ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାରଙ୍କ ସୂଚନା
ପୁରୀ: ପ୍ରଥମ ଥର ପାଇଁ ବିନା ଭକ୍ତରେ ସାମାଜିକ ଦୂରତା ରଖି ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ପ୍ରତି ରଥ ଟାଣିବା ପାଇଁ ୫୦୦ ସେବାୟତ ଓ ପୁଲିସଙ୍କୁ ଅନୁମତି ଦିଆଯାଇଛି । ଏହିଭଳି ଭାବରେ ୧୫୦୦ ସେବାୟତ ଓ ପୁଲିସକୁ ନେଇ ରଥଟଣା ହେବ । ପ୍ରତି ରଥ ଉପରେ ମାତ୍ର ୧୦ ଜଣଙ୍କୁ ରହିବାର ଅନୁମତି ଦିଆଯିବ । ଅନ୍ୟମାନେ ତଳେ ରହିବେ । ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଇ ରଥଯାତ୍ରା ସମ୍ପନ୍ନ ହେବ ।
ଆଜି ସଂଧ୍ୟାରେ ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜାଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍ କୁମାର ଏହା କହିଛନ୍ତି । ସେ କହିଛନ୍ତି, କୋଭିଡ୍ କଟକଣା ଭିତରେ ଦାୟିତ୍ୱ ସମ୍ପାଦନ ଏକ ଚାଲେଂଜ ହୋଇଥିଲେ ମଧ୍ୟ ସମସ୍ତ ସେବାୟତ ଓ କର୍ମଚାରୀ ଆଗ୍ରହର ସହିତ ଗ୍ରହଣ କରିଛନ୍ତି । ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୁଲିସ କର୍ମୀଙ୍କୁ ସୂଚନା ଦିଆଯାଇ ପୂର୍ବ ପ୍ରସ୍ତୁତି ସରିଗଲାଣି ।
ରଥଯାତ୍ରାରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୁଲିସ କର୍ମୀଙ୍କ ମଧ୍ୟରୁ ୭୫%ଙ୍କର କୋଭିଡ୍ ଟେଷ୍ଟ ସରିଯାଇଥିଲା । ଅନ୍ୟମାନଙ୍କର ଟେଷ୍ଟ ଜାରି ରହିଛି ଏବଂ ଆସନ୍ତାକାଲି ସକାଳ ସୁଦ୍ଧା ରିପୋର୍ଟ ଆସି ଚୂଡ଼ାନ୍ତ ହୋଇଯିବ । କୋଭିଡ୍ ଗାଇଡଲାଇନ୍ ଏବଂ ସୁପ୍ରିମ୍ କୋର୍ଟ ଙ୍କ ନିର୍ଦ୍ଦେଶମତେ ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ରକ୍ଷା କରିବେ । ପହଣ୍ଡି ବେଳେ ସେବାୟତମାନେ ମୁହଁରେ ଗାମୁଛା ବାନ୍ଧିବାକୁ କୁହାଯାଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି ।
କୋଭିଡ୍ ନିୟମ ପାଳନ ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି । ବିଶେଷକରି ପୁରୀବାସୀ ଏବଂ ଗଣମାଧ୍ୟମର ସହଯୋଗ ଲୋଡିଛନ୍ତି ମୁଖ୍ୟ ପ୍ରଶାସକ ।
ସୂଚନାଥାଉକି, ଆଜି ରାତି ୯ଟାରୁ ବୁଧବାର ଦିନ ୨ଟା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । ଏହା କର୍ଫୁ୍ୟ ଭଳି ହେବ । ବାହାର ଲୋକ ପୁରୀକୁ ଯାଇପାରିବେ ନାହିଁ । ଏପରିକି ପୁରୀବାସୀ ବଡ଼ଦାଣ୍ଡ ଆସିପାରିବେ ନାହିଁ । ଏଥିପାଇଁ ପୁଲିସ ପକ୍ଷରୁ କର୍ଡନ କରାଯାଇ କଡ଼ା କଟକଣା ଲାଗିଛି । ପୁରୀକୁ ବସ୍, ଟ୍ରେନ୍ ଚଳାଚଳ ବନ୍ଦ କରାଯାଇଛି ।
ଅପେକ୍ଷାରେ ତିନି ରଥ..