ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଷ୍ଣୁ ଦାସ ଓ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଏନ୍. ଭାସ୍କର ରାଓଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ସୁନାକଳସ ଢ଼ାଲିଛନ୍ତି । ରାଜ୍ୟସଭା ପାଇଁ ସେମାନଙ୍କ ନାଁ ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡ଼ା ଓ ଭୂପିନ୍ଦର ସିଂଙ୍କ ଜାଗାରେ ସେମାନେ ରାଜ୍ୟସଭା ଯିବେ । ଆସନ୍ତା ୩୧ ତାରିଖରେ ନାମାଙ୍କନପତ୍ର ଦାଖଲର ଶେଷ ଦିନ ଥିବା ବେଳେ ଆଜି ନବୀନ ନିବାସରେ ବିଜେଡ଼ି ସୁପ୍ରିମୋ ଦଳୀୟ ପ୍ରାର୍ଥୀତ୍ୱ ଘୋଷଣା କରିଛନ୍ତି ।
ରାଜ୍ୟସଭାରେ ରାଜ୍ୟର ସବୁ ବର୍ଗ ଓ ଅଞ୍ଚଳର ପ୍ରତିନିଧିତ୍ୱକୁ ମୁଖ୍ୟମନ୍ତ୍ରୀ ବିଚାର କରିଛନ୍ତି । ପଶ୍ଚିମରୁ ପ୍ରସନ୍ନ ଆଚାର୍ଯ୍ୟ, ଦକ୍ଷିଣରୁ ଭାସ୍କର ରାଓ ଏବଂ ଉପକୂଳ ଓଡ଼ିଶାରୁ ବିଷ୍ଣୁ ଦାସ ରାଜ୍ୟସଭାରେ ପ୍ରତିନିଧିତ୍ୱ କରିବେ । ରାଜ୍ୟସଭାରେ ଅଳ୍ପ ଦିନର ଅତିଥି ଥିବା ଭୂପିନ୍ଦର ସିଂଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ରାଜ୍ୟସଭାକୁ ପଠାଇପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ମାତ୍ର ଭୂପିନ୍ଦରଙ୍କ ଉପରୁ ଆସ୍ଥା ହରାଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ ।