ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି । ଡିପ୍ରେସନ୍ କ୍ରମେ ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ଆଡକୁ ମୁହାଁଉଛି । ଆସନ୍ତାକାଲି ଏହା ଡିପ୍ ଡିପ୍ରେସନ୍ ରୂପ ନେବାର ସମ୍ଭାବନା ଅଛି । ୧୦ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ । ୧୧ ତାରିଖ ସକାଳେ ବାତ୍ୟା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ । ପଅରଦିନ ଅର୍ଥାତ ୧୦ ତାରିଖ ସଂଧ୍ୟାରୁ ୧୧ ତାରିଖ ଦ୍ୱିପ୍ରହର ଯାଏଁ ବର୍ଷା ସହି ପବନ ବହିବ । ଏହି ସମୟରେ ଦକ୍ଷିଣ ଓଡ଼ିଶା ଉପକୂଳରେ ୮୦ ରୁ ୧୦୦ କିମି ବେଗରେ ପବନ ବହିବାର ସମ୍ଭାବନା ଅଛି । ୧୦ ତାରିଖରୁ ଉପକୂଳ ଓଡ଼ିଶାରେ ପବନର ବେଗ ୭୦ରୁ ୯୦ କିମି ହେବ । ୧୦ ଓ ୧୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବାଲି ପାଣିପାଗ ବିଭାଗର ଆକଳନ କହୁଛି ।
ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ଆଖିରେ ରଖି ରାଜ୍ୟ ସରକାର ସତର୍କ ହୋଇଯାଇଛନ୍ତି । ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସଜାଗ କରାଯାଇଛି । ସରକାରୀ କର୍ମଚାରୀଙ୍କ ଛୁଟି ଉପରେ କଟକଣା ଜାରି ହୋଇଛି । ଏସଆରସି ଓ ଓସଡମା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେପଟେ ମତ୍ସଜୀବୀମାନେ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ମାଛ ଧରିବାକୁ ସମୁଦ୍ର ଯାଇଥିବା ମତ୍ସଜ୍ୟବୀମାନେ ତୁରନ୍ତ ଫେରିଆସିବାକୁ କୁହାଯାଇଛି ।