ଭୁବନେଶ୍ୱର : ନବୀନ ନିବାସର ପିଅନ ମିଟୁ ଓରଫ୍ ପୂର୍ଣ୍ଣ ପାଢ଼ୀ କେଉଁଠୁ କୋଟି କୋଟି ଟଙ୍କା ଆଣି ବିଜେଡ଼ି ଆକାଉଣ୍ଟରେ ଭରୁଥିଲେ ? ସେହି ଆକାଉଣ୍ଟରୁ ବିଭିନ୍ନ ନେତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନସଫର ପଛରେ ସ୍ୱଚ୍ଛତା ଥିଲା କି ? ଗୋଟିଏ ଚେକ୍ ରେ ଭିନ୍ନ ଭିନ୍ନ ତାରିଖ ଆସିଲା କୁଆଡୁ ? ନିର୍ବାଚନ କମିସନଙ୍କ ପାଖରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସତ୍ୟପାଠ ଓ ବିଜେଡ଼ି ଖର୍ଚ୍ଚ ତାଲିକା ଭିତରେ ତାଳମେଳ ନାହିଁ କାହିଁକି ? ଏମିତି ଅନେକ ପ୍ରଶ୍ନର ଗୋଟିଏ ବି ଉତ୍ତର ବିଜେଡ଼ି ପାଖରେ ନାହିଁ ।
ଏହି ପ୍ରଶ୍ନ ସବୁ ନୂଆ ନୁହେଁ । ୨୦୧୪ ନିର୍ବାଚନରେ ବିଜେଡ଼ିର ଖର୍ଚ୍ଚ ଅନିୟମତତା ଅଭିଯୋଗ ବର୍ଷେ ତଳୁ ଉଠିଲାଣି । କୋଟି କୋଟି ଚିଟଫଣ୍ଡ ଟଙ୍କା ବିଜେଡ଼ି ଆକାଉଣ୍ଟକୁ ଆସିଛି ବୋଲି ଅଭିଯୋଗ ହୋଇଥିଲା । ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲେ । ୩/୪ ଦିନ ଧରି ବିଧାନସଭା ଅଚଳ ହୋଇଗଲା । ବିଜେଡ଼ି ଗାଲୁ ପେଲି ପ୍ରସଙ୍ଗକୁ ଫାଙ୍କି ଦେଇଥିଲା । ମାତ୍ର ଟାଇମସ୍ ନାଓ ଖବର ପରିବେଷଣ କରିବା ପରେ ପ୍ରସଙ୍ଗଟି ପୁଣି ଚର୍ଚ୍ଚାକୁ ଆସିଛି । ସେବେଠୁଁ ମୁହଁରେ ତୁଣ୍ଡି ବାନ୍ଧିଥିବା ବିଜେପି ନେତାଙ୍କ ମୁହଁ ଖୋଲୁଛି । ହାୱାଲା ପାଣ୍ଠି ମାଧ୍ୟମରେ ବିଜେଡ଼ି କୋଟି କୋଟି ଟଙ୍କା କାରବାର କରିଛି ବୋଲି ସେମାନେ ତୁମ୍ବିତୋଫାନ କରିଛନ୍ତି ।
ବିଜେଡ଼ି ନିର୍ବାଚନୀ ପାଣ୍ଠି ଓ ଖର୍ଚ୍ଚ ଅନିୟମିତତା ଅଭିଯୋଗଟି ନିଶ୍ଚିତ ସାଂଘାତିକ । ନିର୍ବାଚନ କମିସନଙ୍କ ପାଖରେ ଦଳ ପକ୍ଷରୁ ଦାଖଲ ହୋଇଥିବା ଖର୍ଚ୍ଚ ସହ ପ୍ରାର୍ଥୀ ନିଜ ସତ୍ୟପାଠରେ ଦେଇଥିବା ଖର୍ଚ୍ଚର ତାଳମେଳ ନାହିଁ । ଖୋଦ୍ ବିଜେଡ଼ି ସୁପ୍ରିମୋଙ୍କ କ୍ଷେତ୍ରରେ ବି ସେୟା ହୋଇଛି । ନବୀନ ତାଙ୍କ ସତ୍ୟପାଠରେ ଦଳଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ଦର୍ଶାଇଛନ୍ତି । ୨୦୧୪ ଜୁଲାଇ ୩ ତାରିଖରେ ଚେକ୍ ନଂ ୪୪୧୬୧୯ ରେ ସେ ଏହି ଟଙ୍କା ନେଇଥିବା ସତ୍ୟପାଠ ଦେଇଛନ୍ତି । ହେଲେ ନିର୍ବାଚନ କମିସନଙ୍କ ପାଖରେ ଦାଖଲ ହିସାବରେ ବିଜେଡ଼ି ପକ୍ଷରୁ ନବୀନଙ୍କ ଖାତାରେ ୧୩ ଲକ୍ଷ ୧୦ ହଜାର ୬୨୫ ଟଙ୍କା ଦର୍ଶାଯାଇଛି । ୨୦୧୪ ଏପ୍ରିଲ୍ ୨ ତାରିଖରେ ଆରଟିଜିସି ଚେକ୍ ନଂ ୫୩୮୯୭୬୨୮୮ ରେ ଏହି ଟଙ୍କା ଦିଆଯାଇଥିବା କୁହାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା, ଏହି ସମାନ ଚେକ୍ ରେ ସାଂସଦ ପ୍ରାର୍ଥୀ ରାମଚନ୍ଦ୍ର ହାଁସଦାଙ୍କୁ ମେ ୮ ତାରିଖରେ ଦଳ ଦେଇଛି ୧୦ ଲକ୍ଷ ଟଙ୍କା । ନିଜେ ହାଁସଦା ତାଙ୍କ ସତ୍ୟପାଠରେ ନିର୍ବାଚନ କମିସନଙ୍କୁ ଏହା ଦର୍ଶାଇଛନ୍ତି । ପ୍ରଶ୍ନ ଉଠୁଛି ଭିନ୍ନ ତାରିଖ ଥାଇ ସେହି ସମାନ ଚେକ୍ ରୁ ନବୀନ ଓ ହାଁସଦାଙ୍କ ଆକାଉଣ୍ଟକୁ ଟଙ୍କା ଗଲା କେମିତି? ସୁତରାଂ ଗୋଟିଏ ଚେକ୍ ରେ ବିଭିନ୍ନ ନେତାଙ୍କ ପାଖକୁ ଭିନ୍ନ ଭିନ୍ନ ତାରିଖରେ ପାଣ୍ଠି ଦେଣନେଣ ହୋଇଥିବା ଏଥିରୁ ସ୍ପଷ୍ଟ ହେଉଛି । ଖାଲି ସେତିକି ନୁହେଁ ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କ ସମେତ ଅନେକ ବିଧାୟକ ଦଳ ପକ୍ଷରୁ ଟଙ୍କାଟେ ନେଇନାହାନ୍ତି ବୋଲି ସତ୍ୟପାଠରେ ଦର୍ଶାଇଥିଲା ବେଳେ ବିଜେଡ଼ି ଖାତାରେ କିନ୍ତୁ ସେମାନଙ୍କ ନାଁରେ ଟଙ୍କା ଗଡୁଛି ।
ବିଜେଡ଼ି ଏହାର ନିର୍ଦ୍ଦିଷ୍ଟ ଜବାବ ନ ଦେଇ ଗାଲୁ ପେଲିଚାଲିଛି । ଅଭିଯୋଗର ସ୍ପଷ୍ଟୀକରଣ ନ ଦେଇ ବିଜେଡ଼ି କାଠଗଡ଼ା ଚଢ଼ାଇବାର ଧମକ ଦେଇଛି । ପ୍ରସଙ୍ଗଟି ବିଧାନସଭାରେ ଆଲୋଚନା ସରିଛି ଏବଂ ବିଜେଡ଼ି ଆକାଉଣ୍ଟ ଟଙ୍କା ଦେଣନେଣରେ କୌଣସି ଅନିୟମିତତା ହୋଇନାହିଁ ବୋଲି ମୁଖପାତ୍ର ପ୍ରତାପ ଦେବ ତାଙ୍କ ଜବାବରେ କାମ ସାରିଦେଇଛନ୍ତି । ଅନ୍ୟତମ ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର କହିଛନ୍ତି ସେମିତି କେଉଁଠି ଟିକେ ଭୁଲ୍ ଭଟକା ରହିଥାଇପାରେ । ହେଲେ ଆମେ ଓ ଆମ ପାର୍ଟି ଆକାଉଣ୍ଟରେ ସ୍ୱଚ୍ଛତା ଅଛି । ସୁବାସ ସିଂ କହିଛନ୍ତି ବିଜେପି ଜ୍ୱର ବିକଳରେ ତାଟିଆ କାମୁଡୁଛି । ମୂଳ ପ୍ରସଙ୍ଗ ଛାଡ଼ି ସେ ନୂଆପଡ଼ାରେ ବିଜେପିର ପରାଜୟ କଥା କହିଛନ୍ତି । ସୁତରାଂ ଦଳୀୟ ପାଣ୍ଠି ଓ ଖର୍ଚ୍ଚ ଅନିୟମିତା ଉପରେ ଉଠିଥିବା ପ୍ରଶ୍ନର ସଠିକ୍ ଓ ନିର୍ଦ୍ଦିଷ୍ଟ ଜବାବ କେହି ଦେଇପାରିନାହାନ୍ତି । ଚିରାଚରିତ ଢ଼ଙ୍ଗରେ ସେହି ଘୋଷା ପାଠ ଶୁଣାଇଛନ୍ତି । ଆମେ ସ୍ୱଚ୍ଛ । ଆମ ପଛରେ ଲୋକଙ୍କ ସମର୍ଥନ ଅଛି ।