ଭୁବନେଶ୍ୱର: ଏପ୍ରିଲ୍ ୨୮ ତାରିଖରେ ଓଡ଼ିଆ ଜାତିର ଗର୍ବ, କିମ୍ବଦନ୍ତୀ ପୁରୁଷ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ଜନ୍ମଦିନ । ମଧୁବାବୁଙ୍କ ଜନ୍ମଦିନକୁ ସାରା ରାଜ୍ୟରେ ‘ସ୍ୱାଭିମାନ ଦିବସ’ ଭାବେ ପାଳନ କରୁଛି ଏ ପୀଢ଼ିର ଆଉ ଜଣେ ଗର୍ବ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆମ ଓଡ଼ିଶା ଅନୁଷ୍ଠାନ । ମଧୁବାବୁଙ୍କ ଜନ୍ମଦିନକୁ ‘ସ୍ୱାଭିମାନ ଦିବସ’ ଭାବେ ପାଳି ସୌମ୍ୟବାବୁଙ୍କ ଅନୁଷ୍ଠାନ ଓଡ଼ିଆ ଜାତିର ଅସ୍ମିତାର ଟେକ ରଖିଛି । ଏଥିପାଇଁ ସୌମ୍ୟବାବୁଙ୍କ ଉଦ୍ୟମକୁ ସାରା ରାଜ୍ୟରେ ବେଶ୍ ତାରିଫ୍ ମିଳିଛି । ତେବେ ଏହି ‘ସ୍ୱାଭିମାନ ଦିବସ’ ଏବେ ହାଇଜାକ୍ ହେବାକୁ ବସିଛି । ଖୋଦ୍ ସୌମ୍ୟବାବୁଙ୍କ ନିଜସ୍ୱ ଓ ପ୍ରୋତ୍ସାହନରତ ଅନୁଷ୍ଠାନଗୁଡ଼ିକ ଏହାକୁ ହାଇଜାକ୍ ଉଦ୍ୟମ କରିଛନ୍ତି । ଏପ୍ରିଲ୍ ୨୮ ର ନୂଆ ସଂସ୍କରଣ ଭାବେ ଆର୍ବିଭୂତ ହୋଇଛି ଅଗଷ୍ଟ ୧୮ । ଏହିଦିନ ସୌମ୍ୟବାବୁଙ୍କ ଜନ୍ମଦିନ । ଏହି ଦିନଟିକୁ ସାରା ରାଜ୍ୟରେ ‘ଯୁବ ସ୍ୱାଭିମାନ ଦିବସ’ ଭାବେ ପାଳନ କରାଯାଉଛି । ରକ୍ତଦାନ,ସଭାସମିତିଠାରୁ ଆରମ୍ଭ କରି ଧୂମଧାମ ଉତ୍ସବ ପାଳିତ ହେଉଛି । ଓଡ଼ିଆ ଜାତି ପ୍ରତି ସୌମ୍ୟବାବୁଙ୍କ ମହାନତା ବଖାଣୁଛନ୍ତି ବକ୍ତା । ଯୁବପୀଢ଼ିର ଆଦର୍ଶ ଭାବେ ତାଙ୍କୁ ଉପସ୍ଥାପିତ କରାଯାଉଛି ।
ଓଡ଼ିଶା ପାଇଁ ସୌମ୍ୟବାବୁ ଆଉ ଏକ ଗର୍ବ ବୋଲି କହିବାରେ ଭୁଲ୍ ନାହିଁ । ସ୍ୱାଭିମାନୀ ଚିନ୍ତାଧାରାର ମଣିଷ ସୌମ୍ୟବାବୁ ବିଭିନ୍ନ କ୍ଷେତ୍ରରେ ନିଜର ପାରଦର୍ଶିତା ହାସଲ କରିଛନ୍ତି । ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବ ପାଇଁ ଲଢ଼େଇ କରୁଛନ୍ତି । ନିଜର ‘ଆମ ଓଡ଼ିଶା’ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନ ଜାରି ରଖିଛନ୍ତି । ତାଙ୍କ ନେତୃତ୍ୱରେ ରକ୍ତସଂଗ୍ରହ ଭଳି ମହତ୍ ଓ ପ୍ରଶଂସନୀୟ କାର୍ଯ୍ୟ ଓଡ଼ିଶାରେ ବିପ୍ଲବ ସୃଷ୍ଟି କରିଛି । ତେବେ ଏହା ଅର୍ଥ ନୁହେଁ ଯେ ମଧୁବାବୁଙ୍କ ସହ ସୌମ୍ୟବାବୁ ତୁଳନୀୟ । ଏମିତି ତୁଳନା କଲେ ମଧୁବାବୁ ଛୋଟ ହୋଇଯିବେନି ବରଂ ସୌମ୍ୟବାବୁଙ୍କ ବଡ଼ପଣ ଉପରେ ପ୍ରଶ୍ନ ଚିହ୍ନ ଲାଗିବ ।
