ପାୱାରଫୁଲ୍ ଯୁବମନ୍ତ୍ରୀଙ୍କୁ ନବୀନ ତାଙ୍କ ମନ୍ତ୍ରୀମଣ୍ଡଳରୁ ବିଦା କରିଛନ୍ତି ସତ ହେଲେ ସେମାନଙ୍କ ହାତରୁ ପାୱାର୍ ନେଇନାହାନ୍ତି । ମନ୍ତ୍ରୀ ନ ଥାଇ ବି ଆଜିକା ଦିନରେ ଅରୁଣ, ସଞ୍ଜୟ, ବବି ବେଶ୍ ପାୱାରଫୁଲ୍ । ସେହିଭଳି ସମ୍ ହସ୍ପିଟାଲ୍ ନିଆଁ ଯୋଗୁଁ ବର୍ଷେ ତଳୁ ଅତନୁ ତାଙ୍କ ମନ୍ତ୍ରୀ ପଦ ହରାଇଥିଲେ ମଧ୍ୟ ପାୱାର୍ ହରାଇନାହାନ୍ତି । ତୃତୀୟ ମହଲାରେ ଏହି ୪ ଯୁବବ୍ରିଗେଟ୍ ଙ୍କ ଦବଦବା ବରିଷ୍ଠ ମନ୍ତ୍ରୀଙ୍କ ପାଇଁ ଇର୍ଷାର କାରଣ ହୋଇଛି । ଦଳର ବିଭିନ୍ନ ସାଂଗଠନିକ କାର୍ଯ୍ୟକ୍ରମ ପାଇଁ ଏହି ୪ ଯୁବ ବିଗ୍ରେଡଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଆଗ ଖୋଜାପଡୁଛି । ସେମାନଙ୍କର ଖାଲି ପରାମର୍ଶ ନେଉନାହାନ୍ତି ବରଂ ସେମାନଙ୍କ ହାତରେ ଦଳୀୟ କାର୍ଯ୍ୟକ୍ରମର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁ କରାଉଛନ୍ତି । ଖାଲି ସେତିକି ନୁହେଁ ଦଳରେ କାହାରିକୁ କେଉଁ ଦାୟିତ୍ୱ ଦିଆଯିବ ଯୁବ ବିଗ୍ରେଡ ତାହା ସ୍ଥିର କରୁଛନ୍ତି । ମନ୍ତ୍ରୀମଣ୍ଡଳରୁ ବିଦା ହେବାର ଦୁଃଖ ମନରୁ ଭୁଲି ସେମାନେ ସାଂଗଠନିକ କାର୍ଯ୍ୟରେ ସକ୍ରିୟ ହୋଇପଡ଼ିଥିବାରୁ ନବୀନ ବି ସେମାନଙ୍କ ଉପରେ ଭାରି ଖୁସି । ମନ୍ତ୍ରୀ ଥିଲା ବେଳେ ସେମାନଙ୍କ ଦେହରେ ଗର୍ବ, ଅହଂକାରର ଯେଉଁ ଟ୍ୟାଗ୍ ଲାଗିଥିଲା ଏବେ ତାହା ବି ହଟିଗଲାଣି । ନିଜକୁ ଅଧିକ ସୋ ବାଜି ନ କରି ସେମାନେ ଦଳୀୟ କାର୍ଯ୍ୟକ୍ରମରେ ଫୁଲ୍ ଦମ୍ ଖଟାଇବା ନବୀନଙ୍କ ମନ ହରଣ କରିନେଇଛି । ହଁ ଏକମାତ୍ର ବ୍ୟତିକ୍ରମ ରହିଛି ବବିଙ୍କ କ୍ଷେତ୍ରରେ । ବବିଙ୍କର ବେତାଳିଆ ହାବଭାବ ପୂରାପୂରି କଟିପାରିନି । ମନ୍ତ୍ରୀ ଥିଲା ବେଳେ ଯେଭଳି ଫଡ଼ଫଡ଼ ହେଉଥିଲେ ଏବେ ବି ସେୟା । ଦିନେ ଛଡ଼ା ଦିନେ ସଚିବାଳୟ ଯାଇ ତୃତୀୟ ମହଲାରେ ନିଜଆଡୁ ହାଜିରା ପକାଇ ନିଜକୁ ପାୱାରଫୁଲ୍ ଦେଖାଇବାର ଅଭ୍ୟସ୍ତ ଛାଡ଼ିପାରିନାହାନ୍ତି । ମଜାଦାର ଖବରଟି ହେଉଛି, ଗୁରୁତ୍ୱପୂର୍ଣ୍ଣ ଖବରର ସୁରାକ୍ ମିଳିଲେ ସକାଳୁ ସକାଳୁ ସେ ଅରୁଣ, ଅତନୁ ଆଉ ସଞ୍ଜୟଙ୍କ ଘର ଆଡେ ବୁଲି ପଳୋଉଛନ୍ତି । ତିନିଙ୍କଠାରୁ ଯାହା ଖବର ପାଉଛନ୍ତି ତାହାର ଏଡିଟିଂ ଭର୍ସନ୍ ଧରି ସଚିବାଳୟ ଅଫିସ ଖୋଲୁ ଖୋଲୁ ଯାଇ ପହଞ୍ଚି ଯାଉଛନ୍ତି ତୃତୀୟ ମହଲାରେ । ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ତାହାକୁ ଆଗତୁରା ଡିସପୋଜ୍ କରି ବାହାବା ଗୋଟାଉଛନ୍ତି । ଅବଶ୍ୟ ଏହା ତାଙ୍କର ପୁରୁଣା ନିଶା ଏବଂ ମନ୍ତ୍ରୀ ପଦ ଗଲା ପରେ ବି ନିଶା ଛାଡ଼ିନି । ଯାଜପୁରର ବିଜେଡ଼ି ଦୁର୍ଗ ଭୁଷୁଡ଼ିବାକୁ ବସିଥିଲା ବେଳେ ସଚିବାଳୟରେ ବବିଙ୍କ ପାୱାର୍ ସୋ ଖୋଦ୍ ସୁପ୍ରିମୋଙ୍କୁ ଖଟକା ଲାଗୁଥିବା ଜଣାପଡ଼ିଛି ।