ଅମିତ୍ ଶାହା ଓଡ଼ିଶା ଆସିଲେ । ଭୁବନେଶ୍ୱର ପାର୍ଟି ଅଫିସରେ ଦଳୀୟ ନେତାଙ୍କୁ ନ ଭେଟି ଯାଇ ଭେଟିଲେ କନକ ବର୍ଦ୍ଧନଙ୍କ ଫାଇଭ୍ ଷ୍ଟାର୍ ବାସଭବନରେ । ସୁନା ପୁଅ ଭଳି ପାୱାରଫୁଲ୍ ଧର୍ମେନ୍ଦ୍ର ଓରଫ୍ ମୁକୁ ବି ସେଠି ହାଜିରା ଦେଇଥିଲେ । ସେଦିନ ଶାହାଙ୍କୁ ରଜା ଦମ୍ପତ୍ତିଙ୍କ ଆତିଥ୍ୟେୟତା ମୁକୁଙ୍କ ସମେତ ଦଳୀୟ ନେତାଙ୍କ ଆଖି ଖୋସିଦେଲା । ସପ୍ତାହକ ପରେ ଆସିଲେ ଭାବି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜର ପ୍ରାର୍ଥୀତ୍ୱ ସପକ୍ଷରେ ଭୋଟ ଗୋଟେଇବା ପାଇଁ ବିଜେଡ଼ି ବିଧାୟକଙ୍କୁ ଭେଟିଲା ପରେ ବିଜେପି ବିଧାୟକଙ୍କୁ ଆସି ଭେଟିଲେ । ତାହା ପୁଣି କନକ ବର୍ଦ୍ଧନଙ୍କ ଘରେ । ରଜା କନକ ଓ ରାଣୀ ସଙ୍ଗୀତା ନିଜେ କୋବିନ୍ଦଙ୍କୁ ଚା, ଜଳଖିଆ ପରସିଦେଲେ । ତେବେ ବିଜେପି ପାର୍ଟି ଅଫିସ ଥାଉ ଥାଉ ଶାହା ଓ କୋବିନ୍ଦ କେଭିଙ୍କ ବାସଭବନ ମୁହାଁ ହେବା କିଛି ତଳିଆ ନେତାଙ୍କୁ ଏ ପର୍ଯ୍ୟନ୍ତ ଅବୁଝା ରହିଚି । କେଭିଙ୍କ ମ୍ୟାଜିକ୍ ଜାଣିବା ପାଇଁ ମନ ଆଉଟୁ ପାଉଟୁ ହଉଚି । ସେପଟେ କେଭିଙ୍କ ଘରେ ଡବଲ୍ ସେଲିବ୍ରେସନ୍ ମୁକୁଙ୍କ କ୍ୟାମ୍ପକୁ କିନ୍ତୁ ହଜମ ହଉନି । ଇର୍ଷାରେ ଜଳୁଛନ୍ତି ସେମାନେ । ଆମ ପାଖରେ ଯାହା ଖବର, ଅନ୍ୟମାନଙ୍କ ଭଳି ଦଳରେ କେଭିଙ୍କ ପତିଆରାକୁ ମୁକୁ ଆଦୌ ସହିପାରୁନାହାନ୍ତି । ଚତୁର ରଜା ପୁଅ ମୁକୁଙ୍କ ମନକଥା ଜାଣିଥିବାରୁ ତାଙ୍କୁ ପାନେ ଚଖାଇବା ପାଇଁ ଜାଲ୍ ବିଛାଇଥିଲେ । ଅମିତ୍ ଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ସିଧା ଦିଲ୍ଲୀ ଯାଇ ତାଙ୍କୁ ଗଦ ଶୁଙ୍ଘାଇଦେଲେ । ଗଦ ଏମିତି କାମ କଲା ଯେ କେଭିଙ୍କ ବାସଭବନ ଚହଟିଲା । ଅମିତ୍ ଶାହା ନିଜେ ତ ସେଠାକୁ ଆସିଲେ, କୋବିନ୍ଦ ବି ଆସିଗଲେ । ମୁକୁ ସବୁ ଦେଖିଲେ ଜାଣିଲେ, ହେଲେ ଅଜାଗା ଘା ଭଳି ଦେଖାଇପାରିଲେନି କି କଷ୍ଟ କହିପାରିଲେନି । ମନର କଷ୍ଟକୁ ମନରେ ଚାପି ରଖିଲେ । ମୁକୁଙ୍କ କଷ୍ଟରୁ କେଭି କେମିତି ମଜା ନଉଥବେ ତାହା ଅବଶ୍ୟ କହିବା ଦରକାର ନାହିଁ ।