ଭୁବନେଶ୍ୱର: ବିଜେଡ଼ି ନିର୍ବାଚନୀ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗ ଉପରେ କଂଗ୍ରେସ ଷ୍ଟଲୱର୍ଟ ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ରାଜନୈତିକ ନେତାଙ୍କ ମୁହଁ ବଙ୍କା କରିଦେଇଛି । ସେ କହିଛନ୍ତି ଆମେ ଯେତେ ସବୁ ରାଜନୀତି କରୁଛୁ, କେହି ସ୍ୱଚ୍ଛ ନୁହଁନ୍ତି । ନିର୍ବାଚନ ସମୟରେ ପ୍ରକୃତ ଖର୍ଚ୍ଚର ହିସାବ କେହି ଦିଅନ୍ତିନି । ସତ ପଥରେ ଚାଲିଲେ ନିର୍ଘାତ ହାରିବାଟା ଏକଦମ୍ ଥୟ । ବିଜେଡ଼ି, ବିଜେପି ଓ କଂଗ୍ରେସ ସବୁ ଦଳରେ ସେଇ ଏକା ଅବସ୍ଥା । ଛାତିରେ ହାତ ରଖି କେହି ନିଜକୁ ସ୍ୱଚ୍ଛ ବୋଲି କହିପାରିବେନି । ବାକ୍ୟରେ ବାକ୍ୟରେ ନିରଞ୍ଜନ ବୁଲେଇ ବଙ୍କେଇ ମାନିଛନ୍ତି, ରାଜନୀତି କଲେ ଅସାଧୁ ବାଟ ଧରିବାକୁ ପଡ଼ିବ । ଅର୍ଥାତ୍ ଆଜିକା ଯୁଗରେ ରାଜନୀତି କଲେ ଅସାଧୁ ବାଟ(ଅନ୍ୟ ଅର୍ଥରେ ଚୋରି) କରିବାକୁ ବାଧ୍ୟ ବୋଲି ପରୋକ୍ଷରେ ସୂଚାଇ ଦେଇଛନ୍ତି ।
ନିରଞ୍ଜନ ଏକଥା କହିଲା ବେଳକୁ ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଜେଡ଼ି ନିର୍ବାଚନୀ ଖର୍ଚ୍ଚ ଅନିୟମିତା ଖବରର କୌଣସି ସତ୍ୟତା ନାହିଁ । ତାହା ମିଥ୍ୟା ଓ ମନ୍ଦ ଉଦ୍ଦେଶ୍ୟ ରଖି ଅପପ୍ରଚାର କରାଯାଉଛି ବୋଲି ସେ କହିଛନ୍ତି । ଆବଶ୍ୟକ ପଡ଼ିଲେ ଆଇନର ଆଶ୍ରୟ ନେବାକୁ ଚିନ୍ତା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ସେପଟେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ଓ ସମୀର ମହାନ୍ତି ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ିକୁ ଚୋର ଖଣ୍ଟ ଭଳିଆ ଗାଳି କରିଛନ୍ତି । ଆଉ ନିଜ ଦଳକୁ ସତୀ ଚଉରା ଭାବେ ଉପସ୍ଥାପିତ କରିଛନ୍ତି । ନବୀନ ସବୁ ଚରି ଯାଉଥିଲା ବେଳେ ସେମାନେ(ବିଜେପି) କୁଆଡେ ସ୍ୱଚ୍ଛତାର ଚମଡ଼ା ପାଇଛନ୍ତି । କୋଉଠୁ ଟଙ୍କାଟେ ବି ଛୁଉଁନାହାନ୍ତି । ରାସ୍ତାଘାଟରେ ମାଳ ମାଳ ବ୍ୟାନର, ପୋଷ୍ଟର, ମିଟିଂ ନାଁରେ ଲୋକଙ୍କୁ ଭୁବନେଶ୍ୱର ଆଣି ଖୁଆଇ ପିଆଇ ଗାଁ କୁ ଛାଡ଼ିବା, ମିଡ଼ିଆ ମ୍ୟାନେଜମେଣ୍ଟ କରିବା ଆଉ ନିର୍ବାଚନ ସମୟରେ ଘରେ ଘରେ ପଶି ୫୦୦ କି ଦି ହଜାର ଟଙ୍କିଆ ନୋଟ୍ ବାଣ୍ଟିବା ସବୁ ବାପ ସମ୍ପତ୍ତି । ନିର୍ବାଚନ କମିସନଙ୍କ ପାଖରେ ଓଲଟପାଲଟ ହିସାବ ଦେବା ବିଜେପି ଜାତକରେ ନାହିଁ । ସଜ୍ଜନ ଓ ସମୀରଙ୍କ କହିବା ଠାଣିବାଣିରୁ ଏହା ହିଁ ବୁଝାପଡୁଥିଲା ।
