ଭୁବନେଶ୍ୱର: ପୁରୀରୁ ହରିଦ୍ୱାର ଯାଉଥିବା କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଆଜି ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଉତ୍ତରପ୍ରଦେଶର ମୁଜାଫରନଗରଠାରୁ ୨୫ କିମି ଦୂର ଖତୌଲିରେ ଟ୍ରେନ୍ ର ୧୪ ଟି ବଗି ଲାଇନଚ୍ୟୁତ ହୋଇ ଏକ ସ୍କୁଲ ବିଲଡିଂ ଭିତରକୁ ପଶିଯାଇଥିଲା । ଦୁର୍ଘଟଣାସ୍ଥଳରେ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ମୁଜାଫରନଗର, ମିରଟ୍ ଓ ନୋଏଡା ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଉଦ୍ଧାର କାର୍ଯ୍ୟ ଏବେ ବି ଚାଲୁ ରହିଛି ଏବଂ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି । ମୃତାହତଙ୍କ ମଧ୍ୟରେ କେତେ ଓଡ଼ିଆ ଯାତ୍ରୀ ଅଛନ୍ତି ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ତେବେ କେବଳ ପୁରୀରୁ ୮୬ ଜଣ ଯାତ୍ରୀ ସଂରକ୍ଷିତ ବଗିରେ ଚଢ଼ିଥିଲେ । ଓଡ଼ିଶାରୁ ସମୁଦାୟ ୯୯ ଯାତ୍ରୀ ଟ୍ରେନ୍ ରେ ଯାତ୍ରା କରୁଥିବା ସର୍ବଶେଷ ସୂଚନା ମିଳିଛି । ରେଳମନ୍ତ୍ରୀ ସୁରେଶ ପ୍ରଭୁ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ରେଳ କର୍ତ୍ତୃପକ୍ଷ ମୃତକଙ୍କ ପରିବାରକୁ ସାଢ଼େ ତିନି ଲକ୍ଷ ସହାୟତା ଘୋଷଣା କରିଥିଲା ବେଳେ ଆହତଙ୍କୁ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୨୫ ହଜାର ସହାୟତା ଘୋଷଣା କରିଛନ୍ତି । ମୃତ ଓଡ଼ିଆ ଯାତ୍ରୀଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ସେହିଭଳି ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଗତ ୧୭ ତାରିଖରେ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ପୁରୀରୁ ହରିଦ୍ୱାର ଅଭିମୁଖେ ଯାତ୍ରା କରିଥିଲା । ଆଜି ଅର୍ଥାତ୍ ୧୯ ତାରିଖ ରାତି ୯ଟାରେ ଟ୍ରେନ୍ ହରିଦ୍ୱାରରେ ପହଞ୍ଚିଥାଆନ୍ତା । ତେବେ ଅପରାହ୍ନ ୫ଟା ୪୬ ମିନିଟ୍ ସମୟରେ ମୁଜାଫରନଗରଠାରୁ ୨୫ କିମି ଦୂର ଖତୌଲିରେ ଦ୍ରୁତ ଗତିରେ ଯାଉଥିବା ଟ୍ରେନ୍ ର ଗୋଟିଏ ବଗି ହଠାତ ଲାଇନଚ୍ୟୁତ ହୋଇଥିଲା । ପରେ ପରେ ସଂଲଗ୍ନ ୧୩ ଟି ବଗି ଲାଇନଚ୍ୟୁତ ହୋଇ କିଛି ରାସ୍ତାକଡ଼ରେ ଥିବା ଏକ ସ୍କୁଲ ବିଲଡିଂ ଭିତରକୁ ପଶି ଓଲଟି ପଡ଼ିଥିଲା । ପ୍ରଚଣ୍ଡ ଶଦ୍ଦରେ ସେହି ଅଞ୍ଚଳ ଫାଟି ପଡ଼ିଥିଲା । ଅଧିକାଂଶ ଯାତ୍ରୀ ଟ୍ରେନ୍ ବଗି ତଳେ ଚାପି ହୋଇ ଚିତ୍କାର କରୁଥିଲେ । ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ, ରେଳ ବିଭାଗର କର୍ମଚାରୀ ଏବଂ ପୁଲିସ ଉଦ୍ଧାରକାରୀ ଦଳଙ୍କୁ ନେଇ ସେଠାରେ ପହଞ୍ଚିଥିଲେ । ୪ ଟି ଓଡ୍ରାଫ୍ ଟିମ୍ ସହାୟତାରେ ରାତିସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।