ଭୁବନେଶ୍ୱର: ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପାଳନ କରିବା ପାଇଁ ସୁପ୍ରିମ୍ କୋର୍ଟ ଅନୁମତି ଦେଇଥିବାରୁ ସୁପ୍ରିମ୍ କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଏକ ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ କୋଭିଡ ୧୯ ଯୋଗୁଁ ସାରା ବିଶ୍ୱ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଏହି ପରିସ୍ଥିତିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ କରିବା ନିଶ୍ଚିତ ଭାବରେ ଏକ ଚାଲେଞ୍ଜ । ସାରା ବିଶ୍ୱର ନଜର ଏବେ ଆମ ଆମ ଉପରେ ରହିବ । କୋଭିଡ୍ ପରିସ୍ଥିତିରେ ରଥଯାତ୍ରାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଅତି ସାବଧାନତାର ସହ କରିବାକୁ ହେବ । ଶୃଙ୍ଖଳା ସହିତ ସାମାଜିକ ଦୂରତା ଓ ଗାଇଡଲାଇନସକୁ ପାଳନ କରି କେମିତି ଠାକୁରଙ୍କ ନୀତିକାନ୍ତି କରାଯାଏ, ତାର ନିଦର୍ଶନ ଆମକୁ ସାରା ବିଶ୍ୱକୁ ଦେଖାଇବାକୁ ହେବ ।
ରଥଯାତ୍ରା ପାଇଁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ପୂରା ପ୍ରସ୍ତୁତ । ଠିକ୍ ସମୟରେ ରଥ ଅନୁକୂଳ ଓ ନିର୍ମାଣ ସରିଛି । ଠାକୁରଙ୍କର ସବୁ ରୀତିନୀତି ଠିକ୍ ଭାବରେ ଚାଲିଛି । ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରାର ଉତ୍ତମ ପରିଚାଳନା ପାଇଁ ୩ ଜଣ ମନ୍ତ୍ରୀ ପୁରୀରେ କ୍ୟାମ୍ପ କରିବେ । ତେବେ ସବୁରି ଉପରେ ହିଁ ମହାପ୍ରଭୁଙ୍କ ଇଚ୍ଛା । ତାଙ୍କର ଇଚ୍ଛା ପାଳନ କରିବା ପାଇଁ ଆମେ ସବୁବେଳେ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସାଢ଼େ ୪ କୋଟି ଓଡ଼ିଆଙ୍କ ବିଜୟ: ଧର୍ମେନ୍ଦ୍ର ପ୍ରଧାନ

ପୁରୀରେ ରଥଯାତ୍ରା ପାଇଁ ସୁପ୍ରିମ୍ କୋର୍ଟଙ୍କ ଅନୁମତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରି ଏହା ସାଢ଼େ ୪ କୋଟି ଓଡ଼ିଆଙ୍କ ବିଜୟ ଏବଂ ସେମାନଙ୍କ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି, ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରଦ୍ଧା, ଭକ୍ତି, ଆସ୍ଥା ଓ ସମ୍ମାନର ଅସରନ୍ତି ଉତ୍ସ । ବିନା ଭକ୍ତ ସମାଗମରେ ପୁରୀର ରଥଯାତ୍ରା ପାଇଁ ସୁପ୍ରିମ୍ କୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଥିବା ବେଳେ ରାଜ୍ୟ ସରକାର ଏହାକୁ ସଠିକ୍ ପରିଚାଳନା କରିବେ ବୋଲି ଦୃଢ଼ ବିଶ୍ୱାସ ରହିଛି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କଠାରୁ ରଖୁଥିବା ସମ୍ଭାବ୍ୟ ଅପେକ୍ଷାକୁ ମଧ୍ୟ ପୂରଣ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମହାପ୍ରଭୁଙ୍କର ଆଶିର୍ବାଦ ରହିଲା: ସମୀର ମହାନ୍ତି

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ସୁପ୍ରିମ୍ କୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି । ଚଳିତବର୍ଷ ରଥଯାତ୍ରା କରିବା ନିମନ୍ତେ ଶେଷ ମୁହୁର୍ତ୍ତରେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଆନ୍ତରିକତା ଓ ସବୁଦିଗକୁ ସୁପ୍ରିମ୍ କୋର୍ଟ ବିଚାର କରିବା ନିଶ୍ଚିତ ଭାବେ କୋଟି କୋଟି ଜଗନ୍ନାଥପ୍ରେମୀ ଓ ସାଢ଼େ ୪ କୋଟି ଓଡ଼ିଆଙ୍କୁ ଖୁସି ଦେଇଛି । ରଥଯାତ୍ରା ହେଉ ବୋଲି ଆମ ସମସ୍ତଙ୍କର ଇଚ୍ଛା ଥିଲା । ମହାପ୍ରଭୁଙ୍କ ଆଶିର୍ବାଦ ରହିଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେହି କଥା ହେଲା, ଅଯଥା ସମୟ ଗଲା:ନିରଞ୍ଜନ








