ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଲିଙ୍ଗରାଜ ପ୍ରସାଦ ପଟ୍ଟନାୟକ ସାର୍ ହେଉଛନ୍ତି ପୁରୀ-କୋଣାର୍କ ଡେଭଲପ୍ମେଣ୍ଟ ଅଥରିଟି ବା ପିକେଡିଏର ପ୍ଲାନିଂ ମେମ୍ବର । ଭାରି କାମିକା ଅଫିସର । ଚେର୍ ଲାଗିଛି ତୃତୀୟ ମହଲାରେ । ତେବେ ରାଜ୍ୟ ସରକାରଙ୍କ ଏହି କାମିକା ଅଫିସର ମହୋଦୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରଚାର ଓ ପ୍ରସାର ଦାୟିତ୍ୱର ଏକପ୍ରକାର ଠିକା ନେଇଯାଇଛନ୍ତି । ମୋଦି ସରକାରଙ୍କ ଦୁଇବର୍ଷର ସଫଳ ରିପୋର୍ଟ କାର୍ଡକୁ ସେ ହ୍ୱାଟସ୍ ଅପ୍ରେ ବୁଲୋଉଛନ୍ତି । ମୋଦିଙ୍କ ତଥାକଥିତ ଲମ୍ବା ସଫଳତାକୁ ନିଜର ବନ୍ଧୁ ବାନ୍ଧବ, ଚିହ୍ନା ପରିଚିତ ଅଫିସ୍ ସହକର୍ମୀଙ୍କ ମଧ୍ୟରେ ବାଣ୍ଟିବା ସହ ଖୁଦ୍ ପଡ଼ିଏ, ଲୋଗୋ କୋଁ ଭି ପଢ଼ାଇୟେ..ବୋଲି ଲେଖୁଛନ୍ତି ।
ହ୍ୱାଟସ୍ ଅପ୍ରେ ଲିଙ୍ଗରାଜ ସାର୍ଙ୍କ ଏଭଳି ମୋଦି ପ୍ରେମୀ ରୂପକୁ ନେଇ ଖୋଦ୍ ସଚିବାଳୟରେ ଚର୍ଚ୍ଚା । ଜଣେ ସରକାରୀ କର୍ମଚାରୀ ସରକାରଙ୍କ କାର୍ଯ୍ୟକ୍ରମକୁ ଏଭଳି ଖୋଲାଖୋଲି ପ୍ରଚାର ଓ ପ୍ରସାର କରିବା ଆଇନତଃ ନିଷେଧ । ତେବେ ଲିଙ୍ଗରାଜ ବାବୁ ତାହାକୁ ଖାତିର କରିନାହାନ୍ତି । ନବୀନ ପଟ୍ଟନାୟକଙ୍କ ସଫଳତା ନ କହି ଏକାଥରେ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ ଆଡକୁ ଟାଣି ହୋଇଯାଇଛନ୍ତି । ରାଜ୍ୟ ସରକାରଙ୍କ ଜଣେ କର୍ମଚାରୀଙ୍କ ଏଭଳି ଧ୍ରୃଷ୍ଟ୍ରତାକୁ ନେଇ ତାଙ୍କ ସହକର୍ମୀମାନେ ବି ବିସ୍ମିତ । ଲିଙ୍ଗରାଜ ବାବୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଓ ପ୍ରସାର କରିଥିଲେ ଚଳିଥାଆନ୍ତା । ହେଲେ ହ୍ୱାଟସ୍ ଅପ୍ ରେ ଖୋଲାଖୋଲି ମୋଦି ପ୍ରୀତି ଦେଖାଇବା ସେମାନଙ୍କୁ ହଜମ ହୋଇନି ।
ଉଲ୍ଲେଖଯୋଗ୍ୟ, ପୁରୀରେ ଇସ୍କନର ପ୍ରସ୍ତାବିତ ଦ୍ୱିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ ମାମଲାରେ ପିକେଡିଏର ଭୂମିକା ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସେଠାର ପ୍ଲାନିଂ ମେମ୍ବର ଲିଙ୍ଗରାଜ ପଟ୍ଟନାୟକ ଥିଲେ ବିବାଦର ମଞ୍ଜି । ମାମଲାର ଆରଡିସି ତଦନ୍ତ ଚାଲିଥିବାରୁ ଲିଙ୍ଗରାଜ ବାବୁ ଦୋଷୀ ନା ନିର୍ଦୋଷୀ ତାହା ଜଣା ପଡ଼ିନାହିଁ । ତେବେ ନିଜେ ସଂପୃକ୍ତି ଥିବା ମାମଲାର ଆରଡିସି ତଦନ୍ତକୁ ନଜର ଅନ୍ଦାଜ କରି ନିଜର ପଦୋନ୍ନତି ପାଇଁ ମସୁଧା ଚଳାଇଛନ୍ତି ଧ୍ରୃତ ଲିଙ୍ଗରାଜ ବାବୁ । ଦୁଇମାସ ତଳେ ତାଙ୍କର ପଦୋନ୍ନତି ଫାଇଲ୍ ନଗର ଉନ୍ନୟନ ମନ୍ତ୍ରୀଙ୍କ ଟେବୁଲ୍ରୁ ମୋହର ବାଜିବା ଅବସ୍ଥାରେ ଥିବା ବେଳେ ଗଣମାଧ୍ୟମ ଆଖିରେ ପଡ଼ିଯାଇଥିଲା । ଆରଡିସି ତଦନ୍ତ ନ ସରିଲା ପର୍ଯ୍ୟନ୍ତ ତାଙ୍କ ପଦୋନ୍ନତି ଉପରେ ବିଚାର କରାଯିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ମାତ୍ର ଦୁଇମାସ ପରେ ହଠାତ୍ ସେହି ପୁରୁଣା କଥାର ପୁନରାବୃତ୍ତି ହୋଇଛି । ତାଙ୍କର ପଦୋନ୍ନତି ଫାଇଲ୍ ଏବେ ପୁଣି ଥରେ ମନ୍ତ୍ରୀଙ୍କ ପାଖକୁ ଆସିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତାଙ୍କୁ ପଦୋନ୍ନତି ଦେଇ ବିଡ଼ିଏରେ ସୃଷ୍ଟି ହୋଇଥିବା ଭାଲ୍ୟୁଏସନ୍ ଅଫିସର ପଦବୀରେ ଥଇଥାନ କରିବାକୁ ଯୋଜନା ହୋଇଛି । ତେବେ ମୋଦି ସରକାରଙ୍କ ପ୍ରଚାରରେ ମାତିଥିବା ଏହି ଇସ୍କନ୍ ବିବାଦୀୟ ଲିଙ୍ଗରାଜ ବାବୁଙ୍କ ପ୍ରମୋସନ୍ ଫାଇଲ୍କୁ ନେଇ ସଚିବାଳୟ ଉପରମହଲରେ ଗୁଞ୍ଜରଣ ସୃଷ୍ଟି ହୋଇଛି ।