ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସମ୍ ହସ୍ପିଟାଲ୍ ଅଧୀକ୍ଷକ ସମେତ ୪ ଜଣ ମଝି ମଝିଆ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି । ହେଲେ ମାଲିକ ମନୋଜ ନାୟକଙ୍କ ପାଖରେ ଏ ଯାଏଁ ପୁଲିସ ପହଞ୍ଚିପାରିନି । ମନୋଜ ନାୟକଙ୍କୁ ତୁରନ୍ତ ଗିରଫ କରିବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ଏକ ସୂତ୍ରରୁ ସୂଚନା ମିଳିଥିଲେ ହେଁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସେ ଗିରଫ ହୋଇନାହାନ୍ତି ।
ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ ମଙ୍ଗଳବାର ସଂଧ୍ୟାରେ ଖଣ୍ଡଗିରି ଥାନାରେ ଖୋଦ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ଦୁଇଟି ଏତଲା ହୋଇଛି । ଅଗ୍ନିଶମ ବିଭାଗ ଡିଜି ଏକ ଏତଲା ଦେଇଥିଲା ବେଳେ ଡିଏମଇଟି ପକ୍ଷରୁ ଅନ୍ୟ ଏକ ଏତଲା ହୋଇଛି । ହସ୍ପିଟାଲ୍ କର୍ତ୍ତୃପକ୍ଷ ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରି ନ ଥିବା ଉଭୟ ଏତଲାରେ ଦର୍ଶାଯାଇଛି । ପରିଚାଳନାଗତ ତ୍ରୁଟି, ଆନୁସଙ୍ଗିକ ସୁରକ୍ଷା ବ୍ୟବସ୍ଥା ଓ ଦାୟିତ୍ୱହୀନତା ପାଇଁ ୨୦ ଟି ଜୀବନ ଯାଇଛି । ସମୁଦାୟ ଦୁର୍ଘଟଣା ପାଇଁ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ଏତଲାରେ ଦାୟୀ କରାଯାଇଛି । ପୁଲିସ ଏତଲା ଗ୍ରହଣ କରି ତୁରନ୍ତ ୪ ଜଣଙ୍କୁ ଗିରଫ କରିଥିଲେ ମଧ୍ୟ ମୁଖ୍ୟ ଅପରାଧୀ ହସ୍ପିଟାଲ୍ ମାଲିକଙ୍କୁ ଗିରଫ ନ କରିବା ଚର୍ଚ୍ଚାର ବିଷୟ ହୋଇଛି ।
ଅନ୍ୟପକ୍ଷରେ ମନୋଜ ନାୟକଙ୍କ ଗିରଫ ପ୍ରସଙ୍ଗକୁ ନେଇ ଖୋଦ୍ ଶାସକ ଶିବିରରେ ଛକାପଂଝା ଆରମ୍ଭ ହୋଇଛି । ମନୋଜ ନାୟକ ଯେଭଳି ଗିରଫ ନ ହୁଅନ୍ତି ସେଥିପାଇଁ ଶାସକ ଦଳର ଏକ ପାୱାରଫୁଲ୍ ଗୋଷ୍ଠୀ ବଳକୌଶଳ ଖଟାଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ଏହି ବିରୋଧୀ ଗୋଷ୍ଠୀ ସଂଧ୍ୟାରେ ଏକ ଗୋପନ ବୈଠକରେ ଏକାଠି ହୋଇ ଏହାର ମନ୍ତ୍ରଣା କରିଛନ୍ତି । ସେଥିରେ ଅତନୁଙ୍କୁ ବଦନାମ କରାଇ ମନ୍ତ୍ରୀପଦରୁ ହଟାଇବା ବାଟର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଏହି ବ୍ଲୁ ପ୍ରିଣ୍ଟ୍ ରେ ମନୋଜ ନାୟକଙ୍କୁ ସୁରକ୍ଷା ଦେବାକୁ ଚାଲ୍ ରଚାଯାଇଛି । ଏମିତି ହେଲେ ଯାଇ ଅତନୁଙ୍କୁ ବଦନାମ କରିହେବ ବୋଲି ବୈଠକରେ ମତ ପ୍ରକାଶ ପାଇଛି । ଖାଲି ସେତିକି ନୁହେଁ, ଛାତ୍ର କଂଗ୍ରେସକୁ ଲଗାଇ ଅତନୁଙ୍କ ବିରୋଧରେ ଥାନାରେ ଏତଲା କରାଇବାକୁ ମଧ୍ୟ ଯୋଜନା ହୋଇଛି । ଛାତ୍ର ବିଜେଡ଼ିର ଜଣେ ନର୍ଦ୍ଦିଷ୍ଟ କର୍ମକର୍ତ୍ତାଙ୍କୁ ଏଥିପାଇଁ ଦାୟିତ୍ୱ ଦିଆଯାଇଛି । ଅତନୁଙ୍କୁ ହଟାଇବା ପାଇଁ ମୋଟା ଅଙ୍କର ଟଙ୍କା ଖଟାଇବାକୁ ସେମାନେ ପ୍ରସ୍ତୁତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।
ସେପଟେ ବିଜେଡ଼ିର ଜଣେ ଦାମୀ ସାଂସଦଙ୍କ ପ୍ରଚ୍ଛନ୍ନ ସହଯୋଗରେ ଅତନୁ ହଟାଓ ଷଡ଼ଯନ୍ତ୍ରର ଖବର ନବୀନ ନିବାସରେ ପହଞ୍ଚିଛି । ଟାଇମସ୍ ନାଓ ଚାନେଲରେ ଅର୍ଣ୍ଣବ ଗୋସ୍ୱାମୀ ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇବା ପଛରେ ଏହି ସାଂସଦଙ୍କର ଭୂମିକା ଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖବର ପହଞ୍ଚିଛି । ସରକାରଙ୍କ ଭାବମୂର୍ତ୍ତି ବଞ୍ଚାଇବା ପରିବର୍ତ୍ତେ ଜାତୀୟସ୍ତରରେ ଓଡ଼ିଶାକୁ ନିନ୍ଦିତ କରିବା ପାଇଁ ଏହି ଚକ୍ରାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ହଜମ କରିପାରି ନ ଥିବା ନବୀନ ନିବାସର ଏକ ସୂତ୍ରରୁ ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗକୁ କିଭଳି ସମ୍ଭାଳୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।