ପୁରୀ: ମଙ୍ଗଳବାର ରଥଯାତ୍ରା ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ସକାଳ ୭ଟାରେ ପହଣ୍ଡି ଏବଂ ଦିନ ୧୨ଟାରେ ରଥଟଣା ଆରମ୍ଭ ହେବ ।
ନିର୍ଘଣ୍ଟ ଅନୁଯାୟୀ, ମଙ୍ଗଳ ଆଳତି ଭୋର୍ ୩ଟାରେ ଅନୁଷ୍ଠିତ ହେବ । ୩ଟା ୧୫ ରେ ମଇଲମ, ୩ଟା ୩୦ରେ ତଡ଼ପଲାଗି, ୪ଟାରେ ରୋଷ ହୋମ, ୪.୩୦ରେ ଅବକାଶ, ୪ଟା ୪୫ରେ ସୂର୍ଯ୍ୟ ପୂଜା ହେବ । ସକାଳ ୫ଟାରେ ଦ୍ୱାରପାଳ ପୂଜା ଓ ବେଶ ସରିବ । ୫ଟା ୩୦ରୁ ୬ଟା ୪୫ ମଧ୍ୟରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ୬ଟା ୪୫ ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ ନୀତି ହେବ ।
ସକାଳ ୭ଟାରେ ଶ୍ରୀଜୀଉମାନଙ୍କର ପହଣ୍ଡି ଆରମ୍ଭ ହେବ । ୧୦ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ହେବ । ମଦନମୋହନଙ୍କ ବିଜେ ହେବା ପରେ ୧୦.୩୦ ରୁ ୧୧ ଟା ମଧ୍ୟରେ ଚିତା ଲାଗି ହେବ । ଦିନ ୧୧ଟା ୩୦ ମଧ୍ୟରେ ବେଶ ସରିବ । ସାଢ଼େ ୧୧ଟାରେ ଛେରାପହଁରା ନୀତି ହେବ । ଏହା ପରେ ଚାରମାଳ ଫିଟା ହୋଇ ଘୋଡା ଓ ସାରଥୀ ଲାଗୁ ହେବ ।
ଦିନ ୧୨ଟାରେ ରଥଟଣା କାର୍ଯ୍ୟ ଆରମ୍ଭ କରାଯିବ । ରଥ ଟଣା ସରିବା ପରେ ମହାପ୍ରଭୁଙ୍କ ଅନ୍ୟ ନୀତିଗୁଡ଼ିକ ରଥ ଉପରେ ଶେଷ କରିବାକୁ ସ୍ଥିର ହୋଇଛି ।