କଂଗ୍ରେସ ଉପରାଷ୍ଟ୍ରପତି ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧୀଙ୍କୁ ନବୀନଙ୍କ ସମର୍ଥନ ପଛର ରହସ୍ୟକୁ ନେଇ ବିଜେଡ଼ି ମହଲରେ ରୋଚକ ଆଲୋଚନା ହେଉଛି । ଗାନ୍ଧୀଙ୍କୁ ନବୀନ ଦିଲ୍ ଖୋଲା ସମର୍ଥନ କରିନାହାନ୍ତି ବରଂ ଦଳର ସାଂସଦ ଓ ବିଧାୟକଙ୍କ କ୍ରସ ଭୋଟିଂ ଡର ନବୀନଙ୍କୁ କଂଗ୍ରେସ ବାଟ ଧରିବାକୁ ବାଧ୍ୟ କରିଛି । ବୈଜୟନ୍ତ ପଣ୍ଡାଙ୍କ ଭଳି ଜଣେ ଦି ଜଣ ସାଂସଦଙ୍କ ଛଡ଼ା ବିଜେପି ଲାଇନରେ ଯିବାକୁ ଦଳର ଅଧିକାଂଶ ସାଂସଦ ଓ ବିଧାୟକ ନାକଟେକୁ ଥିବାରୁ ନବୀନ ବେହାଲ ହୋଇପଡ଼ିଛନ୍ତି । ଇଚ୍ଛା ନ ଥିଲେ ବି ବନ୍ଧୁତ୍ୱ ଦ୍ୱାହିରେ ୟୁପିଏ(କଂଗ୍ରେସ) ପ୍ରାର୍ଥୀ ଗାନ୍ଧୀଙ୍କୁ ସମର୍ଥନ ଦେବାକୁ ବାଧ୍ୟ ହୋଇଛନ୍ତି ।
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ନବୀନଙ୍କ ଅତର୍ଚ୍ଛିଆ ସମର୍ଥନ ଘୋଷଣା ଦଳର ଅନେକ ସାଂସଦ ଓ ବିଧାୟକଙ୍କୁ ପସନ୍ଦ ହୋଇନାହିଁ । ତଥାଗତ ଶତପଥୀ ଓ ଭର୍ତ୍ତୃହରି ମହତାବଙ୍କ ଭଳି ସାଂସଦ ତାହାକୁ ପରୋକ୍ଷରେ ସମାଲୋଚନା କରିବାକୁ ବି ପଛାଇ ନ ଥିଲେ । ନବୀନଙ୍କ ପଦକ୍ଷେପ କେନ୍ଦ୍ରୀୟ ବିଜେପି ନେତୃତ୍ୱ ପ୍ରତି ତାଙ୍କର ଦୁର୍ବଳତାକୁ ପଦାରେ ପକାଇଥିବା ସାଂସଦ ଓ ବିଧାୟକଙ୍କ ଅନୁଭବ ହୋଇଛି । ଏଠି ବିଜେପି ବିରୋଧରେ ବିଜେଡ଼ି ଲଢ଼େଇ କରୁଥିଲା ବେଳେ ସେମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀକୁ ଆଖିବୁଜା ସମର୍ଥନ ତାହାପୁଣି ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଫୋନ୍ କଲ୍ ରେ ବିଜେଡ଼ି ନେତାଙ୍କ ଛାତି ଥରାଇ ଦେଇଛି । ବିଜେପି ସହ ବିଜେଡ଼ିର ଭିତିରି ବୁଝାମଣାର ଚର୍ଚ୍ଚାକୁ ଏହା ଆହୁରି ଉଜ୍ଜୀବିତ କରିଛି । ଏହାଦ୍ୱାରା ଭୋଟରଙ୍କ ଆଗରେ ବିଜେଡ଼ି ନେତାମାନେ ନିଜକୁ ଛୋଟ ମନେ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ , ଗତ ୧୪ ତାରିଖରେ କୋବିନ୍ଦ ଭୋଟ ମାଗିବାକୁ ଭୁବନେଶ୍ୱର ଆସିଥିଲା ବେଳେ ବିଜେଡ଼ି ସାଂସଦ ଓ ବିଧାୟକଙ୍କ ଅସନ୍ତୋଷ ବାରି ହୋଇପଡ଼ିଥିଲା । କୋବିନ୍ଦ ନିଜର ଅଧଘଣ୍ଟିଆ ଭାଷଣ କେବଳ ନବୀନଙ୍କ ପ୍ରଶଂସାରେ ନେଇଥିଲେ । ସାଂସଦ ଓ ବିଧାୟକଙ୍କ ମନଖୁସି କଲା ଭଳି ପଦୁଟିଏ ବକ୍ତବ୍ୟ ରଖି ନ ଥିଲେ । ପରିସ୍ଥିତି ଏମିତି ହୋଇଥିଲା ଯେ କୋବିନ୍ଦଙ୍କ ନବୀନ ସ୍ତୁତିଗାନ୍ ଭାଷଣ ବେଳେ ହଲ୍ ରୁ ତାଳି ମଧ୍ୟ ଶୁଭି ନ ଥିଲା । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ପ୍ରତି ସାଂସଦ ଓ ବିଧାୟକଙ୍କ ଏଭଳି ବିତୃଷ୍ଣା ମନୋଭାବ ଜାଣିଲା ପରେ ନବୀନଙ୍କୁ କ୍ରସ ଭୋଟିଂ ଡର ଘାରିଥିଲା । ଯେଉଁଥିପାଇଁ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନ ଦଳୀୟ ବିଧାୟକଙ୍କୁ ଖାଲି ଟିଉସନ୍ କରି ନ ଥିଲେ ବରଂ ସେମାନଙ୍କ ଭୋଟକୁ ଜଗି ବସିଥିଲେ ।
ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ଆଉ ଟେନସନ୍ ନେବାକୁ ନବୀନ ଚାହିଁ ନ ଥିବା କୁହାଯାଉଛି । ବିଜେପିର ହେଭିବ୍ରାଣ୍ଡ ଭେଙ୍କେୟାଙ୍କୁ ବିଧାୟକ ଓ ସାଂସଦମାନେ ଯେ ଆଖିବୁଜା ସମର୍ଥନ ଦେବେ ନବୀନଙ୍କର ଭରସା ପାଇଲାନି । ଦଳର ବରିଷ୍ଠ ସାଂସଦ ତଥାଗତ ଶତପଥୀଙ୍କ ସମେତ କିଛି ବରିଷ୍ଠ ବିଧାୟକ କ୍ରସ୍ ଭୋଟିଂ ଆଶଙ୍କା ନବୀନଙ୍କୁ ଜଣାଇଦେଲେ । ସୁତରାଂ କ୍ରସ ଭୋଟିଂ ଡରରେ ନବୀନ ଭେଙ୍କେୟାଙ୍କୁ ସମର୍ଥନ ଦେବାକୁ ପଛେଇଲେ । ଦିଲ୍ଲୀରେ ବିଜେପି ସହ ଭିତିରି ସମ୍ପର୍କକୁ ଗିଳି ସେ ଦଳର ଇଜ୍ଜତ ବଞ୍ଚାଇବାକୁ ଚାହିଁଲେ । ଫଳ ହେଲା କଂଗ୍ରେସ ପ୍ରାର୍ଥୀ ଗାନ୍ଧୀଙ୍କୁ ସମର୍ଥନ ଦେଲେ ନବୀନ ।
ଅବଶ୍ୟ ଗାନ୍ଧୀଙ୍କୁ ସମର୍ଥନ ଘୋଷଣା ନବୀନଙ୍କ ଡବଲ୍ ରୋଲ୍ କୁ ପଦାରେ ପକାଇଛି । ଅର୍ଥାତ ଉଭୟ ବିଜେପି ଓ କଂଗ୍ରେସ ନାଆରେ ସେ ଗୋଡ଼ ରଖିଛନ୍ତି । ସେପଟେ ତାଙ୍କ ଦଳ ଏହାକୁ ବିଜେପି ଓ କଂଗ୍ରେସଠାରୁ ସମଦୂରତାର ସଂଜ୍ଞା ଦେଇଛି । ସେହିଭଳି ବିଜେପି ମୁହାଁ ବୈଜୟନ୍ତଙ୍କ ଟ୍ୱିଟ୍ କୁ କେହି ଗୁରୁତ୍ୱ ଦେଇନାହାନ୍ତି । ଭେଙ୍କେୟାଙ୍କ ପ୍ରତି ତାଙ୍କର ଦୁର୍ବଳତାକୁ ସେ ପ୍ରକାଶ କରିଥିବାରୁ ସେ କ୍ରସ ଭୋଟିଂ କରିପାରନ୍ତି ହେଲେ ଅନ୍ୟମାନଙ୍କ କ୍ଷେତ୍ରରେ କ୍ରସ୍ ଭୋଟିଂ ଆଶଙ୍କା ନାହିଁ ବୋଲି ଦଳର ଅନେକ ବରିଷ୍ଠ ନେତା କହିଛନ୍ତି ।