ଭୁବନେଶ୍ୱର: ଆଇଏଏସ୍ ବାବୁମାନଙ୍କ ପ୍ରତି ସାଧାରଣତଃ ଲୋକଙ୍କ ମନରେ ରହିଛି ଭିନ୍ନ ଏକ ଧାରଣା । ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କ ମନରେ କୁଆଡେ ହୀନମନ୍ୟତା ଥାଏ । ତଳିଆ ଅଫିସରଙ୍କୁ କୁକୁର ମାଙ୍କଡ଼ ଭଳି ବ୍ୟବହାର କରନ୍ତି । ମଳିମୁଣ୍ଡିଆ ଲୋକେ ସେମାନଙ୍କୁ ଗନ୍ଧାନ୍ତି । ସମାଜରେ ସେମାନେ ସ୍ୱତନ୍ତ୍ର ପରିଚୟର ଦାବି ନେଇ ବଞ୍ଚନ୍ତି । ଅର୍ଥ ଓ କ୍ଷମତା ହୋଇଥାଏ ସେମାନଙ୍କ ଜୀବନର ଧାରା । ଲୋକଙ୍କ ଏହି ଧାରଣା ବି ଅମୂଳକ ନୁହେଁ । ସାଧାରଣ ଲୋକଙ୍କ ସେବା ମନୋବୃତ୍ତି ନେଇ ବହୁ ପରିଶ୍ରମ ବଳରେ ଏହି ଇଲାଇଟ୍ ଚାକିରିରେ ନିଯୁକ୍ତି ପାଇଗଲା ପରେ ଅଧିକାଂଶ ସିଭିଲ୍ ସର୍ଭାଣ୍ଟ ମୁଖ୍ୟ ସାମାଜିକ ସ୍ରୋତରୁ ନିଜକୁ ଅଲଗା କରିବାର ବହୁ ଉଦାହରଣ ରହିଛି । ପରଲୋକଙ୍କ କଥା ଛାଡନ୍ତୁ, କିଛି ଆଇଏଏସ୍ ବାବୁ ଖୋଦ୍ ନିଜ ବାପା, ମାଆ, ଭାଇ, ଭଉଣୀଙ୍କୁ ଛିଛାକର କରି ଅଛୁଆଁ କରିଦେବାର ଅନେକ ନଜିର ରହିଛି । ତେବେ ସବୁ ଆଇଏଏସ୍ କି ଆଇପିଏସ୍ ଯେ ସେଭଳି ଏହା ନୁହେଁ ।
ଏମିତି ଆଇଏଏସ୍ ଅଛନ୍ତି ଯେଉଁମାନେ ସାଧାରଣ ଲୋକଙ୍କ ଦରଦ୍ ଖାଲି ଅନୁଭବ କରନ୍ତିନି ବରଂ ସେମାନଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦିଅନ୍ତି । ଏମିତି ଜଣେ ଯୁବ ଆଇଏଏସ୍ ହେଉଛନ୍ତି ମଙ୍ଗେଶ୍ ଘିଲଦୟାଲ୍ । କଲେକ୍ଟର ଭାବେ ଖାଲି ନିଜେ ନୁହଁନ୍ତି ନିଜ ପତ୍ନୀଙ୍କୁ ବି ସାମାଜିକ ସେବା ଓ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମକୁ ଆଗେଇ ନେବାରେ ସାମିଲ କରି ସାରା ଦେଶରେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ।
ଉତ୍ତରାଖଣ୍ଡରେ ଜନ୍ମିତ ମଙ୍ଗେଶ୍ ଘିଲଦୟାଲ୍ ହେଉଛନ୍ତି ୨୦୧୧ ବ୍ୟାଚର୍ ଆଇଏଏସ୍ । ଅତ୍ୟନ୍ତ ମେଧାବୀ ଘିଲଦୟାଲ୍ ସାରା ଦେଶରେ ଚତୁର୍ଥ ର୍ୟାଙ୍କ୍ ରଖିଥିଲେ । ଆଇଏଫଏସ୍ ରେ ଯୋଗଦେବାକୁ ତାଙ୍କୁ ଅଫର୍ ଥିଲା । ମାତ୍ର ନିଜ ଜନ୍ମମାଟିର ସେବା କରିବାକୁ ଇଚ୍ଛା କରି ସେ ଆଇଏଏସ୍ ରେ ଯୋଗଦେଲେ । ବାଗେଶ୍ୱର ଜିଲ୍ଲାରେ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଭାବେ କାମ କଲାବେଳେ ସେ ନିଜର ପ୍ରତିଭା ଦେଖାଇଥିଲେ । ଲୋକଙ୍କ ଭାବାବେଗ ସହିତ ନିଜକୁ ଜଡ଼ିତ କରାଇବାର କାର୍ଯ୍ୟଶୈଳୀ ଲୋକଙ୍କୁ ପାଗଳ କରିଦେଲା । ଏମିତିକା କଲେକ୍ଟର ସେମାନେ ପୂର୍ବରୁ କେବେ ଦେଖି ନ ଥିଲେ । ତାଙ୍କର ଯେବେ ସେଠାରୁ ବଦଳି ଅର୍ଡର ବାହାରିଲା ସମଗ୍ର ଜିଲ୍ଲାରେ ଅସନ୍ତୋଷର ନିଆଁ ଜଳିଲା । ଲୋକେ ତାଙ୍କୁ ସେଠାରୁ ନ ଛାଡ଼ିବା ପାଇଁ ଜିଦ୍ ଧରି ବସିଲେ । ସରକାରୀ ବଦଳି ନିୟମ ଆଗରେ ଲୋକେ ଶାନ୍ତ ପଡ଼ିଲେ ସତ ହେଲେ ଘିଲଦୟାଲ୍ ସେମାନଙ୍କ ପାଇଁ ଆଜି ବି ଅଭୁଲା ହୋଇରହିଛନ୍ତି ।
ଏବେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲା ମାଜିଷ୍ଟ୍ରେଟ୍(କଲେକ୍ଟର) ଅଛନ୍ତି ଘିଲଦୟାଲ୍ । ପ୍ରତିଦିନ ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଯାଇ ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମର ତଦାରଖ ନ କଲେ ତାଙ୍କୁ ରାତିରେ ନିଦ ହୁଏନି । ଯେ କୌଣସି କାର୍ଯ୍ୟ ଉପରେ ତୁରନ୍ତ ପଦକ୍ଷେପ (ପ୍ରମ୍ପଟ୍ ଆକ୍ସନ) ତାଙ୍କ ବ୍ୟକ୍ତିତ୍ୱ ଓ କାର୍ଯ୍ୟଶୈଳୀର ଅନ୍ୟ ଏକ ଆକର୍ଷଣ । ନିକଟରେ ନିଜ ଜିଲ୍ଲାର ଏକ ସରକାରୀ ମହିଳା କଲେଜ ପରଦର୍ଶନରେ ଯାଇଥିଲେ ଘିଲଦୟାଲ୍ । କଲେଜର ଦହନୀୟ ଅବସ୍ଥା ତାଙ୍କୁ ବିଚଳିତ କରିଥିଲା । ସେଠାରେ ବିଜ୍ଞାନ ଶିକ୍ଷକ ନ ଥିବାରୁ ବିଜ୍ଞାନ ଛାତ୍ରୀମାନେ ପାଠ ପଢ଼ିପାରୁ ନ ଥିଲେ । ଏହା ତାଙ୍କୁ ଏଭଳି ବ୍ୟଥିତ କଲା ଯେ ସରକାରୀ ନିଯୁକ୍ତିକୁ ଅପେକ୍ଷା ନ କରି ତୁରନ୍ତ ସେହି ଜାଗାରେ ନିଜ ପତ୍ନୀ ଉଷାଙ୍କୁ ଷ୍ଟପ୍ ଗ୍ୟାପ ମେଜର୍ ଭାବେ କାମରେ ଲଗାଇଦେଲେ । ଏକମାତ୍ର ଲକ୍ଷ୍ୟ ଶିକ୍ଷାଦାନରୁ ପିଲା ଦିନକ ପାଇଁ ବି ବଞ୍ଚିତ ନ ରହନ୍ତୁ ।
ପ୍ଲାଣ୍ଟ ପାଥୋଲୋଜିରେ ଡକ୍ଟରାଲ୍ ଫେଲୋ ଉଷା ବିନା ଦ୍ୱିଧାରେ ଆଗଭର ହୋଇ ସେଦିନଠାରୁ ପିଲାଙ୍କୁ ଆସି ପାଠ ପଢ଼ାଉଛନ୍ତି । ପାରିଶ୍ରମିକ ଦୂରେ ଥାଉ ନିଜ ପକେଟରୁ ଗରିବ ପିଲାଙ୍କ ପାଇଁ ଅକୁଣ୍ଠ ଚିତ୍ତରେ ପଇସା ଖର୍ଚ୍ଚ କରୁଛନ୍ତି । ତାଙ୍କର ବଦାନ୍ୟତା, ନମ୍ର ଆଚରଣ ଓ ସୁନ୍ଦର ଶିକ୍ଷାଦାନ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକମହଲରେ ସେ ପ୍ରିୟପାତ୍ର ହୋଇଗଲେଣି । ଛାତ୍ରଛାତ୍ରୀଙ୍କ ସେବାରେ ନିଜର ସମୟ ଦେଇ ସେ ଖୁବ୍ ଆନନ୍ଦିତ ଓ ଗର୍ବିତ ବୋଲି ଉଷା କହିଛନ୍ତି । ସେପଟେ ସ୍ୱାମୀ ଘିଲଦୟାଲ୍ ବି ନିଜର ପତ୍ନୀଙ୍କ କାର୍ଯ୍ୟ ପାଇଁ ଢ଼େର୍ ଆତ୍ମସନ୍ତୋଷ ପ୍ରକାଶ କରିଛନ୍ତି । ହୃଦୟର ସହ ଲୋକଙ୍କ ପାଇଁ କାମ କରି ଆମ ଦୁହିଁଙ୍କୁ ଖୁବ୍ ଆନ୍ତସନ୍ତୋଷ ମିଳୁଛି ବୋଲି ଘିଲଦୟାଲ୍ କହିଛନ୍ତି ।
(ସୌଜନ୍ୟ: ଦ ଲଜିକାଲ୍ ଇଣ୍ଡିଆନ୍)