ନଗଦ କଂଗ୍ରେସରୁ ବିଜେଡ଼ିକୁ ଆସିଥିବା ମାଡାମ୍ ସୁଲୋଚନା ଦାସ ଓରଫ୍ ସୁଲୁ ମାଡାମ୍ ଙ୍କ ମନ ଆମ୍ଭିଳା ହୋଇଯାଇଛି । ଯେଉଁ ସ୍ୱପ୍ନ ଓ ଆଶା ନେଇ ନେଇ ନବୀନ ନିବାସରେ ନବୀନଙ୍କୁ ଭେଟି କଥା ହୋଇଥିଲେ ଏବଂ ପରଦିନ ମିଶ୍ରଣ ପର୍ବରେ ନବୀନଙ୍କ ସହ ଝାକାସ୍ ଫଟୋ ପୋଜ୍ ଦେଇ ଗଣମାଧ୍ୟମରେ ଛାଇଗଲେ ତାହା ଏବେ ଦୁଃସ୍ୱପ୍ନ ପାଲଟିଯାଇଛି । ମିଡ଼ିଆ ଚର୍ଚ୍ଚାରେ ଦି ଦିନ ରହିଲା ପରେ ଲୋକେ ତାଙ୍କ ନାଁ ଭୁଲିଗଲେଣି । ଆଗରୁ କଂଗ୍ରେସ ମୁଖପାତ୍ର ଭାବେ ତାଙ୍କୁ ତର ନ ଥିଲା । ପ୍ରତିଦିନ ସଂଧ୍ୟା ପ୍ରାଇମ୍ ଟାଇମ୍ ରେ କେଉଁଠି ନା କେଉଁଠି ଟିଭି ପରଦାରେ ଲୋକେ ତାଙ୍କୁ ଦେଖୁଥିଲେ । ନବୀନଙ୍କ ବିରୋଧରେ ଚିଲ୍ଲେଇ ଚିଲ୍ଲେଇ ଘରକୁ ଫେରିଲା ବେଳକୁ ପାଟି ଅଠା ମାରିଯାଉଥିଲା । ମାତ୍ର ବିଜେଡ଼ିକୁ ଆସିବା ଦିନଠୁଁ ତାହା ସ୍ମୃତି ପାଲଟିଗଲାଣି । ଟିଭିରେ ଆସିବା ଦୂରେ ଥାଉ, ପାର୍ଟି କାର୍ଯ୍ୟକ୍ରମରେ ମାଡାମ୍ ନିଜକୁ ଇନଭଲଭ୍ କରାଇବାର ସୁଯୋଗ ପାଉନାହାନ୍ତି । ଭିନ୍ନ ଗୋଠର ମଣିଷ ଭଳି ତାଙ୍କୁ ବ୍ୟବହାର କରାଯାଉଛି । ତେବେ ଏହି ଦୁଃଖକଷ୍ଟ ସତ୍ତ୍ୱେ ଦଳରେ କାମ ପାଇବା ପାଇଁ ମୁଣ୍ଡିନେତାମାନଙ୍କ ଘରକୁ ଯାଇ ନେହୁରା ହେଉଛନ୍ତି । ବିଜେଡ଼ିରେ ତାଙ୍କୁ ମିଶାଇବାରେ ମୁଖ୍ୟ ଭୂମିକା ନେଇଥିବା ଦଳର ନୂଆ ମଙ୍ଗୁଆଳ ପ୍ରତାପ ଦେବଙ୍କ ପାଖରେ ଅଧିଆ ପଡୁଛନ୍ତି । ମାତ୍ର ଦିଲ୍ଲୀ ବାହାନାରେ ପ୍ରତାପ ଆଉ ଧରାଛୁଆଁ ଦେଉନାହାନ୍ତି । ମୁଁ କିଛି କରିପାରିବିନି, ସଭାପତି ଯାହା ନିଷ୍ପତ୍ତି ନେବେ ବୋଲି ଇତିମଧ୍ୟରେ ସେ ରୋକଠୋକ୍ ଶୁଣାଇବା ପରଠୁଁ ମାଡାମ୍ ଙ୍କ ମନ ମରିଯାଇଛି । ନଗଦ ଖବର ହେଉଛି, କମ୍ ସେ କମ୍ ୬ ମାସ ଅପେକ୍ଷା କରିବା ପାଇଁ ନବୀନନିବାସ ପକ୍ଷରୁ ତାଙ୍କୁ କୁହାଯାଇଛି । ୬ ମାସ ପରେ ତାଙ୍କୁ ଦଳର ମୁଖପାତ୍ର ଥୋପ ଦିଆଯାଇଛି । ତେବେ ମାଡାମ୍ ଙ୍କ ସମ୍ଭାବ୍ୟ ନିଯୁକ୍ତିକୁ ଦଳର ଅନେକ ମହିଳା ନେତ୍ରୀ ଏବେଠୁଁ ବିରୋଧ କରିବା ଆରମ୍ଭ କରିଦେଲେଣି । ସେ କିଏ କି? ଯିଏ ଆମ ବିରୋଧରେ ବର୍ଷ ବର୍ଷ ଧରି ଗର୍ଜନ କରୁଥିଲେ ସେ ପୁଣି ଆମ ସପକ୍ଷରେ ଟିଭିରେ ଗାଇଲେ ଲୋକେ ଗ୍ରହଣ କରିବେ ତ? ଆମେ ବର୍ଷ ବର୍ଷ ଧରି ଦଳରେ ପଡ଼ିଛୁ କ’ଣ ମାଗଣାକୁ… । ଏହି ପଦେ ଦି ପଦ କଥା ସୁଲୁ ମାଡାମ୍ ଙ୍କ କାନରେ ବାଜିବା ବେଳକୁ ମନଟା ରଡ଼ ନିଆଁ ପରିକା ଜଳିପୋଡ଼ି ଯାଉଛି ।
ଦଳ ଡେଇଁବା ପୂର୍ବରୁ ଭାବିବାର ଥିଲା