ନୂଆଦିଲ୍ଲୀ: ରାମନାଥ କୋବିନ୍ଦ ହେବେ ଭାରତର ଚତୁର୍ଦ୍ଦଶ ରାଷ୍ଟ୍ରପତି । ଅପରାହ୍ନ ୫ଟାରେ ବିଧିବଦ୍ଧ ଭାବେ କୋବିନ୍ଦଙ୍କ ନାଁ ଘୋଷଣା ହେବ । ବର୍ତ୍ତମାନ ସୁଦ୍ଧା (ଦିନ ୪ଟା) ଚାଲିଥିବା ଭୋଟଗଣତିରେ ଏନଡିଏ ପ୍ରାର୍ଥୀ ରାମନାଥ ତାଙ୍କର ୟୁପିଏ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ମୀରା କୁମାରଙ୍କଠାରୁ ପ୍ରାୟ ଦୁଇ ଲକ୍ଷ ଅଶୀ ହଜାର ଭୋଟରେ ଆଗୁଆ ଅଛନ୍ତି । କୋବିନ୍ଦ ୪,୭୯,୫୮୫ ଭୋଟ ପାଇଥିଲା ବେଳେ ମୀରା ୨,୦୪,୫୯୪ ଭୋଟ ପାଇଛନ୍ତି । ଭୋଟ ପ୍ରତିଶତ ଦେଖିଲେ, କୋବିନ୍ଦ ୭୦ ପ୍ରତିଶତ ଭୋଟ ପାଇଥିଲା ବେଳେ ମୀରା ୩୦ ପ୍ରତିଶତ ଭୋଟ ପାଇଛନ୍ତି । ଉତ୍ତରପ୍ରଦେଶରେ କୋବିନ୍ଦଙ୍କ ସପକ୍ଷରେ ପଡ଼ିଛି ୩୩୫ ବିଧାୟକଙ୍କ ଭୋଟ । ୬୫ ବିଧାୟକ ମୀରାଙ୍କୁ ଭୋଟ ଦେଇଥିଲା ବେଳେ ଦୁଇଟି ଭୋଟ ନାକଚ ହୋଇଛି । ସବୁଠାରୁ ବଡ଼କଥା ହେଉଛି, ୟୁପିଏ କ୍ୟାମ୍ପର୍ ୧୦ ବିଧାୟକ କ୍ରସ ଭୋଟିଂ କରି କୋବିନ୍ଦଙ୍କ ସପକ୍ଷରେ ଭୋଟ ଦେଇଛନ୍ତି । ସେମାନେ ସମାଜବାଦୀ ପାର୍ଟିର ବିଧାୟକ ବୋଲି କୁହାଯାଉଛି । ସେହିଭଳି ଗୁଜୁରାଟରେ କୋବିନ୍ଦଙ୍କ ସପକ୍ଷରେ ୮ କଂଗ୍ରେସ ବିଧାୟକ କ୍ରସ ଭୋଟିଂ କରିଥିଲା ବେଳେ ଦିଲ୍ଲୀରେ ୬ ଆପ୍ ବିଧାୟକ କୋବିନ୍ଦଙ୍କ ପାଇଁ କ୍ରସ ଭୋଟିଂ କରିଛନ୍ତି । ଓଡ଼ିଶାରେ ଦୁଇ ବିଧାୟକଙ୍କ ଭୋଟ ନାକଚ ହୋଇଥିବା ଜଣାପଡ଼ିଛି ।
ରାଷ୍ଟ୍ରପତି ଭାବେ କୋବିନ୍ଦ ବିଜୟୀ ଘୋଷିତ ହେବା ପରେ ତାଙ୍କ ବାସଭବନରେ ଭବ୍ୟ ସମାରୋହର ଆୟୋଜନ କରାଯାଇଛି । ବିଦାୟୀ ଆସନ୍ନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସେଥିରେ ଯୋଗଦେବେ । କୋବିନ୍ଦଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ବିଜେପି ଓ କୋବିନ୍ଦଙ୍କ ପ୍ରାର୍ଥୀତ୍ୱର କଟର୍ ବିରୋଧୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସର୍ବପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ କୋବିନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।






