ଭୁୁବନେଶ୍ୱର: ଗତକାଲି ଭୁବନେଶ୍ୱରର ଦୁଇ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଆଜି ଭୁବନେଶ୍ୱରର ଆଉ ତିନି ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ଯୋଗେ ଆଜି ଏହି ସୂଚନା ଦେଇଛି । ଏମାନଙ୍କୁ ମିଶାଇ ମୋଟ ୨୪ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ।
ଅନ୍ୟପକ୍ଷରେ ଆଜି ରାଜ୍ୟର ଆଉ ଜଣେ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପ୍ରଥମ ଥର ପାଇଁ ବାଲେଶ୍ୱରରୁ ଚିହ୍ନଟ ଏହି ଆକ୍ରାନ୍ତଙ୍କ ବୟସ ୫୮ ବର୍ଷ । ଏହି ନୂଆ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ ରେ ପହଞ୍ଚିଛି । ସେଥିମଧ୍ୟରୁ ଆକ୍ଟିଭ୍ ରୋଗୀଙ୍କ ସଂଖ୍ୟା ୩୬ ।
ବାଲେଶ୍ୱରରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାରୁ ରାଜ୍ୟର କରୋନା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୦ ହୋଇଛି । ପୂର୍ବରୁ ଖୋର୍ଦ୍ଧା, କଟକ, ପୁରୀ, ଢ଼େଙ୍କାନାଳ, ଭଦ୍ରକ, ଯାଜପୁରର, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି ଜିଲ୍ଲାରୁ ପଜିଟିଭ୍ କେସ୍ ଆସିଥିଲା । କେବଳ ଭୁବନେଶ୍ୱରରୁ ୪୬ ପଜିଟିଭ୍ ଚିହ୍ନଟ ହୋଇ ହଟ୍ ସ୍ପଟ୍ ପାଲଟିଛି । ତେବେ ଖୁସିର କଥା, ଭୁବନେଶ୍ୱରରୁ ୧୪ ଦିନ ହେଲା କୌଣସି ନୂଆ ପଜିଟିଭ୍ କେସ୍ ଆସିନାହିଁ ।