‘ସ୍ୱାଭିମାନ ଦିବସ’ ଓ ‘ଯୁବ ସ୍ୱାଭିମାନ ଦିବସ’କୁ ନେଇ ଉଠିଥିବା ଦ୍ୱନ୍ଦ ହିଁ ଏମିତି ପ୍ରଶ୍ନ ଆଙ୍କିଛି । ‘ଯୁବ ସ୍ୱାଭିମାନ ଦିବସ’ ନାଁ ଦିଆଯାଇଥିଲେ ମଧ୍ୟ ଅଧିକାଂଶ ଅନୁଷ୍ଠାନ ସୌମ୍ୟବାବୁଙ୍କ ଫଟୋ ସହ ଅଗଷ୍ଟ ୧୮କୁ ‘ସ୍ୱାଭିମାନ ଦିବସ’ ବ୍ୟାନରରେ ପାଳନ କରୁଛନ୍ତି । ଖୋଦ୍ ସୌମ୍ୟବାବୁଙ୍କ ୧୮ ତାରିଖ ଖବରକାଗଜର ପ୍ରଥମ ପୃଷ୍ଠା ବିଜ୍ଞାପନରେ ତାହା ସ୍ପଷ୍ଟ ହୋଇଛି । ରାଜ୍ୟ ନାଗରିକ ସମାଜ ପକ୍ଷରୁ ସୌମ୍ୟବାବୁଙ୍କ ଜନ୍ମଦିନ ଅବସରକୁ ‘ସ୍ୱାଭିମାନ ଦିବସ ସମାରୋହ’ ପାଳନ କରାଯାଉଥିବା ବିଜ୍ଞାପନ ଛପାଯାଇଛି । ସେହି ବ୍ୟାନରରେ ପାଳନ ବି ହେଲା । ଖୋଦ୍ ସୌମ୍ୟବାବୁ ସେଠାରେ ଅତିଥି ଥିଲେ । ଯଦି ଅଗଷ୍ଟ ୧୮ ସୌମ୍ୟବାବୁଙ୍କ ଜନ୍ମିଦନକୁ ‘ସ୍ୱାଭିମାନ ଦିବସ’ ଭାବେ ପାଳନ କରାଯାଉଛି ତେବେ ମଧୁବାବୁଙ୍କ ଜନ୍ମତିଥି ଏପ୍ରିଲ୍ ୨୮ଟି କ’ଣ ? ଓଡ଼ିଶାଲୋକଙ୍କୁ ବିଭ୍ରାନ୍ତ ନ କରି ସୌମ୍ୟବାବୁଙ୍କ ‘ଆମ ଓଡ଼ିଶା’ ଅନୁଷ୍ଠାନ ତାହାର ଜବାବ ରଖିବା ଉଚିତ୍ ।
୧୭ ତାରିଖ ନିଜ ‘ସମ୍ବାଦ’ ଖବରକାଗଜରେ ସୌମ୍ୟବାବୁ ନିଜର ଲୋକପ୍ରିୟ ଆମ ଘରର ହାଲଚାଲ ସ୍ତମ୍ଭରେ ‘ଛୋଟକଥାରୁ ବଡ଼ପଣ’ ଶୀର୍ଷକ ଲେଖା ଲେଖିଥିଲେ । ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ନାଁରେ ରାସ୍ତା ନାମକରଣ ଥିଲା ଲେଖାର ବିଷୟବସ୍ତୁ । ଏ ଜାତିର ଯେଉଁମାନେ ପ୍ରାତଃସ୍ମରଣୀୟ ସେମାନଙ୍କର ସ୍ମୃତିରକ୍ଷା ପାଇଁ ସୌମ୍ୟବାବୁ ନିଜର ଆବେଗ ଦେଖାଇଥିଲେ । ଜାତିର ମହାପୁରୁଷଙ୍କୁ ଓଡ଼ିଆ ଜାତି ଶ୍ରଦ୍ଧା ଓ ସମ୍ମାନ ଜଣାଇବାକୁ କାର୍ପଣ୍ୟ କରିବ କାହିଁକି ବୋଲି ପ୍ରଶ୍ନ ଉଠାଇଥିଲେ । ତେବେ ଏ ଜାତିର ଗୌରବ ମଧୁବାବୁଙ୍କ ଜୟନ୍ତୀକୁ ସ୍ୱାଭିମାନ ଦିବସ ଭାବେ ପାଳନ କରୁଥିବା ସୌମ୍ୟବାବୁଙ୍କ ଅନୁଷ୍ଠାନ ଏବେ ସୌମ୍ୟବାବୁଙ୍କୁ ତାହାର ହକଦାର କରିବା ଉଦ୍ୟମକୁ ବୁଦ୍ଧିଜୀବୀମାନେ ପସନ୍ଦ କରିନାହାନ୍ତି । ଖୋଦ୍ ସୌମ୍ୟବାବୁଙ୍କ ଭାଷାରେ- ଏବେ ବି ସମୟ ଅଛି । ଏପରି ପାପର ପ୍ରାୟଶ୍ଚିତ ହେବା ଦରକାର । ଭୁଲ୍ ସ୍ୱୀକାର କରି ତାକୁ ସୁଧାରିବାକୁ ଚେଷ୍ଟା କଲେ କେହି କେବେ ଛୋଟ ହୋଇଯାଏ ନାହିଁ । ବରଂ ଛୋଟ ଛୋଟ କଥାରୁ ବଡ଼ପଣ ବାରିହୋଇ ପଡ଼େ ।
ଏକଦମ ଠିକ କଥା,ଏବେ ବି ସମୟ ଅଛି ସୁଧୁରି ଯାଆନ୍ତୁ.