ଭୁବନେଶ୍ୱର: ବେଳକୁ ବେଳ ଭୟଙ୍କର ରୂପ ଧାରଣ କରୁଛି ‘ଅମ୍ପନ୍’ । କ୍ରମଶଃ ଶକ୍ତିଶାଳୀ ହୋଇ ଆଜି ସଂଧ୍ୟା ସୁଦ୍ଧା ଏହା ସୁପର୍ ସାଇକ୍ଲୋନ୍ ର ରୂପ ନେବାକୁ ଯାଉଛି । ୧୨ ଘଣ୍ଟା ଭିତରେ ଏହା ସମୁଦ୍ର ଭିତରେ ହିଁ ସୁପର୍ ସାଇକ୍ଲୋନ୍ ର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୬୫ କିମି ହୋଇପାରେ ।
ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ସୃଷ୍ଟ ଏହି ଘୂର୍ଣ୍ଣିଝଡ଼ ଭୋର୍ ସାଢ଼େ ତିନିଟାରେ ଅତି ଭୟଙ୍କର ସାମୁଦ୍ରିକ ଝଡ଼ରେ ପରିଣତ ହୋଇଥିବା ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ପାରାଦ୍ୱୀପଠାରୁ ୭୯୦ କିମି ଏବଂ ଦୀଘାର ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମକୁ ୯୪୦ କିମି ଦୂରରେ ବର୍ତ୍ତମାନ କେନ୍ଦ୍ରୀଭୂତ ରହିଥିବା ବାତ୍ୟା ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଘଣ୍ଟା ପ୍ରତି ୧୩ କିମି ବେଗରେ ମାଡ଼ି ଆସୁଛି । ୨୦ ତାରିଖ ସଂଧ୍ୟାରେ ଦୀଘା ଓ ବାଲାଂଦେଶର ହାତିଆ ଦ୍ୱୀପପୁଞ୍ଜ ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବ ।
ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ଓଡ଼ିଶାରେ ବର୍ଷା ପବନ ଆରମ୍ଭ ହୋଇଯିବ । ଦକ୍ଷିଣରେ ଗଜପତି ଜିଲ୍ଲାରୁ ଆରମ୍ଭ କରି ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରରଣ ବର୍ଷା ହେବ । ଏହି ସମୟରେ ୪୫ ରୁ ୫୫ କିମି ବେଗରେ ପବନ ବହିବ । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ସଂଧ୍ୟାରୁ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଆଦି ଜିଲ୍ଲାରେ ୭୫ରୁ ୯୫ କିମି ବେଗରେ ପବନ ବହିବା ସହ ପ୍ରବଳରୁ ଅତି ପ୍ରବ ଳ ବର୍ଷାର ସମ୍ଭାବନା ଅଛି । ୨୦ ତାରିଖରେ ସୁପର୍ ସାଇକ୍ଲୋନ୍ ଲ୍ୟାଣ୍ଡଫଲ୍ କରିବା ପରେ ଉତ୍ତର ଓଡ଼ିଶା ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବ ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଇତିମଧ୍ୟରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି ।