ଭୁବନେଶ୍ୱର: ଗୁଜୁରାଟର ସୁରଟରେ ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ଯୋଗାଡ଼ ପାଇଁ ବିଜେପି ଜୋର୍ ଲଗାଇ ଦେଇଛି । ଏଥିପାଇଁ କିଛି ସାମ୍ବାଦିକଙ୍କୁ ଢ଼ାଲ କରାଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚ୍ଛନ୍ନ ପୃଷ୍ଠପୋଷକତାରେ ଆୟୋଜିତ ‘ଓଡ଼ିଶା ପର୍ବ’ ର ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ଏକ ୧୦ ଜଣିଆ ସାମ୍ବାଦିକ ଟିମ୍ କୁ ସୁରଟ୍ ପଠାଇଛି ବିଜେପି । ଆଜି ସକାଳୁ ଏହି ଟିମ୍ ଭୁବନେଶ୍ୱରରୁ ବିମାନରେ ମୁମ୍ବାଇ ହୋଇ ସୁରଟ୍ ଯାତ୍ରା କରିଛନ୍ତି । ସାମ୍ବାଦିକଙ୍କ ସତ୍କାରରେ ଯେଭଳି ସାମାନ୍ୟ ଅସୁବିଧା ନହୁଏ ସେଥିପ୍ରତି ଦଳ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ ଦେଣନେଣ ବ୍ୟାପାର ବୁଝୁଥିବା ଜଣେ ସାମ୍ବାଦିକ ଓ ଜଣେ ଯୁବନେତା ଏହାର ଦାୟିତ୍ୱ ନେଇଛନ୍ତି ।
ଆସନ୍ତା ୨ ଓ ୩ ତାରିଖରେ ସୁରଟରେ ଆୟୋଜିତ ହୋଇଛି ‘ଓଡ଼ିଶା ପର୍ବ’ । ସୁରଟରେ ରହୁଥିବା ୭ ଲକ୍ଷ ଓଡ଼ିଆଙ୍କୁ ଏକାଠି କରିବା ଏହି ପର୍ବର ଉଦ୍ଦେଶ୍ୟ। ନୂଆଦିଲ୍ଲୀସ୍ଥିତ ଓଡ଼ିଆ ସମାଜ ପକ୍ଷରୁ ଏହାର ଆୟୋଜନ କରାଯାଇଥିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ପ୍ରଚ୍ଛନ୍ନ ସାହାଯ୍ୟ ଓ ସହଯୋଗ ଥିବା କୁହାଯାଉଛି । ‘ଓଡ଼ିଶା ପର୍ବ’ ଉଦଘାଟନ ଉତ୍ସବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ଧର୍ମେନ୍ଦ୍ର ପ୍ରଧାନ ଅତିଥି ହେବେ । ଉତ୍ସବକୁ ସଫଳ କରି ପ୍ରବାସୀ ଓଡ଼ିଆଙ୍କ ସମର୍ଥନ ହାସଲ ପାଇଁ ବିଜେପି ପକ୍ଷରୁ ସମସ୍ତ ଶକ୍ତି ଖଟାଯାଇଛି । ଓଡ଼ିଶାରୁ କିଛି ବିଜେପି ନେତା ସୁରଟ୍ ରେ ଡେରା ପକାଇ ସାରିଲେଣି ।
ସୁରଟ୍ ଯାତ୍ରା ପାଇଁ ସାମ୍ବାଦିକ ତାଲିକା ବିଜେପି ପକ୍ଷରୁ ପ୍ରସ୍ତୁତ କରାଯାଇ ଆଜିଠାରୁ ସେମାନଙ୍କୁ ବିମାନରେ ପଠାଇ ଦିଆଯାଇଛି । ଆଜି ଓ କାଲି ସେମାନେ ସେଠି ବୁଲାବୁଲି କରିବେ । ୨ ଓ ୩ ତାରିଖରେ ପ୍ରୋଗ୍ରାମ କଭରେଜ୍ କରି ଫେରି ଆସିବେ । ବିଜେପିର ପ୍ରମୋସନ ପାଇଁ ବଛା ସାମ୍ବାଦିକଙ୍କ ସୁରଟ୍ ଯାତ୍ରାକୁ ନେଇ ସାମ୍ବାଦିକମହଲରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହୋଇଛି । କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ଏ ଘର(ବିଜେପି) ମାଉସୀ ସେ ଘର(ବିଜେଡ଼ି) ପିଉସୀ ବୋଲି ଅନେକ କଟାକ୍ଷ କରିଛନ୍ତି । ସେମାନଙ୍କ ମତରେ ଏହି ସାମ୍ବାଦିକମାନେ ଭାରି କରିତକର୍ମା । ଯେତେବେଳେ ଯେଉଁ ପଟୁ ଫାଇଦା ମିଳିଲା ସେୟାଡ଼କୁ ଢ଼ଳିଲେ । ପ୍ରମୁଖ ଦଳ ବି ସେମାନଙ୍କ ପାଇଁ ଭୋଳ । କେତେବେଳେ ବିଜେଡ଼ିର ଏମାନେ ଗେହ୍ଲାପୁଅ ତ ଆଉ କେତେବେଳେ ବିଜେପିର ଗେହ୍ଲାପୁଅ । ସେମାନଙ୍କ ନାଁ କୁ ନେଇ ଏବେ ସାମ୍ବାଦିକମହଲରେ ଜୋର ଚର୍ଚ୍ଚା ।