ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଆୟୁଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇକ ପଲିଟିକ୍ସକୁ ଅକଳରେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୮୧୭ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଅଭିହିତ କରିବାକୁ କେନ୍ଦ୍ରଠାରେ ପ୍ରସ୍ତାବ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ପାଇକ ପଲିଟିକ୍ସକୁ ରୋଚକ ମୋଡ଼ ଦେଇଛି । ଆସନ୍ତାକାଲି ଦିଲ୍ଲୀର ବିଜ୍ଞାନ ଭବନରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ସମାରୋହରେ ମୁଖ୍ୟମନ୍ତ୍ରୀ ଏହି ପ୍ରସ୍ତାବ ଆଗତ କରିବେ । କେନ୍ଦ୍ର ସରକାର ଏହାକୁ କିଭଳି ଗ୍ରହଣ କରିବେ ତାହା ଏବେ ସମସ୍ତଙ୍କ ନଜରରେ ।
ଓଡ଼ିଶା ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି କୁ କେନ୍ଦ୍ର ସରକାର ଧୂମଧାମରେ ପାଳୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କେନ୍ଦ୍ର ସଂସ୍କୃତି ବିଭାଗ ଏହି ମେଗା ଇଭେଣ୍ଟର ଆୟୋଜନ କରିଛି । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏହାକୁ ଉଦଘାଟନ କରିବେ । ନବୀନ ଆମନ୍ତ୍ରିତ ଅତିଥି ଭାବେ ଯୋଗଦେବେ । ତେବେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଘୋଷଣା କରିବାକୁ ଗତକାଲି ରାଜ୍ୟ କ୍ୟାବିନେଟ୍ ଯେଉ ନିଷ୍ପତ୍ତି ନେଇଛି ନବୀନ ସେହି ପ୍ରସ୍ତାବ ଆଗତ କରୁଥିବାରୁ କେନ୍ଦ୍ର ସରକାର ହରଡ଼ଘଣାରେ ପଡ଼ିବା ଥୟ ହୋଇଯାଇଛି । ନବୀନଙ୍କ କୌଶଳକୁ କେନ୍ଦ୍ର ସରକାର ଗ୍ରହଣ କଲେ ମଲେ, ନ କଲେ ବି ମଲେ । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସ୍ୱୀକୃତି ଦେଲେ ରାଜ୍ୟ ସରକାର ବାଜି ମାରିନେବେ । ସ୍ୱୀକୃତି ନ ଦେଲେ ବିଜେପିର ପାଇକ ପ୍ରେମ ଉପରେ ଓଡ଼ିଶାବାସୀ ପ୍ରଶ୍ନ ଲଗାଇବେ । ଯାହାକି ଧର୍ମେନ୍ଦ୍ରଙ୍କ ଅକଲ ଗୁଡୁମ୍ କରିଦେବ ।
ସୂଚନାଯୋଗ୍ୟ, ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ କେନ୍ଦ୍ର ସରକାର ଧୂମଧାମରେ ଆୟୋଜନ କରି ବଜେଟ୍ ରେ ଅର୍ଥ ବରାଦ କରିଛନ୍ତି । ତେବେ କେନ୍ଦ୍ରକୁ ଫାଇଦା କରାଇ ନ ଦେବା ପାଇଁ ବିଜେଡ଼ି ଚାଲ୍ ଖେଳିଛି । ପାଇକ ବିଦ୍ରୋହର ଜନ୍ମମାଟି ଖୋର୍ଦ୍ଧା ଛାଡ଼ି ଦିଲ୍ଲୀରେ ପୂର୍ତ୍ତି ପାଳନ କରିବାକୁ ଧର୍ମେନ୍ଦ୍ର ଯୋଗାଡ଼ କରିଥିବାରୁ ବିଜେଡ଼ି ଗତ ମାର୍ଚ୍ଚ ମାସରେ ଆଗତୁରା ଖୋର୍ଦ୍ଧାରେ ୩ ଦିନିଆ ପାଇକ ବିଦ୍ରୋହ ସମାରୋହ କରିଥିଲା । ସେପ୍ଟେମ୍ବର ମାସରେ ଆଉ ଏକ ସମାରୋହର ଆୟୋଜନ କରିଛି ବିଜେଡ଼ି । ତେବେ ଦିଲ୍ଲୀରେ ପୂର୍ତ୍ତି ପାଳନର ଠିକ୍ ଦିନକ ପୂର୍ବରୁ ରାଜ୍ୟ ସରକାର କ୍ୟାବିନେଟ୍ ବୈଠକ ଡାକି ଚତୁର ଚାଲ୍ ଖେଳିଛନ୍ତି । ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଘୋଷଣା ଦାବି ନେଇ ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁର କରିଛି । ଏହି ରାଜନୈତିକ ଚାଲ୍ ରେ ରାଜ୍ୟ ସରକାର ପାଇକ ବିଦ୍ରୋହ ଇତିହାସର ଡକ୍ୟୁମେଣ୍ଟ ପ୍ରସ୍ତୁତ କରିନାହାନ୍ତି । ଅର୍ଥାତ୍ ବିନା ପ୍ରସ୍ତୁତିରେ ତରବରିଆ ଭାବେ କେନ୍ଦ୍ର ସରକାରଙ୍କ ଉପରେ ଥୋପ ଲଦିବାକୁ ଚେଷ୍ଟା କରିଛନ୍ତି ।
ଗୋଟେ ପଟେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ପାଳନ ଦିଲ୍ଲୀରେ ଆୟୋଜନ କରି ଧର୍ମେନ୍ଦ୍ର ବାହାବା ନେବାକୁ ଚେଷ୍ଟା କରିଥିଲା ବେଳେ ରାଜ୍ୟ ସରକାର ତାହାକୁ ପ୍ରତିହତ କରିବା ଯୋଜନା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଉଭୟଙ୍କର ଏହି ଛକାପଂଝା ଭିତରେ ଓଡ଼ିଆ ଜାତିର ସ୍ୱାଭିମାନ କିଭଳି ରୁଦ୍ଧିମନ୍ତ ହେବ ତାହା ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରିଛି ।