ଭୁବନେଶ୍ୱର: ଭୟଙ୍କର ରୂପ ନେଉଛି ବାତ୍ୟା ‘ତିତଲି’ । ବର୍ତ୍ତମାନ ଏହା ଗୋପାଳପୁରଠାରୁ ପ୍ରାୟ ୫୦୦ କିମି ଦକ୍ଷିଣ ପୂର୍ବ ଦିଗରେ ଅବସ୍ଥାନ କରୁଛି । ଆସନ୍ତା ୧୮ ଘଣ୍ଟା ମଧ୍ୟରେ ଏହା ସିଭିୟର୍ ସାଇକ୍ଲୋନ୍ ବା ଭୟଙ୍କର ବାତ୍ୟାର ରୂପ ନେବାର ସମ୍ଭାବନା ଅଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପାଟନମ୍ ଏବଂ ଗୋପାଳପୁର ମଧ୍ୟ ଦେଇ ପଶ୍ଚିମବଙ୍ଗ ଆଡକୁ ଅତିକ୍ରମ କରିବ । ଏହାର ପ୍ରଭାବରେ ଆଜି ମଧ୍ୟରାତ୍ରରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ । ୧୦ ତାରିଖ ଓ ୧୧ ତାରିଖ ଦୁଇଦିନ ଧରି ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୧ ତାରିଖ ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଏହି ସମୟ ବେଳକୁ ବର୍ଷା ସହ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ସମ୍ଭାବ୍ୟ ବାତ୍ୟାରେ ଗଂଜାମ ଓ ଗଜପତି ଜିଲ୍ଲା ବିଶେଷ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଏହି ଦୁଇଟି ଜିଲ୍ଲା ସମେତ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ବି ବିଶେଷ ପ୍ରଭାବିତ ହୋଇପାରେ । ଏହି ୫ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିଭଳି ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର,ଢ଼େଙ୍କାନାଳ, ଭଦ୍ରକ, ଓ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରାୟଗଡ଼ା, କୋରାପୁଟ, କନ୍ଧମାଳ,କଳାହାଣ୍ଡି,ବୌଦ୍ଧ ଜିଲ୍ଲାରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସରକାର ଅତ୍ୟନ୍ତ ସତର୍କ ହୋଇଯାଇଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳମାନେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ୨୦ଟି ଓଡ୍ରାଫ୍ ଟିମ୍ ଏବଂ ୧୧ଟି ଏନଡିଆରଏଫ ଟିମ୍ କୁ ପ୍ରସ୍ତୁତ ରଖାଯାଇଛି । ବେଶୀ ପ୍ରଭାବିତ ଆଶଙ୍କା କରାଯାଉଥିବା ୫ଟି ଜିଲ୍ଲାରେ ଓଡ୍ରାଫ୍ ଟିମ୍ ବିଭିନ୍ନ ଜାଗାରେ ପ୍ରସ୍ତୁତ ରହିଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଚିବାଳୟଠାରେ ସମ୍ଭାବ୍ୟ ବାତ୍ୟା ଓ ଏହାର ମୁକାବିଲା ନେଇ ଉଚ୍ଚସ୍ତରୀୟ ବୈଠକ କରିଥିଲେ । ପ୍ରତି ବିଭାଗ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ୪ଟି ଜିଲ୍ଲା ଗଂଜାମ, ଗଜପତି, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ସବୁ ସ୍କୁଲ, କଲେଜକୁ ଆସନ୍ତାକାଲିଠାରୁ ଛୁଟି ଘୋଷଣା କରାଯାଇଛି । ଅଙ୍ଗନବାଡ଼ିଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ପରିସ୍ଥିତିକୁ ଦେଖି ଅନ୍ୟ ଜିଲ୍ଲାଗୁଡ଼ିକ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ସେପଟେ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ ମେହେର୍ଦ୍ଦା ଆଜି ଜଗତସିଂହପୁର, ଗଂଜାମ, ଗଜପତି, ପୁରୀ, କେନ୍ଦ୍ରାପଡ଼ା, କନ୍ଧମାଳ, ବାଲେଶ୍ୱର, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର,ଭଦ୍ରକ, ବୌଦ୍ଧ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି । ଜିଲ୍ଲାରେ ଜଣେ ଲେଖାଏଁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଡାକ୍ତରଖାନାରେ ଜେନେରେଟର, ଆବଶ୍ୟକୀୟ ଔଷଧ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖିବାକୁ କୁହାଯାଇଛି । ପ୍ରସୂତିମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସଚିବ ନିର୍ଦ୍ଦେଶ ଜାରି କରିଛନ୍ତି ।
ତିତଲିର ତୀବ୍ରତା ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟାର ଅବସ୍ଥାନକୁ ଦେଖିଲେ ତାହା ବିଗତ ଫାଇଲିନ୍ କିମ୍ବା ହୁଡହୁଡ଼୍ ଠାରୁ ଭୟଙ୍କର ନୁହେଁ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି । ତିତଲିକୁ ନେଇ ବିଶେଷ ଆଶଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।