ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ପରେ ସମସ୍ତଙ୍କ ଭିଡ଼ ଜମିଥିଲା କ୍ୟାପିଟାଲ୍ ହସ୍ପିଟାଲରେ । ମୃତ ଓ ଗୁରୁତରଙ୍କୁ ତୁରନ୍ତ କ୍ୟାପିଟାଲ୍ ହସ୍ପିଟାଲ ବୁହାଯାଉଥିବାରୁ ସେଠାରେ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ଦଳର ନେତାଙ୍କର ଭିଡ଼ ହୋଇଥିଲା । ଏହି ସ୍ପର୍ଶକାତର ଦୁର୍ଘଟଣାରେ କ୍ୟାପିଟାଲ୍ ହସ୍ପିଟାଲ୍ ପରିବେଶ ଶୋକାକୁଳ ହୋଇପଡ଼ିଥିଲା ବେଳେ ସମସ୍ତଙ୍କ ନଜରକୁ ପଶି ଆସିଥିଲେ ଶାସକ ଦଳର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସଂଧ୍ୟାବେଳୁ ପେଟେ ମଦ ପିଇ ଦେଇଥିବା ଜଗଦ୍ଦେବ ସେହି ଭିଡ଼ ଭିତରେ ଆରମ୍ଭ କରିଦେଇଥିଲେ ଉତ୍ପାତ । କଞ୍ଚା ଦୋଅକ୍ଷରୀରେ ଯାହାକୁ ଇଚ୍ଛା ତାକୁ ସୋଧୁଥିଲେ । ତାଙ୍କ ଅଞ୍ଚଳର ଜଣେ ରୋଗୀ କୁଆଡେ ଗଲା ବୋଲି ହସ୍ପିଟାଲ୍ ର କିଛ କର୍ମଚାରୀଙ୍କୁ ପଚାରି ଭୀଷଣ ଗାଳିମନ୍ଦ କରିଥିଲେ । ତାଙ୍କୁ ଅଟକାଇବାକୁ କିଛି ଯୁବକ ଉଦ୍ୟମ କରୁଥିଲା ବେଳେ ବାହୁବଳି ବିଧାୟକ ନିଜ ସମର୍ଥକମାନଙ୍କୁ ଧରି ସେମାନଙ୍କୁ ମାରଧର କରିଥିଲେ । ଏକ ଶୋକାକୁଳ ପରିବେଶରେ ବିଧାୟକଙ୍କ ଏଭଳି ଉତ୍ପାତକୁ ସାଧାରଣ ଜନତା ବିରୋଧ କରି ବେଶ୍ ହଲାପଟା କରିଥିଲେ । କିଛି ଲୋକ ତାଙ୍କୁ ଧକ୍କିଆ ମାରି ହସ୍ପିଟାଲ୍ ବାହାରକୁ ଭିଡ଼ି ଭିଡ଼ି ନେଉଥିବା ଦେଖିବାକୁ ମିଳିଥିଲା ।
ତେବେ ନିଶାରେ ଚୁର୍ ଥିବା ମାତାଲ ବିଧାୟକ ଲଜ୍ଜା ମହତ୍ ଭୁଲି ପୁଣି ସେଠାରେ ଉତ୍ପାତ କରିଥିଲେ । ବିଶେଷକରି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଲକ୍ଷ୍ୟ କରି ଅଭାଷାରେ ଗାଳି କରିଥିଲେ । ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କ ବିରୋଧରେ କାହିଁକି ଷ୍ଟୋରି କରୁନ ବୋଲି ଚିକ୍ରାର କରିଥିଲେ । ପାଦ ଠିକ୍ ରେ ପଡୁ ନ ଥିବା ବିଧାୟକଙ୍କର ନାଲି ଟହ ଟହ ଆଖି ଓ ଖନି ପାଟିରେ ସମସ୍ତଙ୍କୁ ଗାଳିଗୁଲଜ ସେଠାରେ ଦେଖଣାହାରୀଙ୍କୁ ଆଚମ୍ବିତ କରିଥିଲା ।
“ମୁଁ ଲୋକଙ୍କ ପ୍ରତିନିଧି । ଅନ୍ୟାୟ ବିରୋଧରେ ସଂଗ୍ରାମ କରିବି.. କରିବି । ସ୍କୁଲରେ ପଢ଼ିଲା ବେଳେ କ୍ଲାସ୍ ମନିଟର୍ ହୋଇ ସାର୍ ଙ୍କ ଅନ୍ୟାୟ ବିରୋଧରେ ପାଟି କରିଛି । କାହାକୁ ମୁଁ ଛାଡ଼ିବିନି । ଆମେ ପାୱାରରେ ଅଛୁ । କେହି ମତେ ହଲାଇ ପାରିବେ ନାହିଁ । ମୁଁ ଯାହା କରୁଛି ଠିକ୍ କରୁଛି । ଏଥିରେ ମୋ ଦଳ କି ନବୀନ ପଟ୍ଟନାୟକ ବଦନାମ ହେଲେ ବି ମୋର ଖାତିର ନାହିଁ ।’’ ନିର୍ଦ୍ଦିଷ୍ଟ ଭାବେ ଏହି କଥାକୁ ବାରମ୍ବାର କହି ବିଳାପ କରୁଥିଲେ ବାହୁବଳୀ ପ୍ରଶାନ୍ତ ଜଗଦ୍ଦେବ । ଏକ ଦୁଃଖଦାୟକ ମୁହୁର୍ତ୍ତରେ ଶାସକ ଦଳର ଜଣେ ବିଧାୟକଙ୍କର ଏଭଳି ଉତ୍ପାତ ଓ ଅଭଦ୍ରୋଚିତ କାରନାମାକୁ ଦେଖଣାହାରୀମାନେ ଛି ଛାକର କରୁଥିଲେ । ତାଙ୍କୁ ପ୍ରତିବାଦ କରୁଥିବା ଲୋକଙ୍କୁ ସେ ନାଲି ଆଖି ଦେଖାଉଥିବା ବେଳେ ତାଙ୍କର ସହଯୋଗୀ ଗୁଣ୍ଡାମାନେ ହଲାପଟା କରିବା ଭଳି ଅଭାବନୀୟ ଦୃଶ୍ୟ କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ମଧ୍ୟରାତ୍ର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା ।