ଅତିଥି ସ୍ତମ୍ଭ: ରତ୍ନାକର ଜେନା
ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ନିର୍ବାଚନ ଲଢ଼ନ୍ତୁ ବୋଲି ତାଙ୍କ ଦଳ ଚାହୁଁଛି । ରାଜ୍ୟ ବିଜେପିର ଏହି ପ୍ରସ୍ତାବ ସଂକ୍ରାନ୍ତରେ ସଭାପତି ବସନ୍ତ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମୋଦୀ ପୁରୀରୁ ଲଢ଼ିଲେ ଓଡ଼ିଶାରେ ବିଜେପି ସପକ୍ଷରେ ପ୍ରବଳ ହାୱା ସୃଷ୍ଟି ହେବ ଓ ସେହି ହାୱାରେ ବିଜେପିର ଅଧିକାଂଶ ପ୍ରାର୍ଥୀ ଜିତିଯିବେ ବୋଲି ଏହି ଦଳର ଧାରଣା ରହିବା ସ୍ୱଭାବିକ । ଏହାଛଡ଼ା ଉତ୍ତର ଓ ପଶ୍ଚିମ ଭାରତରେ ବିଜେପି ଏଥର ପୂର୍ବ ଆସନ ରକ୍ଷା କରିବାର ସମ୍ଭାବନା ନ ଥିବାରୁ ତାହାର କ୍ଷତି ପୂର୍ବ ଭାରତରୁ ବିଶେଷକରି ପଶ୍ଚିମବଙ୍ଗ ଏବଂ ଓଡ଼ିଶାରୁ ଭରଣା କରିବା ପାଇଁ ବିଜେପି ଚାହିଁ ବସିଛି । ମୋଦୀ ପୂର୍ବ ଭାରତରୁ ଲଢ଼ିଲେ ଯାଇ ସେହି ଲକ୍ଷ୍ୟ ହାସଲ ହୋଇପାରିବ ଭାବି ଓଡ଼ିଶା ବିଜେପି ପୁରୀରୁ ତାଙ୍କୁ ପ୍ରାର୍ଥୀ କରିବାକୁ ପ୍ରସ୍ତାବ ଦେଇଥାଇପାରେ ବୋଲି ମନେ କରାଯାଉଛି ।
କିନ୍ତୁ ଏଠାରେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଧାନସଭା ଓ ଲୋକସଭା ନିର୍ବାଚନ ଏଠାରେ ଏକ ସାଂଗରେ ହେବ । ଏକାଠି ନିର୍ବାଚନ ହେଉଥିବା ରାଜ୍ୟମାନଙ୍କରେ ପ୍ରାୟତଃ ଦେଖାଯାଏ ଯେ ଯେଉଁ ଦଳର ପ୍ରାର୍ଥୀ ବିଧାୟକ ନିର୍ବାଚିତ ହୁଅନ୍ତି, ସେହି ଦଳର ସାଂସଦ ପ୍ରାର୍ଥୀ ହିଁ ନିର୍ବାଚନ ଜିଣନ୍ତି । ଓଡ଼ିଶାର ଅବିକା ସ୍ଥିତିରେ ବିଜେଡ଼ି ପଲା ବହୁ ଭାରି । ନବୀନ ପଟ୍ଟନାୟକଙ୍କ ସମକକ୍ଷ ବା ବିକଳ୍ପ ନେତା ଭାବେ ଏ ପର୍ଯ୍ୟନ୍ତ କେହି ଜନସାଧାରଣଙ୍କ ଆସ୍ଥା ପାଇନାହାନ୍ତି । ‘ଇଣ୍ଡିଆ ଟୁଡେ’ର ସଦ୍ୟତମ ସର୍ଭେ କହୁଛି, ଓଡ଼ିଶାର ୫୯ ପ୍ରତିଶତ ଲୋକଙ୍କ ସମର୍ଥନ ନବୀନ ପଟ୍ଟନାୟକଙ୍କ ପ୍ରତି ରହିଛି । ଏହି ୫୯ ପ୍ରତିଶତ ଲୋକ ନବୀନଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ତାଙ୍କ ତୁଳନାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଲୋକପ୍ରିୟତା କାହିଁ କେତେ କମ । ମାତ୍ର ୨୧ ପ୍ରତିଶତ ଲୋକ ତାଙ୍କୁ ପସନ୍ଦ କରୁଛନ୍ତି । ଏଇଠି ଦେଖିବାର କଥା ଯେ ନରେନ୍ଦ୍ର ମୋଦୀଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବେ ଓଡ଼ିଶାର ୫୪% ଲୋକ ପସନ୍ଦ କରୁଥିଲା ବେଳେ ତାଙ୍କ ଦଳର ଓଡ଼ିଶା ଭାବି ମୁଖ୍ୟମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପଛରେ ରହୁଛି ୨୧% ଲୋକଙ୍କ ସମର୍ଥନ । ଅର୍ଥାତ, ୩୩% ଲୋକ ଏପରି ଅଛନ୍ତି ଯେଉଁମାନେ କି ମୋଦି(ବିଜେପି)ଙ୍କୁ ସମର୍ଥନ କରୁଛନ୍ତି ଅଥଚ ଧର୍ମେନ୍ଦ୍ରଙ୍କୁ ସମର୍ଥନ କରିପାରୁନାହାନ୍ତି । ‘ଇଣ୍ଡିଆ ଟୁଡ଼େ’ ଏବଂ ‘ପିପୁଲସ୍ ପଲସ୍’ ଭଳି ଦୁଇ ଦୁଇଟି ସଂସ୍ଥାର ସର୍ଭେ ଆକଳନରୁ ଏହା ବି ସ୍ପଷ୍ଟ ଯେ ଓଡ଼ିଶାରେ ବିଜେପି ଏକାକୀ ସଂଖ୍ୟାଗରିଷ୍ଠତା ପାଇ ସରକାର ଗଢ଼ିବାର ସମ୍ଭାବନା ନାହିଁ ।
ଏପରି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦି ପୁରୀରୁ ଲଢିପାରନ୍ତି ବୋଲି ବିଜେପି ଯେଉଁ ପ୍ରଚାର ଆରମ୍ଭ କରିଛି ତାହା ପଛର ଉଦ୍ଦେଶ୍ୟ ବାରି ହୋଇପଡୁଛି । ଓଡ଼ିଶାରେ ଦୁର୍ବଳ ଅବସ୍ଥାରେ ପଡ଼ିଥିବା ନିଜର ସାଂଗଠନିକ ଶକ୍ତିକୁ ବିଜେପି ସବଳ ନ କରି କେବଳ ମୋଦି ହାୱାକୁ ଭରସା କରିବା ଦ୍ୱାରା ଦଳର ଅସହାୟତା ପଦାରେ ପଡ଼ିଲାଣି । ମୋଦି ପୁରୀରୁ ଲଢ଼ିଲେ ବିଜେପି ସପକ୍ଷରେ ଅଧିକ ଭୋଟ ଠୁଳ ହେବ ଓ ସେମାନଙ୍କୁ କ୍ଷମତା ଗାଦିରେ ବସାଇ ଦେବ ବୋଲି ଓଡ଼ିଶାର ବିଜେପି ନେତାମାନେ ମନେ ମନେ ଗୁଡ଼ ଖାଉଛନ୍ତି । ବିଜେପି ନିଜ ଦଳରୁ ଓଡ଼ିଶାରେ ନବୀନଙ୍କ ବିକଳ୍ପ ନେତାକୁ ଖୋଜି ପାଉନି । ନିଜ ନେତାଙ୍କର ଭାବମୂର୍ତ୍ତି ଓ ଜନପ୍ରିୟତାକୁ ନେଇ ଓଡିଶାରେ ଜନ ସମର୍ଥନ ହାସଲ କରିପାରିବାର ଦମ୍ଭ ସମ୍ଭବତଃ ବିଜେପିର ନାହିଁ ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ନରେନ୍ଦ୍ର ମୋଦୀ ଓଡ଼ିଶା ଆସି ପୁରୀରୁ କ’ଣ ପାଇଁ ନିର୍ବାଚନ ଲଢ଼ିବେ? ଗତ ନିର୍ବାଚନରେ ସେ ନିଜ ରାଜ୍ୟ ଗୁଜୁରାଟର ଭଦଦୋରା ଓ ଉତ୍ତରପ୍ରଦେଶର ବାରାଣାସୀରୁ ନିର୍ବାଚନ ଲଢ଼ିଥିଲେ । ଦୁଇଟି ଯାକରୁ ଜିତିବା ପରେ ନିଜ ରାଜ୍ୟ ଆସନଟିକୁ ଛାଡ଼ିବାକୁ ବାଧ୍ୟ ହେଲେ । କାରଣ ଉତ୍ତରପ୍ରଦେଶ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା । ଦିଲ୍ଲୀ ଗାଦିରେ ରହିବାକୁ ହେଲେ ୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶକୁ ସେ କେବେ ବି ଅଣଦେଖା କରିପାରି ନ ଥାଆନ୍ତେ କି କରିପାରିବେ ନାହିଁ । ସୁତରାଂ ଆଗାମୀ ନିର୍ବାଚନରେ ସେ ଏହି ବାରାଣାସୀ ଆସନ କଦାପି ଛାଡ଼ିପାରିବେ ନାହିଁ । ଦ୍ୱିତୀୟ ଆସନ ଲଢ଼ିବା ପାଇଁ ସେ ସେ ନିଜ ରାଜ୍ୟ ଗୁଜୁରାଟକୁ ପୂର୍ବଭଳି ଛାଡ଼ିପାରିବେ ନାହିଁ । ଏଭଳିକ୍ଷେତ୍ରରେ ମୋଦୀ ପୁରୀରୁ ଆସି ନିର୍ବାଚନ ଲଢ଼ିବାର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ । ମୋଦୀ କ’ଣ ନିଜର ପ୍ରଧାନମନ୍ତ୍ରୀ ଆସନକୁ ବଳି ଦେଇ ଏଠି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବାକୁ ପୁରୀ ଆସିବେ?
ବାକି ରହିଲା ଏକାକୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଏଠି ନିର୍ବାଚନ ଲଢ଼ିବା । ବର୍ତ୍ତମାନର ବାସ୍ତବ ସ୍ଥିତି ଯାହା ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ବିଜେପି ଆଖିଦୃଶିଆ ସଫଳତା ପାଇବା ମୋଟରୁ ଜଣାପଡୁନି । ବିଜେପିର ସାଂଗଠନିକ ସ୍ଥିତି ତ ଯାହା ଦୁର୍ବଳ, ସାଙ୍ଗକୁ ଧର୍ମେନ୍ଦ୍ରଙ୍କ ନେତୃତ୍ୱକୁ ଦଳର ସବୁ ନେତା ମାନିବାକୁ ପ୍ରସ୍ତୁତ ନାହାନ୍ତି । ଧର୍ମେନ୍ଦ୍ରଙ୍କ ବିରୋଧରେ ସେମାନଙ୍କର ଭୀଷଣ ଅସନ୍ତୋଷ ରହିଛି । ଦଳର ଅନେକ ବରିଷ୍ଠ ନେତା ଧର୍ମେନ୍ଦ୍ରଙ୍କ ଉପରେ ଆଦୌ ଖୁସି ନାହାନ୍ତି । ବରିଷ୍ଠମାନଙ୍କୁ ଅଣଦେଖା କରି ନିଜର ନିର୍ଦ୍ଦିଷ୍ଟ ଅନୁଗତଙ୍କୁ ନେଇ ଧର୍ମେନ୍ଦ୍ର ଦଳ ପରିଚାଳନା କରୁଥିବା ସେମାନେ ଅନୁଭବ କରୁଛନ୍ତି । କ୍ଷମତାର ଅହଂକାରରେ ଧର୍ମେନ୍ଦ୍ର ଅନ୍ଧ ହୋଇଯାଇଥିବା ଅନେକଙ୍କର ହୃଦବୋଧ ହେଉଛି । ଯେଉଁଥିପାଇଁ ନବୀନଙ୍କ ବିକଳ୍ପ ଭାବେ ନିଜକୁ ଛିଡ଼ା କରାଇବାର ସବୁ ସାମର୍ଥ, ସୁଯୋଗ ପାଇଥିଲେ ବି ତାଙ୍କଠାରୁ ହାତଛଡ଼ା ହୋଇଛି ବୋଲି ଅନେକ ବିଚାର କରୁଛନ୍ତି । ଏତିକି କୁହାଯାଇପାରେ କି ବିଜେପି ଓଡ଼ିଶାରେ ଜିତିବାକୁ ଚାହୁଁଥିଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ହାସଲ କରାଯିବା ସମ୍ଭବପର ନୁହେଁ । ସେଥିପାଇଁ ଦୃଢ଼ ନେତୃତ୍ୱ ବିଜେପିକୁ ଖୋଜିବାକୁ ପଡ଼ିବ । କେବଳ ମୋଦିଙ୍କର ନାଁରେ ଭୋଟ ଗୋଟେଇ ପାରିବ ନାହିଁ ।