ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ରାଜ୍ୟସଭା ପାଇଁ ବିଜେଡ଼ିର ନାଁ ଘୋଷଣା ପରେ ଭୂପିନ୍ଦର ସିଂଙ୍କ ଘର ଆଗରେ ନାଲି ନୋଟ୍ ଉଡିଛି । ରାସ୍ତା ଉପରେ ହଜାର ଟଙ୍କିଆ ନୋଟ୍ ଲୋକଙ୍କ ଉପରେ ଫୁଲ ପରି ବର୍ଷିଛି । ଟଙ୍କା ବର୍ଷା ସାଉଁଟିବାକୁ ସଂଧ୍ୟାରେ ଭୂପିନ୍ଦରଙ୍କ ଘର ଆଗରେ ବାଟୋଇମାନେ ଅଟକି ରହିବାରୁ ମାଉସୀମାଛକ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା । ମାଉସୀମା ଛକରୁ ରଥଦାଣ୍ଡ ରାସ୍ତା ଏବଂ ବିବେକାନନ୍ଦ ମାର୍ଗ ରାସ୍ତାରେ ଟ୍ରାଫିକ୍ ପୁଲିସକୁ କିଛି ସମୟ ଧରି ନୟାନ୍ତ ହେବାକୁ ପଡ଼ିଥିଲା । ସେପଟେ ଶୂନ୍ୟରୁ ନାଲି ନୋଟ୍ ପାଇଥିବା ବାଟୋଇ ନିଜ ଭାଗ୍ୟକୁ ବାହାବା ଦେଇ ଖୁସିମନରେ ଘରକୁ ଫେରୁଥିଲେ । ନିକଟରେ ଥିବା ଏକ ବ୍ୟାଙ୍କ ଏଟିଏମ୍ ସୁରକ୍ଷାକର୍ମୀ ଦୁଇଟି ନାଲି ନୋଟ୍ ଧରି ରାସ୍ତାରେ ଦୌଡୁଥିବା ଦୃଶ୍ୟର ମଜ୍ଜା ନେଇଥିଲେ ଦେଖଣାହାରୀ ।
ଅପରାହ୍ନରେ ନବୀନ ନିବାସରୁ ରାଜ୍ୟସଭା ନାଁ ଘୋଷଣା ହେବାର କିଛି ସମୟ ପରେ ଏମିତି ଟଙ୍କା ବର୍ଷା ଦେଖିବାକୁ ମିଳିଥିଲା ମାଉସୀମା ଛକ ନିକଟସ୍ଥ ଭୂପିନ୍ଦର ସିଂଙ୍କ ଘର ଆଗରେ । ଭୂପିନ୍ଦର ଥିଲେ ରାଜ୍ୟସଭାର ଦୁଇବର୍ଷିଆ ଅତିଥି । ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇ ଠିକ୍ ୨୦୧୪ ନିର୍ବାଚନ ପୂର୍ବରୁ ବିଜେଡ଼ିରେ ମିଶିଥିଲେ ସେ । ନବୀନ ତାଙ୍କୁ ଶଶୀଭୂଷଣ ବେହେରାଙ୍କ ଜାଗାରେ ରାଜ୍ୟସଭାକୁ ପଠାଇଥିଲେ । ଫଳରେ ତାଙ୍କର କାର୍ଯ୍ୟକାଳ ଦୁଇବର୍ଷ ପାଇଁ ସୀମିତ ରହିଥିଲା । ପୁନର୍ବାର ନବୀନ ତାଙ୍କୁ ରାଜ୍ୟସଭାକୁ ପଠାଇବେ ବୋଲି ଆଶା ବାନ୍ଧି ବସିଥିଲେ ଭୂପିନ୍ଦର ।
ଗାଡ଼ି କିଣିବା ସ୍ୱପ୍ନ ରଖି ଆଗୁଆ ହେଲମେଟ୍ କିଣିବା ଭଳି ଭୂପିନ୍ଦର ଆଉ ୬ ବର୍ଷ ରାଜ୍ୟସଭାରେ କାଟିବା ପାଇଁ ନିଜକୁ ନିଜେ ନିଶ୍ଚିତ ହୋଇଯାଇଥିଲେ । ନବୀନଙ୍କୁ ପ୍ରଭାବିତ କରିବା ପାଇଁ ସବୁ ବଳ କୌଶଳ ଖଟାଇଦେଇଥିଲେ । କାଳେ ନବୀନଙ୍କ ମନ ଭୁଲିଯିବ ସେଥିପାଇଁ ଶେଷ ମୁହୁର୍ତ୍ତରେ ଶୁକ୍ରବାର ସକାଳ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ । ମାତ୍ର ଅପରାହ୍ନରେ ତାଙ୍କର ସବୁ ସ୍ୱପ୍ନ ଧଳିସାତ୍ ହୋଇଗଲା । ବ୍ୟଥା ଓ ବେଦନାକୁ ଧରି ଘରେ କାନ୍ଦୁଣୁ ମାନ୍ଦୁଣୁ ହେଲାବେଳକୁ ଘର ବାହାରେ ବର୍ଷିଥିଲା ନାଲି ନୋଟ୍ । ତାଙ୍କର ମରମ ଆଘାତ ବେଳକୁ କଟା ଘାରେ ଚୂନ ଦେଇ ଟଙ୍କା ବର୍ଷେଇଲେ ଖୋଦ୍ ତାଙ୍କର ଜାତିଭାଇ । ଭୂପିନ୍ଦରଙ୍କ ରାଜ୍ୟସଭା ଟିକେଟ କଟିବାର ଖୁସି ମନାଇ ସେଠାରେ ଟଙ୍କା ବର୍ଷେଇ ଦେଇଥିଲେ ସେମାନେ ।
ଖବର ଅନୁଯାୟୀ, ହଜାରେ ଟଙ୍କିଆ ପ୍ରାୟ ୫ ଲକ୍ଷ ନୋଟ୍ ଫୋପଡ଼ା ଯାଇଥିଲା ଭୂପିନ୍ଦରଙ୍କ ଘର ଆଗରେ । ଭୂପିନ୍ଦରଙ୍କ ରାଜ୍ୟସଭା ବାଟ ଓଗାଳିବା ପାଇଁ କଳାହାଣ୍ଡି ଜିଲ୍ଲା ବିଜେଡ଼ି ନେତୃବୃନ୍ଦ ଜାନ୍ ଖଟାଇଥିଲେ । କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲା ଦିନଠାରୁ ଭୂପିନ୍ଦରଙ୍କୁ ନେଇ କଳାହାଣ୍ଡି ଜିଲ୍ଲା ବିଜେଡ଼ି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ରହିଛି । ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭା ପଠାଇଥିଲେ ମଧ୍ୟ ତାହାକୁ ଗ୍ରହଣ କରିପାରିନଥିଲେ ଜିଲ୍ଲା ନେତୃବୃନ୍ଦ । ଭୂପିନ୍ଦରଙ୍କୁ ସେମାନେ ଅଭ୍ୟାସଗତ ବିଶ୍ୱାସଘାତକତା ଓ ବେଇମାନ ଆଖ୍ୟା ଦେଇଥିଲେ । ତାଙ୍କୁ ପୁଣି ଥରେ ରାଜ୍ୟସଭା ନ ପଠାଇବାକୁ ମୁଖ୍ୟମନ୍ତ୍ରୀଙ୍କ ଉପରେ ପ୍ରବଳ ଚାପ ପକାଇଥିଲେ ସେମାନେ । ଏଥିରେ ସଫଳ ହେବା ପରେ ବିରୋଧୀମାନେ ଖୁସି ମନାଇବାକୁ ସିଧା ଚାଲିଯାଇଥିଲେ ଭୂପିନ୍ଦରଙ୍କ ଘର ଆଗକୁ । ଆଉ ବିଡ଼ା ବିଡ଼ା ନୋଟ୍କୁ ଚାଉଳ ମୁଠା ପରି ଧରି ଶୂନ୍ୟରେ ଉଡ଼ାଇଥିଲେ । ଯାହା ଭାଗ୍ୟରେ ପଡ଼ିଲା ହଜାର ଟଙ୍କିଆ ନୋଟ୍ ଧରି ଘରକୁ ଫେରିଲା । ଏହି ଘଟଣାର ପ୍ରାୟୋଜକ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ବୋଲି କୁହାଯାଉଛି । ତାଙ୍କ ସମର୍ଥକମାନେ ଭୂପିନ୍ଦରଙ୍କ ଘର ଆଗରେ ଟଙ୍କା ଉଡାଇଥିବା ଜଣେ ବରିଷ୍ଠ ବିଜେଡ଼ି ନେତା କହିଛନ୍ତି ।