ଭୁବନେଶ୍ୱର: ଦୁର୍ନୀତି ଓ ପିସି କାରବାର ବନ୍ଦ ପାଇଁ ଜିଲ୍ଲାପାଳ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ତାହା କେମିତି ବନ୍ଦ ହବ ତାକୁ ନେଇ ଯୋଜନା ବତାଇ ନେଇ ନ ଥିଲେ । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଅଫିସରଙ୍କୁ ବ୍ଲୁ ପ୍ରିଣ୍ଟ ଧରାଇଛନ୍ତି । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ପଲିସିକୁ କଡ଼ାକଡ଼ି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।
ଦୁର୍ନୀତି ହଟାଓ ବ୍ଲୁ ପ୍ରିଣ୍ଟରେ ତଳୁ ଉପର ଯାଏଁ ସମସ୍ତଙ୍କୁ ସଂପୃକ୍ତ କରାଯାଇଛି । ବ୍ଲକ୍ , ଜିଲ୍ଲା ଓ ରାଜ୍ୟସ୍ତରରେ କମିଟି ଗଠନ ହେବ । କମିଟିରେ ସ୍ଥାନୀୟ ଭିଜିଲାନ୍ସ ଅଧିକାରୀ ସାମିଲ ହେବେ । ବିଭିନ୍ନ ସମୟରେ କମିଟି ଫିଲଡ୍ ଭିଜିଟ୍ କରି ସ୍ୱଚ୍ଛତା ପରଖିବ । ଖାଲି ସେତିକି ନୁହେଁ, ନିୟମିତି ବୈଠକ କରି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଭିଜିଲାନ୍ସ ହେଡକ୍ୱାଟର୍ସକୁ ରିପୋର୍ଟ କରିବ । ଦୁର୍ନୀତି ପ୍ରତିଷେଧକ କାର୍ଯ୍ୟକ୍ରମର ତଦାରଖ ପାଇଁ ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଓଭରସାଇଟ୍ କମିଟି ଗଠନ କରାଯିବ । ଦୁର୍ନୀତି ବିରୋଧୀ ଅଭିଯାନରେ ବିଭିନ୍ନ ଗ୍ରାମ୍ୟ ନିର୍ମାଣ ଯୋଜନା, ନିରାମୟ ଯୋଜନା, ଜନନୀ ସୁରକ୍ଷା ଯୋଜନା ଓ ଆଇସିଡିଏସ୍ କାର୍ଯ୍ୟକ୍ରମ ଉପରେ ସ୍ୱତନ୍ତ୍ର ଫୋକସ୍ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ, ରାଜ୍ୟରେ ଗୃହ ନିର୍ମାଣ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ଲମ୍ବା ତାଲିକା ବଢ଼ିବାରେ ଲାଗିଛି । ଏଥିରେ ଶହ ଶହ କୋଟି ଟଙ୍କା ଚଳୁ ହୋଇଯାଇଛି । ପ୍ରକୃତ ହିତାଧିକାରୀଙ୍କ ଘରକୁ କୁଜିନେତା, ନେତା ଓ ଅଫିସରମାନେ ଲୁଟି ନେଇଛନ୍ତି । ଏ ବାବଦରେ ଭିଜିଲାନସ ପାଖକୁ ୫୬୦ ଅଭିଯୋଗ ଆସିଥିବା ବେଳେ ମାତ୍ର ୩୮ ଟି କ୍ଷେତ୍ରରେ ମାମଲା ଦାଏର ହୋଇଛି । ଟୋଲ୍ ଫ୍ରି ନମ୍ବର ସ୍ଥାପନ ହେବାର ମାତ୍ର ୪ ଦିନ ମଧ୍ୟରେ ୨୮୯ ଟି ଅଭିଯୋଗ ହସ୍ତଗତ ହୋଇଥିବା ସରକାରୀ ଭାବେ କୁହାଯାଇଛି । ତେବେ ଏହି ମେଗା ଦୁର୍ନୀତି ଓ ଅନିୟମିତତାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ନେଇ ମୁଖ୍ୟମନ୍ତ୍ରୀ ଠୋସ୍ କିଛି କହିନାହାନ୍ତି ।