ଏହି ତିନି ଦଳର ନେତାଙ୍କ କଥା ଶୁଣିଲା ପରେ ଲୋକ ଠିକ୍ ବୁଝିଯାଇଛନ୍ତି କିଏ ସତ କହୁଛନ୍ତି ଆଉ କିଏ ମିଛ କହୁଛନ୍ତି । ନିକଟରେ ଶେଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଜଣେ ଜଣେ ସରପଞ୍ଚ ପ୍ରାର୍ଥୀ ୩୦ରୁ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଭୁବନେଶ୍ୱର ଉପକଣ୍ଠ ବାରଙ୍ଗ ଅଞ୍ଚଳରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ଖର୍ଚ୍ଚ ପରିମାଣ ଥିଲା ୮୦ ଲକ୍ଷ । ନିପଟ ଗାଁ ଗହଳିରେ ଜଣେ ପ୍ରାର୍ଥୀ ୧୦ ଲକ୍ଷରୁ କମ୍ ଟଙ୍କା ନ ଧରିଲେ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ । ଏହା କେଉଁ ନିର୍ଦ୍ଦିଷ୍ଟ ଦଳର କଥା ନୁହେଁ । ଉଣା ଅଧିକେ ପ୍ରମୁଖ ଦଳର ଏକା ଅବସ୍ଥା । ବିଧାୟକ ପ୍ରାର୍ଥୀଙ୍କ କଥା ତ ନ କହିବା ଭଲ । ଅତି କମ୍ ରେ କୋଟିଏ ନ ଧରିଲେ ମୈଦାନକୁ ଓହ୍ଲାଇବା ସମ୍ଭବ ନୁହେଁ । ତେଣୁ ପ୍ରାର୍ଥୀ ଏତେ ଟଙ୍କା ଆଣିବେ କେଉଁଠୁ? ଦଳ ସେମାନଙ୍କ ପ୍ରାର୍ଥୀଙ୍କୁ ଟଙ୍କା ଦେବ କେଉଁଠୁ? ସୁତରାଂ ଦଳ ହଉ କି ପ୍ରାର୍ଥୀ ହୁଅନ୍ତୁ ଅସାଧୁବାଟ ଧରିବାଟା ମାନସିକତା ପାଲଟିଯାଇଛି । ଏହା ଯେ ଠିକ୍ ତାହା ଆଦୌ ଯୁକ୍ତିସଙ୍ଗତ ନୁହେଁ । ମାତ୍ର ଦଳମତ ନିର୍ବିଶେଷରେ ବର୍ତ୍ତମାନର କଳୁଷିତ ରାଜନୀତିରେ ଏହା ହିଁ ହୋଇଛି ନିର୍ବାଚନ ବିଜୟର ମାପକାଠି ।
ତେଣୁ ନବୀନ ଯେଉଁ ଦମ୍ଭ ଦେଖାଉଛନ୍ତି ତାହା ହୁଏତ ଡାହା ମିଛ । ବିଜେପି ବି ନିଜର ପ୍ରଚାର ପାଇଁ ଡାହା ମିଛରେ ବଞ୍ଚିଛି । ମାତ୍ର ନିରଞ୍ଜନ ଯାହା କହିଛନ୍ତି ତାହା ନେତାଙ୍କୁ କଟୁ ଲାଗୁଥିଲେ ବି ଅପ୍ରିୟ ସତ । ଆଜିକାଲିକା ରାଜନୀତିରେ ସ୍ୱଚ୍ଛତା କଥା କହିଲେ ଲୋକହସା ହବା ଛଡ଼ା କିଛି ନୁହେଁ । ନିର୍ବାଚନୀ ପାଣ୍ଠି ସଂଗ୍ରହ ଓ ନିର୍ବାଚନ କମିସନଙ୍କ ପାଖରେ ଖର୍ଚ୍ଚର ହିସାବରେ ଗଫଲତିକୁ ବିଜେଡ଼ି ଓ ତାଙ୍କ ନେତା ନବୀନ ପଟ୍ଟନାୟକ ଯେତେ ମନା କଲେ ମଧ୍ୟ ଜନସାଧାରଣ ଏତେ ମୁର୍ଖ ନୁହଁନ୍ତି । ଓଲଟି ନିରଞ୍ଜନଙ୍କ ପାଟିର ବାସ୍ତବତା ଲୋକଙ୍କ ମନକୁ ବେଶ୍ ଛୁଇଁଛି ।