୁ ବିଜୟ ସମର୍ଥକଙ୍କ ହାବୁଡ଼ରୁ ବର୍ତ୍ତି ଯାଇଛନ୍ତି । ବିଜୟ ସମର୍ଥକଙ୍କ ଏହି ଟ୍ରେଲର ସୋ ସିହିଂପୁରରେ ଆୟୋଜିତ ବିଜେପି ମିଶ୍ରଣ ପର୍ବକୁ ଧୂଳିସାତ୍ କରିଦେଇଛି ।
କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଟୁଲୁ ପରିଡ଼ା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତଧରି କିଛି ମାସ ତଳେ ବିଜେପିରେ ମିଶିଛନ୍ତି । ସେଥିପାଇଁ ଜିଲ୍ଲାର ବିଜେପି ପରିଚୟ କୁହାଯାଉଥିବା ବିଜୟ ମହାପାତ୍ରଙ୍କୁ ପଚରା ବି ଯାଇ ନ ଥିଲା । ସେବେଠାରୁ ବିଜୟଙ୍କୁ ଅଲୋଡ଼ା କରି ଦଳୀୟ ନେତୃବୃନ୍ଦ ଟୁଲୁ ପରିଡ଼ାଙ୍କୁ ମୁଣ୍ଡରେ ବସାଇଛନ୍ତି । ଆଜି ଗରଦପୁର ବ୍ଲକ୍ ର ସିହିଂପୁରଠାରେ ଟୁଲୁ ପରିଡ଼ାଙ୍କ ନେତୃତ୍ୱରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା । ମାତ୍ର ସେଠାକୁ ବିଜୟ ମହାପାତ୍ର ଏବଂ ତାଙ୍କ ଗୋଷ୍ଠୀ କାହାରିକୁ ଆମନ୍ତ୍ରଣ କରାଯାଇ ନ ଥିବା ଅଭିଯୋଗ ହୋଇଛି । ଟୁଲୁ ପରିଡ଼ାଙ୍କ ସମର୍ଥକମାନେ ଭୁବନ ଜେନା ଓରଫ୍ ନଣ୍ଡାଙ୍କ ନେତୃତ୍ୱରେ ଏକ ମଟରସାଇକେଲ ଶୋଭାଯାତ୍ରାରେ ମିଶ୍ରଣ ପର୍ବ ଆୟୋଜନସ୍ଥଳକୁ ଆସୁଥିବା ବେଳେ ସିହିଂପୁର ପୂର୍ବରୁ ସେମାନଙ୍କୁ ଅଟକାଇଥିଲେ ବିଜୟଙ୍କ ସମର୍ଥକ । ଆଗରେ ଆସୁଥିବା ପ୍ରଚାରଗାଡ଼ିକୁ ଭଙ୍ଗାରୁଜା କରି ଛଡ଼ାଇ ଆଣିଥିଲେ ଏବଂ ବିଜୟ ମହାପାତ୍ର ଜିନ୍ଦାବାଦ, ଟୁଲୁ ପରିଡ଼ା ମୁର୍ଦ୍ଦାବାଦ ଧ୍ୱନି ଦେଇ ହଲାପଟା କରିଥିଲେ । ଶୋଭାଯାତ୍ରାକାରୀଙ୍କୁ ବିଜୟ ସମର୍ଥକମାନେ ସେଠୁଁ ଗୋଡ଼େଇ ଗୋଡ଼େଇ ପିଟିବା ଆରମ୍ଭ କରିଥିଲେ । ବିଜୟ ସମର୍ଥକଙ୍କ ମାଡ଼ରେ ଟୁଲୁ ପରିଡ଼ା ସମର୍ଥକ ଛତ୍ରଭଙ୍ଗ ଦେଇ ପଛକୁ ଫେରିଯାଇଥିଲେ । ଏପଟେ ଉତକ୍ଷିପ୍ତ ବିଜୟ ସମର୍ଥକମାନେ ମିଶ୍ରଣ ପର୍ବ ପାଇଁ ଆୟୋଜିତ ମଞ୍ଚକୁ ଭଙ୍ଗାରୁଜା କରିବା ସହ ଟେଣ୍ଟଞ୍ଚର କନାପଟା, ପୋଷ୍ଟର ଚିରି ପକାଇଥିଲେ । ଚେୟାରଗୁଡ଼ିକୁ ପେଣ୍ଡୁ ପରି ଆକାଶକୁ ଫିଙ୍ଗିଥିଲେ ।
ବିଜୟ ସମର୍ଥକଙ୍କ ମାଡ଼ ଖବର ପାଇ ପଛରେ ଆସୁଥିବା ଖୋଦ୍ ଟୁଲୁ ପରିଡ଼ା ଚମ୍ପଟ୍ ମାରିଥିଲେ । ପରିସ୍ଥିତି ଅଣାୟତ୍ତ ହେବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ସମ୍ଭଳା ପଡ଼ିଯାଇଥିଲା । ଏଭଳିସ୍ଥିତିରେ ମିଶ୍ରଣ ପର୍ବ ଆଉ ସମ୍ଭବ ହେଲାନି । କେନ୍ଦ୍ରାପଡ଼ା ଜିଲ୍ଲାରେ ଆଜିର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ବିଜେପିର ଏହି ଅନ୍ତଃକନ୍ଦଳ ଦଳକୁ ଭୀଷଣ ମହଙ୍ଗା ପଡ଼ିବ ବୋଲି କୁହାଯାଉଛି । ଏ ସମ୍ପର୍କରେ ଟୁଲୁ ପରିଡ଼ାଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ବିଜୟ ସମର୍ଥକମାନେ ପ୍ରତିହିଂସାପରାୟଣ ହୋଇପଡ଼ିଛନ୍ତି । ବିଜୟଙ୍କୁ ଛାଡ଼ି ଆଗକୁ ବିଜେପିର କୌଣସି କାର୍ଯ୍ୟକ୍ରମ କରାଇ ଦିଆଯିବନି ବୋଲି ସେମାନେ ଧମକ ଦେଇଛନ୍ତି ।